THE BYAPINI

କରୋନା ଟୀକାରେ ବି ରାଜନୀତି ପଶିଲା !

Get real time updates directly on you device, subscribe now.

ସାରା ବିଶ୍ୱ ଚାତକ ପରି ଚାହିଁ ବସିଥିଲା କେବେ ଆସିବ କୋଭିଡ ଟୀକା । ଅନେକ ରାଷ୍ଟ୍ରରେ ଟୀକାର ଜରୁରୀକାଳିନ ବ୍ୟବହାରକୁ ଅଣୁମତି ମିଳିସାରିଲାଣି । ଆଉ ଭାରତରେ ଯେତେବେଳେ ଏନେଇ ପଦକ୍ଷେପ ନିଆଗଲା ଏବଂ ଦୁଇଟି ଟୀକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଲା, ସେତେବେଳେ ରାଜନୀତି ବି ଅରମ୍ଭ ହୋଇଗଲା । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖୀଳେଶ ଯାଦବ ରଖିଥିବା ବୟାନ ଯେତିକି ବିତର୍କ ତିଆରି କରିଥିଲା, ତାକୁ ଆଉ କେଇ ପାଦ ଆଗକୁ ବଢେଇ ନେଗଲେ କଂଗ୍ରେସ ନେତା । ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍ ଓ ଜୟରାମ ରମେଶ ଏହି ଟିକାର ବ୍ୟବହାର ରୋକିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ଦେଶବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିବ ବୋଲି ସେମାନେ କହିଛନ୍ତି ।

ଶଶି ଥରୁର୍ ଏକ ଟ୍ୱିଟ୍ ରେ ଲେଖିଛନ୍ତି, କୋଭାକ୍ସିନ ଟିକା ଏପର୍ୟ୍ୟନ୍ତ ତା’ର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ଶେଷ କରିନାହିଁ । ତେଣୁ ଏହା ବ୍ୟବହାର ଉପଯୋଗୀ ନୁହେଁ। ଏହାକୁ ବ୍ୟବହାର କଲେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖା ଦେଇପାରେ। ଯେପର୍ୟ୍ୟନ୍ତ ଏହି ଟିକାର ଶେଷ ପର୍ୟ୍ୟାୟ ପରୀକ୍ଷଣ ହୋଇନାହିଁ ତାହାକୁ ବ୍ୟବହାର କରିବାକୁ ଅନୁମତି ନଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଯେପର୍ୟ୍ୟନ୍ତ କୋଭାକ୍ସିନର ପରୀକ୍ଷଣ ସରି ନାହିଁ ସେତେବେଳ ଯାଏ ଆଷ୍ଟ୍ରାଜେନେକା ଟିକା ବ୍ୟବହାର କରାଯାଉ ବୋଲି ସେ କହିଛନ୍ତି ।

ଶଶି ଥରୁରଙ୍କ ବ୍ୟତିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ବି କୋଭାକସିନକୁ ନେଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ ଏକ ଟ୍ୱିଟ୍ କରିଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି କି ଭାରତ ବାୟୋଟେକ୍ ଟିକା ପ୍ରସ୍ତୁତ କରିବା ନେଇ ପ୍ରଥମେ କାର୍ୟ୍ୟ ଆରମ୍ଭ କରିଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଏହି କମ୍ପାନି ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକାର ଏପର୍ୟ୍ୟନ୍ତ ଅନ୍ତିମ ପର୍ୟ୍ୟାୟ ପରୀକ୍ଷଣ ହୋଇପାରି ନାହିଁ। ହେଲେ ଅନ୍ତରାଷ୍ଟ୍ରୀୟ ପ୍ରୋଟକଲକୁ ବଦଳାଇ ଭାରତ ସରକାର ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇଦେଲେ । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

ଭାରତରେ ଏଯାଏଁ ଦୁଇଟି ଟୀକାକୁ ଜରୁରୀକାଳିନ ବ୍ୟଭହାର ନେଇ ଅନୁମତି ମିଳିଛି । ଅକ୍ସଫୋର୍ଡ ଅଷ୍ଟ୍ରାଜେନେକା ଟୀକା ଯାହାକୁ ସେରମ ଇନଷ୍ଟିଚ୍ୟୁଟରେ ତିଆରି କରାଯାଉଛି, ଦେଶର ପ୍ରଥମ ଟୀକା ଭାବେ ଅନୁମୋଦନ ଲାଭ କରିଥିଲା । ସେହିଭଳି ସଂପୁର୍ଣ୍ଣ ସ୍ୱଦେଶୀ ଟୀକା ଯାହାକୁ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କରାଯାଇଛି, ତାକୁ ଶନିବାର ଦିନ ଅନୁମୋଦନ ଦେଇଥିଲା ବିଶେଷଜ୍ଞ କମିଟି । ହେଲେ ଏହାର ପ୍ରଭାବ ଏବଂ ଚୁଡାନ୍ତ ଅର୍ଥାତ୍ ତୃତୀୟ ପର୍ଯ୍ୟାୟ ରିପୋର୍ଟକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ପରେ ମାମଲା ବିବାଦୀୟ ହୋଇଛି । ଲୋକଙ୍କ ମଧ୍ୟରେ ଭାରତୀୟ ଟୀକାକୁ ନେଇ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି କରିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଦେଖାଦେଇଛି ବିବାଦ ।

Get real time updates directly on you device, subscribe now.

Leave A Reply

Your email address will not be published.