ବଢୁଛି କରୋନା ଟେନସନ୍
ଦେଶରେ ପୁଣି ଥରେ କରୋନ କାୟା ବିସ୍ତାର କରିବାରେ ଲାଗିଛି। କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୭୫୨ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୯୬,୭୩୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୧୧୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୭,୦୫୧ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୧,୭୧୮ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୭,୭୫,୧୬୯। ଏହି ହିସାବରେ ସମ୍ପ୍ରତି ଜାତୀୟ ସୁସ୍ଥତା ହାର ହେଉଛି ୯୭.୧୪% । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୪,୫୧୧ରେ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୪୩,୦୧,୨୬୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।
ସେପଟେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ୱାସିମ ଜିଲ୍ଲାରେ ଥରକେ ୩୧୮ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ଘଟଣାକୁ ନେଇ ଚିନ୍ତାରେ ଅଛନ୍ତି ସରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ୧୯୦ ଜଣ ଛାତ୍ରଛାତ୍ରୀ। ୱାସିମ ଜିଲ୍ଲାର ରିସୋଡ ତହସିଲର ଏକ ସ୍କୁଲ ହଷ୍ଟେଲରେ ୧୯୦ ଜଣ ଛାତ୍ର ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।