ନିୟନ୍ତ୍ରଣ ବାହାରେ ସଂକ୍ରମଣ!
କରୋନାର କମବ୍ୟାକ ଦେଶରେ ପୁଣିଥରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି । ଦେଶରେ ଲଗାତର ତିନି ଦିନ ମଧ୍ୟରୁ ଦୁଇ ଦିନ ସଂକ୍ରମଣ ସଂଖ୍ୟା ଲକ୍ଷେ ଉପରେ ରହିଛି । ଧୀରେ ଧିରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ଦେଶରେ ଲକ୍ଷେ ୧୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଦ୍ୱିତୀୟ ଲହର ହୁହୁ ହୋଇ ବଢୁଥିବା ବେଳେ ଲୋକଙ୍କ ମନ ଭିତରେ ଏକ ପ୍ରକାର ଛନକା ପଶିଯାଇଛି ।
ଗତ ୨୪ ଘଂଟାରେ ଦେଶରେ ଲକ୍ଷେ ୧୫ହଜାର ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୬୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୨୮,୦୧,୭୮୫ରେ ପହଞ୍ଚିଛି । ସେହିପରି ୬୩୦ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ମୃତ୍ୟୁସଂଖ୍ୟା ୧,୬୬,୧୭୭ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୫୯,୮୫୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୬୬,୧୭୭ ।
ସଂକ୍ରମଣ ବଢିଚାଲିଥିବା ବେଳେ ମହାରାଷ୍ଟ୍ର, ଦିଲ୍ଲୀ ସମେତ ୮ଟି ରାଜ୍ୟରେ ସ୍ଥିତି ସଂଗୀନ ହେଉଛି । ମହାରାଷ୍ଟ୍ରରୁ ଦିନକରେ ୫୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ରାଜ୍ୟସରକାରଙ୍କ ଚିନ୍ତା ବଢାଇଦେଇଛି ।କରୋନାକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ରରେ ଲକଡାଉନ ଭଳି କଟକଣା ଜାରି କରାଯାଇଛି । ସେହିପରି ଦିଲ୍ଲୀରେ ମଧ୍ୟ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ବିଶ୍ୱରେ କରୋନାର ଦ୍ୱିତୀୟ ଲହରରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭାରତ । ଭାରତରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।