ଆଶ୍ୱସ୍ତି ଆଣୁଛି ସଂକ୍ରମଣ ସଂଖ୍ୟା ହ୍ରାସ
କିଛି ଦିନ ପରେ ଦେଶରେ ସଂକ୍ରମଣକୁ ନେଇ ସାମାନ୍ୟ ଆଶ୍ୱସ୍ତି ଅନୁଭବ ହେଉଛି । ୪ ଲକ୍ଷ ଉପରେ ରହୁଥିବା ସଂକ୍ରମଣ ସଂଖ୍ୟା ଦୁଇରୁ ତିନି ଦିନ ହେବ ତଳ ମୁହାଁ ହୋଇଛି । ଏବେ ବି ସ୍ଥିତି ଅସମ୍ଭାଳ ଥିବା ବେଳେ ବିଭିନ୍ନ ରାଜ୍ୟରେ ଲକଡାଉନ ଯୋଗୁଁ ହୁଏତ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥାଇପାରେ ।
୨୪ ଘଣ୍ଟାରେ ୩ ଲକ୍ଷ ୨୯ ହଜାର ୯୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୩୮୭୬ ଜଣଙ୍କ ମୃତ୍ୟୁ ଘଟିଛି ।ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୨୯ ଲକ୍ଷ ୯୨ ହଜାର ୫୧୭ରେ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୯ ହଜାର ୯୯୨ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୬,୦୮୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୯୦,୨୭,୩୦୪ରେ ପହଞ୍ଚିଛି । ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୭,୧୫,୨୨୧। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ହୋଇଛି । ଡିସଚାର୍ଜ ହେଉଥିବା ଲୋକଙ୍କ ମଧ୍ୟରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଦିଲ୍ଲୀରୁ ୭୪ ପ୍ରତିଶତ ରୋଗୀ ଅଛନ୍ତି ।
କରୋନା ଭାଇରସ୍ ବିରୋଧରେ ଚାଲିଥିବା ଲଢ଼େଇରେ ଟିକାକରଣ ମଧ୍ୟ ଜାରି ରହିଛି । ଏପର୍ୟ୍ୟନ୍ତ ଦେଶରେ ୧୭.୨୭ କୋଟି ଲୋକଙ୍କୁ ପ୍ରଥମ କିମ୍ବା ଦ୍ୱିତୀୟ ଭ୍ୟାକସିନ୍ ମିଳିସାରିଛି । ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ମେ ୧୦ ତାରିଖ ସୁଦ୍ଧା ସମୁଦାୟ ୩୦,୫୬,୦୦,୧୮୭ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୮,୫୦,୧୧୦ଟି ନମୁନା ।