ସଂକ୍ରମଣ ସ୍ଥିତି ସାଂଘାତିକ
ଦେଶରେ ସଂକ୍ରମଣ ସ୍ଥିତି ସାଂଘାତିକ । ସୁନାମୀ ପରି ସଂକ୍ରମଣ ମାଡି ଚାଲିଛି । ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି । ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି।
ଗତ ୨୪ ଘଂଟାରେ କରୋନା ସଂକ୍ରମଣ ତା’ର ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗିଛି । ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ଆଉ ୨ ଲକ୍ଷ ୩୪ ହଜାର ୬୯୨ କରୋନା ପଜିଟିଭ୍ । ଏଥିସହ ଦିନକରେ ୧ ହଜାର ୩୪୧ ଜଣଙ୍କ ଜୀବନ ନେଇଛି ଭାଇରସ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ସାରା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧.୪୫,୨୬,୬୦୯ କୁ ବୃଦ୍ଧି ପାଇଛି । ଦେଶରେ ୧ କୋଟି ୨୬ ଲକ୍ଷ ୭୧ ହଜାର ୨୨୦ ଜଣ ଲୋକ ସୁସ୍ଥ ହୋଇ ଫେରିଛନ୍ତି। ଏବେ ଦେଶରେ ଆକ୍ଟିଭ କେସ ରହିଛି ୧୬ ଲକ୍ଷ ୭୯ ହଜାର ୭୪୦। ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ଦେଶରେ ଏହାର ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୭୫ ହଜାର ୬୪୯ରେ ପହଞ୍ଚିଛି।
ମହାରାଷ୍ଟ୍ର କରୋନା କରାଳ ରୂପ ନେଇଛି। ୨୪ ଘଣ୍ଟାରେ ଏଠାରେ ୬୩, ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ସର୍ବାଧିକ ଦୈନିକ ସଂକ୍ରମଣ। ଏହାକୁ ମିଶାଇ ରାଜ୍ୟରେ ୩୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଲେଣି। ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୩୯୮ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୯, ୫୫୧ ଛୁଇଁଛି। ସେହିପରି ଦିଲ୍ଲୀରେ ୧୯, ୪୮୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୧୪୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗୁଜରାଟରେ ଶୁକ୍ରବାର ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮, ୯୨୦ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩, ୪୮, ୬୮୮ରେ ପହଞ୍ଚିଛି।