କଟକଣାରେ ବିିତିଯିବ ୨୦୨୦ ବର୍ଷ…
ରାଜ୍ୟସରକାର ଡିସେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡ୍ଲାଇନ୍ରେ ଅନେକ କଟକଣାକୁ କୋହଳ କରାଯାଇଛି । ହେଲେ କଣ୍ଟେନମେଣ୍ଟ୍ ଜୋନ୍ ଗୁଡ଼ିକରେ ଲକ୍ଡାଉନ୍ ନିୟମ ବଳବତ୍ତର ରହିବ ବୋଲି ନିଷ୍ପତି ହୋଇଛି । ଏଣିକି ବାହାଘର ପାଇଁ ଆଉ ୧୦୦ ଲୋକରେ ସୀମିତ ରଖିବାକୁ ପଡ଼ିବନି । ରାଜ୍ୟ ସରକାର ଏଥିପାଇଁ ୨୦୦ ଲୋକଙ୍କୁ ଏକାଠି ହେବାର ଅନୁମତି ପ୍ରଦାନ କରିଛନ୍ତି ।ବଡ଼ ଧରଣର ଧାର୍ମିକ, କ୍ରୀଡ଼ା, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସରକାର ।ସେହିଭଳି ଆନ୍ତର୍ଜାତିକ ବିମାନ ସେବାକୁ ନା’ କରିଛନ୍ତି ସରକାର । ସମସ୍ତ ସ୍କୁଲକଲେଜ, ଅଙ୍ଗନବାଡ଼ି କେନ୍ଦ୍ର, ସିନେମା ହଲ ଓ ସୁଇମିଂ ପୁଲ୍ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।
ଏଥିସହ ଶିଶିରସରସ କିମ୍ବା ତୋଷଳୀ କ୍ରାଫ୍ଟ ମେଳା ଭଳି ବଡ଼ ବଡ଼ ପ୍ରଦର୍ଶନୀ ଓ ବ୍ୟବସାୟ ଭିତ୍ତିକ ମେଳା ବନ୍ଦ ରହିବ ବୋଲି ଡିସେମ୍ବର ଗାଇଡଲାଇନରେ କୁହାଯାଇଛି । ବୈଷୟିକ ଓ ଦକ୍ଷତା ବିକାଶ କେନ୍ଦ୍ର ୩୧ ଡିସେମ୍ବର ଯାଏଁ ବନ୍ଦ ରହିବ । ସେହିପରି ମନ୍ଦିର ଖୋଲିବା ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ସ୍ଥାନୀୟ ଅଧିକାରୀ । ୩୧ ଡିସେମ୍ବର ଯାଏଁ କୌଣସି କ୍ଲବ ମଧ୍ୟ ଖୋଲିବନି । ତେବେ ସବୁଠାରୁୁ ବଡ଼ କଥା ହେଲା ଡିସେମ୍ୱର ୧ରୁ ସବୁ ମେଡିକାଲ କଲେଜ୍ ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିସାରିଛି ।
କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର୍ୟ୍ୟକଳାପକୁ ଅନୁମତି ଦିଆଯିବ । ଜରୁରୀକାଳୀନ ଚିକିତ୍ସା ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ ବଜାୟ ରଖିବା ପାଇଁ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକମାନଙ୍କର ଚଳପ୍ରଚଳକୁ ଅନୁମତି ମିଳିବ।