ଆମ୍ବୁଲାନ୍ସରେ ଆଖିବୁଜିଲେ ନବବଧୂ
ମହାମାରୀ କରୋନା ଯେ କେତେ ଭୟଙ୍କର ଯିଏ ଅଙ୍ଗେ ନିଭେଇଛି ସେ ଜାଣିଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ କରୋନାର ଏଭଳି କରୁଣ ଚିତ୍ର ଆସୁଛି, ଯାହାକୁ ବିଶ୍ୱାସ କରିବା କଷ୍ଟକର । କେଉଁଠି ମା କୋଳରୁ ପୁଅକୁ ନେଇଯାଉଛି ତ କେଉଁଠି ପୁଅ ହରାଇବା ଦୁଃଖରେ ବାପାର ମୃତ୍ୟୁ ହେଉଛି । ଆଉ କେଉଁଠ ମୃତ୍ୟୁ ପରେ ଶବକୁ ଛୁଉଁନାହାନ୍ତି ପରିବାର ଲୋକ ଓ ପଡୋଶୀ । ତ ଆଉ କେଉଁଠି ହସ୍ପିଟାଲରେ ବେଡ ନପାଇ ରୋଗୀର ଜୀବନ ପଳାଉଛି । ରାଜଧାନୀରୁ ଆସିଛି କରୋନା ଚିକିତ୍ସାର ଏଭଳି ଏକ ଚିତ୍ର ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇଯିବ । କରୋନା ଯେ କେତେ ମାରାତ୍ମକ ଏବଂ ଭୟଙ୍କର ଓ କିଭଳି ଗୋଟିଏ ନୂଆ ଜୀବନ ଆରମ୍ଭ ହେବା ଆଗରୁ ସବୁ କିଛି ଧୂଳିସାତ ହୋଇଗଲା ତାହା ଦେଖିବାକୁ ମିିଳିଛି ।
ବାହାଘରକୁ ୧୮ଟା ଦିନ ପୁରୁଛି । ହାତରୁ ମେହେନ୍ଦୀ ଛାଡିନି କି ପାଦରୁ ଅଳତା ଲିଭିନି । କେତେ ସ୍ୱପ୍ନ ନେଇ ନୂଆ ସଂସାର ଗଢିବାକୁ ଆସିଥିଲା । ହେଲେ କିଏ ଜାଣିଥିଲା ଏଇ ମହାମାରୀ ତାର ସବୁକିଛି ଛଡାଇନେବ । ନୂଆ ସଂସାର ଗଢିବା ଆଗରୁ ସବୁ ଦିନ ପାଇଁ ସେ ଆଖିବୁଜିଦେବ । ବାଲିପାଟଣା ରାଜସ୍ୱ ବଡ଼ ପାଳସାହି ଗାଁର ବେଣୁଧର ପାଳଙ୍କ ଝିଅ ସ୍ୱର୍ଣ୍ଣଲତା । ଗତ ମାସ ୨୮ ତାରିଖରେ ବିବାହ କରି ଶାଶୁଘର ଯାଇଥିଲେ । ଶାଶୁଘର ପହଚିଂବା ପରେ ହଠାତ ସେ ଅସୁସ୍ଥ ହୋଇପଡିଥିଲୋ ।ଶରୀରରେ ଅକ୍ସିଜେନ ସ୍ତର କମିଯାଇଥିଲା । ପରିବାର ଲୋକ ତାଙ୍କୁ ଏକ ଆମ୍ବୁଲାନ୍ସରେ ଅକ୍ସିଜେନ ଲଗାଇ କରୋନା ହୋଇଥିବା ଭାବି ଭୁବନେଶ୍ୱର ନେଇଆସିଲେ । କିନ୍ତୁ ରାଜଧାନୀରେ ଏତେ ହସ୍ପିଟାଲ ଥାଇ ବି ତାଙ୍କୁ କେଉଁଠି ଆଇସିୟୁ ବେଡଟା ମିଳିଲାନି । ରାଜଧାନୀ ଓ ଏହାର ଉପକଣ୍ଠରେ ପାଖାପାଖି ୯ଟି ମେଡିକାଲ ବୁଲିଲେ । ୮ ଘଂଟା ଧରି ଆମ୍ବୁଲାନ୍ସରେ ଅକ୍ସିଜେନ ଲଗାଇ ସେମିତି ପଡିରହି ଏଇ ହସ୍ପିଟାଲରୁ ସେଇ ହସ୍ପିଟାଲ ହେବା ପରେ ଶେଷରେ ସେ ଆଖିବୁଜିଥିଲେ ।ଜଣେ ନବବିବାହିତଙ୍କ ଏଭଳି ମୃତ୍ୟୁ ସ୍ଥାନୀୟ ଅଂଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି ।
କରୋନା କାଳରେ ରାଜଧାନୀରେ ସ୍ୱାସ୍ଥ୍ୟବସ୍ଥା କିପରି ବିପର୍ଯ୍ୟସ୍ଥ ହୋଇପଡିଛି ବାସ୍ତବ ଚିତ୍ରକୁ ପଦାରେ ପକାଇଦେଇଛି ।
ହତାଶ ହୋଇ ପରିବାର ଲୋକ ଯେତେବେେ ସ୍ୱର୍ଣ୍ଣଲତାଙ୍କୁ ଆମ୍ବୁଲାନ୍ସରେ ଧରି ଏଇ ମେଡିକାଲରୁ ସେଇ ମେଡିକାଲ ହେଉଥିଲେ ସେତେବେଳେ କାହାର ନଜର ବି ପଡିନଥିଲା । ୧୮ ଦିନ ହେବ ବାହାହୋଇଥିବା ନବବିବାହିତଙ୍କ ଜୀବନ ବଂଚାଇବାକୁ ଯେତେବେଳେ ଆଇସିୟୁ ବେଡ ପାଇଁ ପରିବାର ଲୋକ କାକୁତି ମିନତି ହୋଇଥିଲେ, ସେତେବେଳେ ତାଙ୍କ କାନ୍ଦ କାହା ପାଖରେ ପହଚିଂଥିଲା । ଶେଷରେ ସ୍ୱର୍ଣ୍ଣଲତାଙ୍କ ଅକ୍ସିଜେନ ୨୬ ପ୍ରତିଶତକୁ ଖସିଆସିଥିଲା ।ଶେଷରେ ଯେତେବେଳେ କ୍ୟାପିଟାଲ ହସ୍ପିଟାଲରେ ସ୍ୱର୍ଣ୍ଣଲତାଙ୍କ କରୋନା ନମୂନା ପରୀକ୍ଷା ହୋଇଥିଲା ପଜିଟିଭ ଆସିଥିଲା । ଆଉ ମେଡିକାଲରେ ଭର୍ତି ହେବା ଆଗରୁ ଆମ୍ବୁଲାନ୍ସରେ ଆଖିବୁଜିଥିଲେ ୧୮ ଦିନର ନବବିବାହିତା ସ୍ୱର୍ଣ୍ଣଲତା ।