ଶିକ୍ଷାନୁଷ୍ଠାନରେ ବ୍ୟାପୁଛି ସଂକ୍ରମଣ
ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେବା ଘଟଣା ପ୍ରଶାସନର ଚିନ୍ତା ବଢାଇଛି। ଏଭଳି ସ୍ଥିତିରେ ମାସ୍କ, ସାମାଜିକ ଦୂରତ୍ବ ନିୟମ ସଂପୂର୍ଣ୍ଣ ଢିଲା ପଡି ଯାଇଥିବା ଅଭିଯୋଗ ହୋଇଛି।
ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିଛନ୍ତି। ସ୍କୁଲ ଭାଇସ୍ ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ, ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ। ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ। ଲକ୍ଷଣ ଦେଖାଦେବାରୁ ଟେଷ୍ଟ କରାଯାଇଥିଲା। ତାଙ୍କର ନମୁନା ପଜିଟିଭ ଆସିଛି। ଏହା ପରେ ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଆଜି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା କରିବ ଈଗଉ କହିଛି।
ସେପଟେ ରେଭେନ୍ସାରେ ୨ ହଷ୍ଟେଲ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଆଜି ଓ ଆସନ୍ତାକାଲି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦେଇଛନ୍ତି । ଦୁଇ ହଷ୍ଟେଲରେ ଯେଉଁ ମହଲାରେ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି, ସେହି ମହଲାରୁ କାହାରିକୁ ବାହାରକୁ ଆସିବାକୁ କିମ୍ବା ଯିବାକୁ ଅନୁମତି ଦିଆଯାଉନାହିଁ ।କଟକ ମହାନଗର ଅଞ୍ଚଳରୁ ଗତ ଏକ ସପ୍ତାହ ମଧ୍ୟରେ ୩୨ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୮୦ ଜଣ ହୋମ କ୍ବାରାଣ୍ଟିନ୍ରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ସହରର ୨ଟି ଘରୋଇ ଓ ଗୋଟିଏ ସରକାରୀ ଶିକ୍ଷା ଅନୁଷ୍ଠାନର ୪୪ ଜଣ। ଅରୁଣୋଦୟ ନଗରସ୍ଥିତ ଘରୋଇ କଲେଜରୁ ୨୫ ଓ ତାଳଦଣ୍ଡା କେନାଲ ପାର୍ଶ୍ବରେ ଥିବା ଘରୋଇ ଶିକ୍ଷା ଅନୁଷ୍ଠାନରୁ ୧୭ ଆକ୍ରାନ୍ତ ବାହାରିଥିବା ବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ୨ଜଣ ସଂକ୍ରମିତି ଚିହ୍ନଟ ହୋଇଛନ୍ତି।ସେହିପରି ରାଉରକେଲା ଏନଏଆଇଟିରୁ ମଧ୍ୟ ୩ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିଲେ । ରାଷ୍ଟ୍ରପତିଙ୍କ ସମାବର୍ତନ ଉତ୍ସବ ପରେ ପଜିଟିଭ ଚିହ୍ନଟ ହୋଇଥିଲେ ।