ବିଶ୍ୱାସ ଆଗରେ ପ୍ରଶାସନ ଫେଲ!
ଡଙ୍ଗରିଆ ରାଜା ଅଛନ୍ତି, ଆମର କରୋନା କିଛି କରିପାରିବନି । ନିୟମଗିରିରେ ସଂକ୍ରମଣ ପଶିବା ପରେ ଏବେ ଡଙ୍ଗରିଆଙ୍କ କନ୍ଧଙ୍କ ବିଶ୍ୱାସ ଆଗରେ ମେଡିକାଲ ଟିମ ନିରାଶ । ନିୟମଗିରି ରାଜାଙ୍କୁ ପୂଜା କରୁଛୁ, ଆମର କିଛି ଅସୁବିଧା ହେବନି ବୋଲି ଟେଷ୍ଟିଂ ପାଇ ଯାଇଥିବା ମେଡିକାଲ ଟିମକୁ ରୋକଠୋକ କହିଦେଇଛନ୍ତି ନିୟମଗିରି ସୁରକ୍ଷା ସମିତିର ସଭାପତି । କେବେଳ ଏତିକି ନୁହେଁ ମେଡିକାଲ ଟିମକୁ ଫେରାଇଦେବା ସହ ପାର୍ସାଲିରେ ହୋଇଥିବା କଂଟେନମେଂଟ ଜୋନକୁ ମଧ୍ୟ ଭାଙ୍ଗିଦେଇଛନ୍ତି ।
ଅପହଂଚ ଅଂଚଳରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସପ୍ତାହକ ମଧ୍ୟରେ ନିୟମଗିରି ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତର ୪ଟି ଗାଁରେ ୨୦ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ମେଡିକାଲ ଟିମ ସ୍ୱାବ ସଂଗ୍ରହ ପାଇଁ ପଠାଯାଇଥିଲା । ହେଲେ ସେମାନେ ଭଗବାନ ବୋଲି ମାନୁଥିବା ନିୟମଗିରି ରାଜାଙ୍କ ଉପରେ ଭରସା କରି କେହି ସ୍ୱାବ ଦେବାକୁ ରାଜି ହୋଇନଥିଲେ । କେବେଳ ୩ ଜଣଙ୍କୁ କରୋନା ନୂମନା ସଂଗ୍ରହ କରାଯାଇଛି । ତେବେ ବହୁ ବୁଝାସୁଝା ପରେ ଗାଁର ମୁଖିଆଙ୍କ ସହ କଥାବାର୍ତା ପରେ ପୁଣି ଥରେ ଡାକ୍ତରୀ ଟିକ ଡଙ୍ଗରିଆ ଗାଁକୁ ଯିବ ବୋଲି ଜଣାପଡିଛି ।
ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ପାର୍ସାଲିରେ କରାଯାଇଥିବା କଂଟେନମେଂଟ ଜୋନକୁ ମଧ୍ୟ ଭାଙ୍ଗିଦେଇଛନ୍ତି ଡଙ୍ଗରିଆ । ଯାହା ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଜଙ୍ଗଲକୁ ମହୁଲ ଓ ଆମ୍ବ ସଂଗ୍ରହ ପାଇଁ ଯାଉଥିବା ବେଳେ କରୋନା ଅଧିକ ବ୍ୟାପିବାର ଆଶଙ୍କା ରହିଛି । ଆଗକୁ ସ୍ଥିତି ମଧ୍ୟ ଅଧିକ ଖରାପ ହୋଇପାରେ । ତେଣୁ ଯଥାଶୀଘ୍ର ସମସ୍ତଙ୍କର ସ୍ୱାବ ସଂଗ୍ରହ କରାଯାଇ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ଚିକିତ୍ସା କରିବା ଜରୁରୀ