୧୦୦ ଫୁଟରେ ୧୦୦ ଫାଟ…
ରାଜଧାନୀର ଗର୍ବ ବମିଖାଲ ରେଲୱେ ଓଭରବ୍ରିଜ । ଇଂଜିନିୟରିଂ ପାଠର ସମ୍ପୂର୍ଣ ପରିପନ୍ଥୀ ଏହି ଫ୍ଲାଏ ଓଭର କିଏ ଓ କାହିଁକି ତିଆରି କଲା ଏବେ ବି ବୁଝିପାରୁନାହାନ୍ତି ଭୁବନେଶ୍ୱରବାସୀ । ଟ୍ରାଫିକ ନିୟମକୁ ଜଳାଞ୍ଜଳି ଦେଇ, ନିଜ ଜୀବନକୁ ପାଣି ଛଡେଇ ଯିବା ଆସିବା ସିନା କରୁଛନ୍ତି କିନ୍ତୁ ଜାଣିନାହାନ୍ତି କୋଉପଟେ ଗଲେ କୋଉଠି ପହଞ୍ଚିବେ । କିନ୍ତୁ କିଛି ଦିନ ପୂର୍ବରୁ ଚର୍ଚ୍ଚାରେ ଥିଲା ଏହି ପ୍ରକଳ୍ପ । ଏବେ କିନ୍ତୁ ସାମାନ୍ୟ ଜ୍ଞାନ ଥିବା ଲୋକ ଯଦି ନିରେଖି ଦେଖିବ ତେବେ ସେ ଭଲ ଭାବେ ଜାଣିପାରିବ ଦୋଷ କାହାର ।

ଆମେ ଆଗରୁ ମଧ୍ୟ ଏହି ବ୍ରିଜ ନିର୍ମାଣ କେଲେଙ୍କାରୀକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛୁ । କିଛି ଅସାଧୁ ଇଞ୍ଜିନିୟର କେମିତି ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ରାଜଧାନୀରେ ମଧ୍ୟ ଦୁର୍ନୀତିର ପସରା ମେଲେଇ ପାରନ୍ତି ତାର ପ୍ରମାଣ ଦେଇଛୁ । ଏବେ ସେହି ଦୁର୍ନୀତିର ରଙ୍ଗ ଧୀରେ ଧୀରେ ସ୍ପଷ୍ଟ ବାରି ହେଉଛି । ପୂର୍ତ୍ତ ବିଭାଗର କଳା କାରନାମା କେତେ ଗହୀରକୁ ଯାଇଛି ତାହା ବୁଝିହେଉଛି । ବ୍ୟାପିନୀକୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ରିଜର ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାର ସଂସ୍ଥା ୩୧ ମାର୍ଚ୍ଚ ୨୦୧୮ରେ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦେଇଥିଲା । ଅର୍ଥାତ ଚୁକ୍ତି ସମୟ ଅବଧି ସରିଯାଇଥିବାରୁ କଣ୍ଟ୍ରାକ୍ଟରଠାରୁ ବ୍ରିଜକୁ ବିଭାଗ ନିଜ ଅଧୀନକୁ ନେଇଯାଇଥିଲା । କିନ୍ତୁ ସେତେବେଳକୁ ବ୍ରିଜ କାମ ସମୂର୍ଣ୍ଣ ହୋଇନଥିଲା । ଏକାମ୍ର ଟକିଜ ପାର୍ଶ୍ଵରେ ପାଖାପାଖି ୧୦୦ଫୁଟର କାମ ଓ ତା ତଳେ ଥିବା ନାଳର କାମ ବାକି ଥିଲା । ପୂର୍ତ୍ତ ବିଭାଗ ନିଜ ଅଧୀନକୁ ନେବା ପରେ ନିଜେ ସେହି କାମ କରିଥିଲା । ତତ୍କାଳୀନ ପୂର୍ତ୍ତ ସଚିବ ନଳୀନି ପ୍ରଧାନ, ଯନ୍ତ୍ରିମୁଖ୍ୟ ଓମ ପ୍ରକାଶ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟ ବିଭାଗୀୟ ଇଞ୍ଜିନିୟର ମାନେ ଏହି ବ୍ରିଜକୁ ସମ୍ପୂର୍ଣ କରିଥିଲେ । ଯାହାକୁ ୨୦ ଫେବୃଆରୀ ୨୦୧୯ରେ ଲୋକାର୍ପଣ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଏବେ ବ୍ରିଜର ସେହି ୧୦୦ଫୁଟ ଭିତରେ ସୃଷ୍ଟି ହେଲାଣି ଅନେକ ଫାଟ । ଏପରିକି ତଳେ ଥିବା ଡ୍ରେନର ଛାତ ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ । ପିଚୁ ଉଠି ଆଁ କଲାଣି ରାସ୍ତା । କେତେବେଳେ ଯେ ସେଠି ଦୁର୍ଘଟଣା ନଘଟିବ ସେ କଥା କେହି କହିପାରିବେନାହିଁ ।ମୂଳରୁ ଏହି ବ୍ରିଜ ବିବାଦୀୟ ହୋଇ ରହିଆସିଛି । ପ୍ରଥମେ ଡିଜାଇନ ତିଆରି କରିଥିବା ପୂର୍ବତନ ପୂର୍ତ୍ତ ସଚିବ ଶୁଭେନ୍ଦୁ ରାୟ ଓ ତାଙ୍କ ଅନୁଗତ ଯନ୍ତ୍ରିମୁଖ୍ୟ ବିଜନ ବେହେରା ଏହି ବ୍ରିଜ ନିର୍ମାଣ ଆରମ୍ଭରୁ ହିଁ ଦୁର୍ନୀତିର ଚାରା ପୋତିଥିଲେ । ଆଉ ତାଙ୍କ ପରେ ଏହି କେଳେଙ୍କାରୀକୁ ଆଗେଇ ନେଇଥିଲେ ପରବର୍ତ୍ତୀ ସଚିବ ନଳୀନି ପ୍ରଧାନ ଓ ଯନ୍ତ୍ରୀ ଓମ ପଟେଲ ।

ଏବେ ପ୍ରଶ୍ନ ଉଠୁଛି ଏହି ୧୦୦ଫୁଟର କାମରେ ୧୦୦ ଫାଟ ପାଇଁ ଦାୟୀ କିଏ ? ଜନସଧାରଣଙ୍କ ସୁବିଧା ପାଇଁ ସରକାର ଟଙ୍କା ଖର୍ଚ୍ଚ କଲେ । ହେଲେ ଏହି ନିମ୍ନମାନର କାମ ପାଇଁ ବିଭାଗୀୟ ଇଞ୍ଜିନିୟର କାହିଁକି ଦାୟୀ ନହେବେ ? ରାଜ୍ୟର ସଶନଭାର ଏକ ଲୋକପ୍ରିୟ ସରକାର ହାତରେ ଥିବାରୁ କିଛି ଦୁର୍ନୀତିଗ୍ରସ୍ତ ଅଫିସର ଓ ଇଞ୍ଜିନିୟର ଏହାକୁ ଢାଲ କରି ସରକାରୀ ଟଙ୍କାକୁ ହଡପ କରୁଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି । କାରଣ ସେମାନେ ଜାଣିଛନ୍ତି ସାଧାରଣ ଲୋକ ନବୀନଙ୍କ ସାଶନ ଉପରେ ଏତେ ଆସ୍ଥା ପ୍ରକଟ କରିଛନ୍ତି ଯେ ଏହି ଦୁର୍ନୀତି ଲୋକଙ୍କ ନଜର ଆଢୁଆଳରେ ରହିଯିବ ଆଉ ସେମାନେ ନିଜ ପକେଟ ଗରମ କରିଚାଲିଥିବେ । ୫ଟି ସରକାର ନିଶ୍ଚିତ ଏହି ବାବୁ ମାନଙ୍କୁ ଲଗାମ ଦେବେ ବୋଲି ଆଶା ।