ଖର୍ଚ୍ଚ କରିଛି ଖାଇବି…..
ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିଛି, ସେଥିପାଇଁ ପାଞ୍ଚ ବର୍ଷ ଯାଏଁ ଲୋକଙ୍କ କଲ୍ୟାଣ ପାଇଁ ଆସୁଥିବା ଟଙ୍କା ନିଜେ ତଥା ନିଜର କିଛି ଚାମଚା ମିଶି ହରିଲୁଟ କରିବୁ । ସର୍ବସମ୍ମୁଖରେ ଏମିତି ଦମ୍ଭକ୍ତି ରଖିଛନ୍ତି ଜଣେ କୁଜି ନେତା । ଲୋକଙ୍କ ସ୍ୱାର୍ଥକୁ ପଛରେ ପକାଇ ଦିନ ଦିପହରରେ କରିଚାଲିଛନ୍ତି ଦୁର୍ନୀତି । ଏମିତି ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଉପକଣ୍ଠରେ ଥିବା ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମଣକୁଦ ପଞ୍ଚାୟତରେ ।
ବ୍ୟାପିନୀକୁ ମିଳିଥିବା ସୂଚନା ଅନୁସାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ଆମଣକୁଦ ପଞ୍ଚାୟତବାସୀ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ । କାରଣ ସେମାନେ ଭାବିଥିଲେ ଯେ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବରେ ରହି ନିଜ ଅଂଚଳର ବିକାଶ କରିବେ ଏହି ସରପଞ୍ଚ । ଏହାରି ଭିତରେ ନିର୍ବାଚନକୁ ପାଞ୍ଚ ବର୍ଷ ପୁରିବାକୁ ଯାଉଛି । ଏପରିକି ପୁଣି ଥରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଇଗଲାଣି । କିନ୍ତୁ ବାବୁ ସରପଞ୍ଚ ଅଞ୍ଚଳର ଉନ୍ନତି କରିବା ଦୁରର କଥା, ଦୁର୍ନୀତିର ଗନ୍ତାଘର ପଲଟିଗଲେଣି । ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ସ୍ଥାନୀୟ ଜଣେ ମହିଳା ପ୍ରଶାସନିକ ଅଧିକାରୀ । ଆରଟିଆଇ ଜରିଆରେ ମିଳିଥିବା ତଥ୍ୟ ଅନୁସାରେ, ମନରେଗା ଠାରୁ ଆରମ୍ଭ କରି ନଳକୂପ ଖନନ ଓ ଫନି ବାତ୍ୟା ସହାୟତା ଠାରୁ ଆରମ୍ଭ କରି କୋଭିଡ ପରିଚାଳନା ସବୁଥିରେ ବିପୁଳ ପରିମାଣର ସରକାରୀ ସହାୟତାକୁ ଆତ୍ମସାତ କରାଯାଇଛି । ନିଜେ ସରପଞ୍ଚ ନିଜର କିଛି ଅନୁଗତଙ୍କ ସହାୟତାରେ ବ୍ୟାପକ ଫଲସ ବିଲ କରି ସରକାରୀ ଟଙ୍କାକୁ ହରଣଚାଳ କରିଛନ୍ତି । ଆଉ କୁହାଯାଉଛି ବ୍ଲକ ଅଫିସରେ ଥିବା ଜଣେ ମହିଳା ପ୍ରଶାସନିକ ଅଧିକାରୀ ହେଉଛନ୍ତି ଏହାର ମୁଖ୍ୟ କାର୍ପଟଦାର । ବଡ ଧରଣର ପିସି ନେଇ ସେ ଏହି ଦୁର୍ନୀତିକୁ ପ୍ରଶ୍ରୟ ଦେଇଛନ୍ତି ।
ବ୍ୟାପୀନି ପ୍ରତିନିଧି ଆହୁରି ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ସମ୍ପୃକ୍ତ ସରପଞ୍ଚ ଏବେ ବିରୋଧୀ ବିଜେପି କ୍ୟାମ୍ପ ସହ ହାତ ମିଳାଇଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏକାନ୍ତ ଘନିଷ୍ଠ ବୋଲି ଦାବି କରି ଦାଦାଗିରି କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ତ ଦୂର କଥା, ବିଧାୟକ ଅରବିନ୍ଦ ଢାଲିଙ୍କୁ ମଧ୍ୟ ଖାତିର କରୁନାହାନ୍ତି । ପଞ୍ଚାୟତର ସମସ୍ତ ଉନ୍ନତିମୂଳକ କାମ ଠପ ହେଇଯିବା ସହ ବ୍ୟାପକ ଦୁର୍ନୀତି ଦେଖି ଅଞ୍ଚଳବାସୀଙ୍କ ପାଇଁ ଏବେ ବାର ଦୁଆର ଶୁଣ୍ଢି ପିଣ୍ଡା ହେବା ଛଡା ଆଉ କିଛି ଉପାୟ ନାହିଁ । ବିଧାୟକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ଅଭିଯୋଗ କଲେ ମଧ୍ୟ ଦୀପ ତଳ ଅନ୍ଧାର ପରି ଦୁର୍ନୀତିରେ ଉବୁଟୁବୁ ହେଉଛି ରାଜଧାନୀର ଅନତି ଦୂରରେ ଥିବା ଏହି ପଞ୍ଚାୟତ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସରପଞ୍ଚ ସିଧା ସଳଖ କହୁଛନ୍ତି ଖର୍ଚ୍ଚ କରି ଜିତିଛି ତେଣୁ ଖାଇବି । କୋଭିଡ ମହାମାରୀ ସମୟରେ ଜଣେ ଲୋକପ୍ରତିନିଧିଙ୍କର ଏହି କେଲେଙ୍କାରୀ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଉଛି । ସମସ୍ତ ପ୍ରକାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଲୋକ ଏବେ ୫ଟି ଉପରୁ ମଧ୍ୟ ଆସ୍ଥା ହରେଇବାକୁ ବସିଲେଣି ।
ଆମଣକୁଦ ପଞ୍ଚାୟତବାସୀଙ୍କ ମନରେ ଏବେ ଯେଉଁ ସବୁ ପ୍ରଶ୍ନ ଉଙ୍କିମାରୁଛି,ସେଗୁଡିକ ହେଲା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କେତେ ମିଥ୍ୟା ବିଲ କରି ଟଙ୍କା ହଡପ କରାଯାଇଛି ? ଫନି ବାତ୍ୟାର ଅନୁଦାନ କ୍ଷତିଗ୍ରସ୍ତଙ୍କ ପାଖରେ ନପହଂଚି ଗଲା କୁଆଡେ ? ବିଦ୍ୟୁତୀକରଣ ପାଇଁ ଆସିଥିବା ସହାୟତା ଟଙ୍କା ବିଲ ହୋଇଥିବା ବେଳେ ଲାଇଟ ବ୍ୟବସ୍ଥା କାହିଁକି ହେଇନି ? ରାଜ୍ୟ ସରକାର କୋଭିଡ ମୁକାବିଲା ପାଇଁ ଦେଇଥିବା ସହାୟତାକୁ ଖାଇଲା କିଏ ? ନଳକୂପ ପାଇଁ ଆସିଥିବା ଟଙ୍କା ଉଠାଯାଇଥିବା ବେଳେ କାମ କାହିଁକି ହେଇନି ? ଏମିତି କିଛି ଅସମାହିତ ପ୍ରଶ୍ନ ସମ୍ପୃକ୍ତ ପଞ୍ଚାୟତରେ କେତେ ଯେ ଦୁର୍ନିତୀ ହେଇଛି ତାହାକୁ ଅନୁମାନ କରିବାକୁ ଯଥେଷ୍ଟ । ଏବେ ତୁରନ୍ତ ସରକାର ଏହାର ତଦନ୍ତ କରି କୋଟି କୋଟି ଟଙ୍କାର ଏହି ଦୁର୍ନୀତିର ପର୍ଦାଫାଶ କରିବାକୁ ଓ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।