କୋଉଠି କୋଭିସିଲ୍ଡ, କୋଉଠି କୋଭାକ୍ସିନ?
ଆଉ ଦୁଇ ଦିନ ପରେ ଅର୍ଥାତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବଡ଼ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିବେ । ଏଥିପାଇଁ ଦେଶର ସମସ୍ତ ରାଜ୍ୟକୁ ଟିକା ପଠାସରିଛି । ଓଡିଶା ମଧ୍ୟ ଏଥିପାଇଁ ପ୍ରସ୍ତୁତି ଅଛି । ଓଡିଶାରେ ଦୁଇ ପ୍ରକାରର ଟିକା ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । କେବେଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ । ଏବଂ ଅନ୍ୟ ଜିଲ୍ଲାରେ କୋଭିସିଲ୍ଡ ଟକା ଦିଆଯିବା ନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।
କୋଭିସିଲ୍ଡ ଟିକା ପରେ ରାଜ୍ୟରେ ଦେଶୀ ଟିକା ଭାରତ ବାୟୋଟେକ୍ର କୋଭାକ୍ସିନ ପହଚିଂସାରିଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ଭାରତ ବାୟୋଟେକର ଏହି ଟିକା କେବଳ ଭୁବନେଶ୍ୱରରେ ଦିଆଯିବ । ବାକି ଜିଲ୍ଲା ମାନଙ୍କରେ କୋଭିସିଲ୍ଡ ଟିକା ଦିଆଯିବ । କୋଭାକ୍ସିନର ୨୦ ହଜାର ଡୋଜ ଆସି ଓଡିଶାରେ ପହଚିଂଛି । ରାଜ୍ୟରେ ମୋଟ ୪ ଲକ୍ଷ ୮୦ ହଜାର ଡୋଜ ଟିକା ପହଚିଂଛି ।୨୮ ଦିନ ବ୍ୟବଧାନରେ ଦୁଇଟି ପର୍ୟ୍ୟାୟରେ ୨ ଲକ୍ଷ ୧୪ ହଜାର ଲୋକଙ୍କୁ ଟିକା ଦିଆଯାଇପାରିବ । ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ୩ ଲକ୍ଷ ୩୮ ହଜାର ୭୭୭ ଜଣ ସ୍ୱାସ୍ଥ୍ୟକର୍ମୀ ତାଲିକାଭୁକ୍ତ ହୋଇଛନ୍ତି । ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ପ୍ରଥମ ପର୍ୟ୍ୟାୟରେ ଟିକା ଦେବାକୁ ସ୍ଥିର ହୋଇଛି । ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଟିକାକରଣ ହେବ । ଗୋଟିଏ ଦିନରେ ସର୍ବାଧିକ ୧୦୦ଜଣ ଗୋଟିଏ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ । ପଞ୍ଜିକରଣ ଦିନ ହିଁ ଟିକା ଦିଆଯିବା ନହେଲେ ପଞ୍ଜିକୃତ ବ୍ୟକ୍ତି ଜିଲ୍ଲା ଅଧିକାରୀଙ୍କୁ ଜଣାଇବେ ।ରାଜ୍ୟ ଟିକା ଭଣ୍ଡାରରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାକୁ ଟିକା ପର୍ଯ୍ୟାୟକ୍ରମେ ପଠାଯାଉଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀ ଟିକାକରଣ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।