ପଶ୍ଚିମ ଓଡିଶାକୁ କରୋନା ଭୟ
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ପଶ୍ଚିମଓଡିଶାକୁ ଘାରିଛି କରୋନା ଭୟ । ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ନୂଆପଡାରୁ । ଗତ ୨୪ ଘଂଟାରେ ରାଜ୍ୟରେ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରୁ ସର୍ବାଧିକ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ଭିତରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।
ଛତିଶଗଡ ପାଇଁ ନୂଆପଡାରେ ବଢୁଛି ବିପଦ । ସଂକ୍ରମଣ ବଢିବା ପରେ ଖରିଆର ରୋଡକୁ ଲାଗିଥିବା ସୀମାରେ ପୁଲିସ ଯାଂଚ ବ୍ୟବସ୍ଥା କଡାକଡି କରାଯାଇଛି । ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଥିବା ଗୋଟେ ପରିବାରର କିଛି ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି ଛତିଶଗଡ଼ରେ ସଡ଼କ ସୁରକ୍ଷା ବିଶ୍ୱ ସରିଜ ଭାରତ ଶ୍ରୀଲଙ୍କା ଭିତରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବା ପାଇଁ ନୂଆପଡାରୁ ଅନେକ ଲୋକ ଯାଇଥିଲେ । ତେଣୁ ଏହା କରୋନା ସଂକ୍ରମଣକୁ ବଢାଇପାରେ ବୋଲି ଆଶଙ୍କା କରାଯାଉଛି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମଧ୍ୟ କୋଭିଡ କଟକଣା ଜାରି କରିଛି । ଚଳିତ ବର୍ଷ ହେବାକୁ ଥିବା ଦୋଳ ଉତ୍ସବରେ କଟକଣା ଜାରି କରାଯାଇଛି । ଯେଉଁ ଲୋକ ଛତିଶଗଡ, ମହାରାଷ୍ଟ୍ର,କେରଳ, ରାଜସ୍ଥାନରୁ ଫେରିଥିବେ ସେମାନେ ୭ ଦିନ ଗୃହ ସଂଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଛି ।
ସେପଟେ ରାଉରକେଲା ଏନଆଇଟିରେ ୩ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୟାମ୍ପସ ପରିସରରେ ସେମାନଙ୍କୁ ସଂଗରୋଧରେ ରଖାଯାଇଛି । ମାର୍ଚ୍ଚ ୧୦ରେ ଜଣେ, ୧୫ ଓ ୨୨ ତାରିଖରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ଦିନ ତଳେ ଏନଆଇଟି ରାଉରକେଲା ନିଜର ସମାବର୍ତ୍ତନ ଉତ୍ସବ ପାଳନ କରିଥିଲା । ଏଥିରେ ରାଷ୍ଟ୍ରପତିଙ୍କ ସହ ଓଡିଶାର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ତେଣୁ ଏହି ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଛି ।