THE BYAPINI

ପିପିଲି ପାଲଟିବ କି ସୁପରସ୍ପ୍ରେଡର !

Get real time updates directly on you device, subscribe now.

ଜିନ୍ଦାବାଦ, ଜିନ୍ଦାବାଦ… ଶଙ୍ଖ ଚିହ୍ନ ଜିନ୍ଦାବାଦ… । ଜିତିବିରେ ଜିତିବ ହାତ ଚିହ୍ନ ଜିତିବ… । ପଦ୍ମ ଫୁଟିବ, ପିପିଲି ହସିବ… ନେତାଙ୍କ ନାରାବାଜିରେ ଏବେ ଏମିତି କମ୍ପୁଛି ପିିପିଲି । ସବୁଠି ପ୍ରଚାର, ଚାରିଆଡେ ପୋଷ୍ଟର ବ୍ୟାନର, ଗଳି କନ୍ଦିରେ ଏଦଳର ନେତା ସେ ଦଳର ନେତାଙ୍କ ରାଲି, ଡୋର ଟୁ ଡୋର କ୍ୟାମ୍ପେନ । ହାତରେ ମାତ୍ର ୧୦ରୁ ୧୨ ଦିନ ଥିବାରୁ ଏବେ ପ୍ରଚାରରେ ପଡୁଛି ଉଠୁଛି ପିପିଲି । ରାଜନୀତିର କ୍ଷମତାକେନ୍ଦ୍ର ରାଜଧାନୀରୁ ଏବେ ନେତା, ମନ୍ତ୍ରୀଙ୍କ ଗାଡି ସିଧା ଛୁଟୁଛି ପିପିଲି ଅଭିମୁଖେ । ଡର ରହିଛି ଯଦି ପ୍ରଚାର ନହେବ ପରାଜୟ ଥୟ । ତେଣୁ ବିଭିନ୍ନ ଦଳର ମାଳମାଳ ନେତା ଏବେ ପିପିଲିରେ କ୍ୟାମ୍ପ କରି ରହିଛନ୍ତି । ପିପିଲି ବାଜି ଜିତିବାକୁ ସବୁ ଦଳର ପ୍ରାଣମୂର୍ଛା ଉଦ୍ୟମ ଚାଲିଥିବା ବେଳେ ପିପିଲି ସୁପରସ୍ପ୍ରେଡର ହେବାର ଆଶଙ୍କା ବଢାଇଛି । ନିର୍ବାଚନୀ ମାହୋଲ ଭିତରେ ସଂକ୍ରଣ ବଢିବା ନେଇ ସବୁଠୁ ଚିନ୍ତା ଜନକ କଥାଟିଏ ସାମ୍ନାକୁ ଆସିଛି ।

ପିପିଲିରେ ପ୍ରଚାର ବେଳେ ନା ବିଜେପି, ନା ବିଜେଡି, ନା କଂଗ୍ରେସ । ପୁରୁଖା ନେତାଠୁ ହେଭିୱେଟ ମନ୍ତ୍ରୀ । କର୍ମୀଙ୍କ ଠାରୁ ଖୋଦ ପ୍ରାର୍ଥୀଙ୍କ ମୁହଁରେ ବି ମାସ୍କ ରହୁନି । ନା ସାମାଜିକ ଦୂରତା ନା କୋଭିଡ ନିୟମ ଭୋଟ ପାଇଁ ସତେ ଯେମିତି ଭୂତାଣୁ ଏଠି କିଛି ଦିନ ପାଇଁ ଭାଇ ସାଜି ଯାଇଛି । ଏକାଠି ଖାଇବା ପିଇବା, ଏକାଠି ବୁଲିବା, ପ୍ରଚାର କରିବା ଭଳି ଚିତ୍ର ସାମ୍ନାକୁ ଆସୁଛି । କରୋନା କାଳରେ କୋଳାକୋଳି, ହାତ ମେଳାମେଳିର ଏ ଭୟଙ୍କର ଦୃଶ୍ୟ ଏକ ଆସନ୍ନ ବିପଦକୁ ହୁଇସିଲ ମାରି ଡାକୁଛି । ବାରୁଦ ଗଦାରେ ନିଆଁ ଲଗାଇବା ଭଳି କାମ ଚାଲିଛି । ତେଣୁ ବେଳ ହୁଁ ସାବଧାନ ନହେଲେ ବିଗିଡି ଯିବ ସ୍ଥିତି । ପିପିଲି ପାଇଁ ସଙ୍କଟରେ ପଡିବ ରାଜ୍ୟବାସୀଙ୍କ ପ୍ରାଣ । ଭୋଟ ସିନା ରାଜନେତା ପାଇବେ ହେଲେ ଲୋକେ ପାଇବେ ଭୂତାଣୁ । ତେଣୁ ବେଳ ଥାଉ ଥାଉ ସରକାର କିମ୍ବା ଜିଲ୍ଲା ପ୍ରଶାସନ କଠୋର ନହେଲେ ପରିଣାମ ହେବ ଭୟାବହ । ନେଡି ଗୁଡ କହୁଣୀକୁ ବହିଯିବ । ବର୍ଷକର ତପସ୍ୟା ଶୁଖୁଆ ପୋଡାରେ ଯିବ । କରୋନା ଯୋଦ୍ଧାଙ୍କ ତ୍ୟାଗ ବଳିଦାନ ବ୍ୟର୍ଥ ଯିବ । ରାଜନେତାଙ୍କ ପିପିଲି ସ୍ୱାର୍ଥ ପାଇଁ ପୂରା ରାଜ୍ୟବାସୀ ସଂକ୍ରମଣର ଶିକାର ହେବେ । ଏ ଆଶଙ୍କା ଏବେ ପିପିଲି ପ୍ରଚାରକୁ ଦେଖି ଆକଳନ କରାଯାଉଛି ।

କରମର୍ଦ୍ଦନ ହେଉଛି ହେଲେ ହାତରେ ସାନିଟାଇଜର କେହି ମାରୁ ନାହାନ୍ତି । ମୁହଁକୁ ମୁହଁ ଯୋଡି ରଣନୀତି ରଚୁଛନ୍ତି ହେଲେ ମୁହଁରେ କେହି ମାସ୍କ ପିନ୍ଧୁ ନାହାନ୍ତି । ଗଳି ଗଳି, ଗାଁ ଗାଁ, ଛକ ଛକ ସହରର ବଜାରେ ଏବେ ନେତା, କର୍ମୀଙ୍କ ଗହଳି । ସତେକି ପିପିଲିରେ ଏବେ ପର୍ବ ଚାଲିଛି । ପ୍ରଚାର ବେଳେ ଖଚାଖଚ ଭିଡ ଲାଗୁଛି । ସବୁଠାରୁ ବଡ କଥା ଯଦି ସେହି ଭିଡରେ ଜଣେ ପଜିଟିଭି ଥିବେ ତେବେ ଖାଲି ପିପିଲି କାହିଁକି ପୂରା ରାଜ୍ୟ ଏକ ବଡ ସଂକ୍ରମଣର ସାମ୍ନା କରିବ । ଆପଣ ଭାବୁଥିବେ ପିପିଲିରେ ପ୍ରଚାର ହେଉଥି ସାରା ରାଜ୍ୟ ପଜିଟିଭ ହେବ କେମିତି ? ପିପିଲିରେ ଏବେ ସବୁ ଦଳର ନେତାଙ୍କ ଭିଡ ଜମୁଛି । କେନ୍ଦ୍ରାପଡାରୁ କଳାହାଣ୍ଡି, ବାଲେଶ୍ୱରରୁ ବଲାଙ୍ଗୀର, ରାଜଧାନୀରୁ କଟକ । ସବୁ ଜିଲ୍ଲା, ସବୁ ସହରରୁ ନେତା ମାନେ ଏବେ ପିପିଲି ମୁହାଁ । ତାବାଦ ଭୁବନେଶ୍ୱରରୁ ନିଇତି ମାଳମାଳ ନେତା ପିପିଲିକୁ ଯାଆସ କରୁଛନ୍ତି । ତେଣୁ କେହି ଯଦି ସଂକ୍ରମିତ ହୁଏ ତେବେ ପୂରା ରାଜଧାନୀକୁ ବ୍ୟାପିବ କରୋନା । ତାସହ ବିଭିନ୍ନ ଜିଲ୍ଲାରେ ଜାଲ ବୁଣିପାରେ ପିପିଲି କରୋନା ।

ତେବେ କରୋନାର ୨ୟ ଲହର ଏବେ ଲହରୀ ପରି ମାଡିଆସୁଥିବା ବେଳେ ପିପିଲି ପ୍ରଚାର ଚିନ୍ତା ବଢାଇଛି । ଯେତେ ଭିଡ ହେବ ସେତେ ନିୟମ ଭାଙ୍ଗିବ । ତେଣୁ ପିପିଲିରେ ସରକାର କଟକଣା କୋହଳ କରିବା ଉଚିତ । ରାଜ୍ୟରେ ପୁଣି ୨ୟ ଦଫାରେ ଦୃତ ସଂକ୍ରମଣ ବଢୁଥିବାରୁ ଏବେ ସତର୍କ ରହିଛି ରାଜ୍ୟ । ମୁକାବିଲା ପାଇଁ ଅଣ୍ଟା ଭିଡିଲାଣି ସ୍ୱାସ୍ଥ୍ୟ ବିଭାଗ । କରୋନା ସହ ଲଢେଇ କରିବାକୁ ଲୋକଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା ନେଇ କଟକଣା ଲଗାଇଯାଇଥିବା ବେଳେ ପିପିଲି ପ୍ରଚାରରେ କୋଭିଡ ନିୟମର ଖୋଲା ଉଲ୍ଲଙ୍ଘନ ହେଉଛି । କିନ୍ତୁ ସବୁ ଜାଣି ପୋଲିସ, ପ୍ରଶାସନ, ସରକାର ଚୁପ ରହୁଛନ୍ତି ।

ଯେଉଁଠି ସାଧାରଣଲୋକକୁ ପୋଲିସ ଜଗି ପାରୁଛି, ଆକ୍ସନ ନେଇପାରୁଛି ତେବେ ନିୟମ ଭାଙ୍ଗୁଥିବା ନେତା, ମନ୍ତ୍ରୀଙ୍କ ଉପରେ କଣ ପାଇଁ ଆକ୍ସନ ନିଆଯାଉନି ? ମନ୍ତ୍ରୀ, ନେତାମାନେ କଣ ଆଇନରୁ ଉପରେ ? ନା ସେମାନଙ୍କୁ ବ୍ୟାପିବନି କରୋନା? ରାଜନୀତି ଆଗରେ ଜୀବନ ମୂଲ୍ୟ କଣ କିଛି ନୁହେଁ? ପିପିଲି ପାଇଁ ପଜିଟିଭ ହେବନି ତ ସାରା ରାଜ୍ୟ? ଭୂତାଣୁ ଭୟ ପାଇଁ ଭୋଟ ନିୟମ ଭିତରେ ହେବାକୁ ସମସ୍ତେ ଦାବି କରିଛନ୍ତି । ଯଦି କଟକଣା ନକରାଯାଏ ତେବେ ପିପିଲି ପାଲଟିବ ସୁପରସ୍ପ୍ରେଡର ।

Get real time updates directly on you device, subscribe now.

Leave A Reply

Your email address will not be published.