ଅଣ୍ଟା ଭିଡିଲା ବିଏମସି
ରାଜ୍ୟରେ ଦୈନିକ ସଂକ୍ରମଣ ରେକର୍ଡ କରିଥିବା ବେଳେ ୪ ଅଙ୍କ ଛୁଇଁଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ସବାର୍ଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ଅବସ୍ଥା ସବୁଠାରୁ ଖରାପ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬ହଜାର୧୬୪ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ରହିଛନ୍ତି । କରୋନା ମୁକାବିଲା ପାଇଁ ଏବେ ଅଂଟାଭିଡିଛି ବିଏମସି । ଭୁବନେଶ୍ୱରରେ କଟକଣା ଆହୁରି କଡାକଡି କରାଯାଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ରାପିଡ଼ ରେସ୍ପନସ ଟିମ ।
ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍ସି ଆଉ ଏକ ବଡ଼ ପଦକ୍ଷେପ ନେଇଛି। ସ୍ମାର୍ଟସିଟିର ସମସ୍ତ ପାର୍କରେ ବିଏମ୍ସି ତରଫରୁ କଟକଣା ଲାଗୁ କରାଯାଇଛି । ବିନା ମାସ୍କରେ ପାର୍କରେ ପ୍ରବେଶ ଉପରେ ରୋକ ଲଗାଇଛି ବିଏମ୍ସି। ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ପାର୍କରେ ମଧ୍ୟରେ ୬ଫୁଟ ଦୂରତା ବାଧ୍ୟତାମୂଳକ । ପାର୍କ ଭିତରେ ଗୁଟଖା ଓ ପାନ ଖାଇ ଅଥବା ଏଣେତେଣେ ଛେପ ପକାଇବା ମନା। ମୁକ୍ତ ବ୍ୟାୟାମ କେନ୍ଦ୍ର ଓ ପିଲାଙ୍କ ଖେଳଣା ସାମଗ୍ରୀ ବ୍ୟବହାର ଉପରେ ରୋକ ଲଗାଯାଇଥିବା ବେଳେ ସବୁ ପାର୍କରେ ବିଏମସି ପକ୍ଷରୁ ନୋଟିସ ଲଗାଯାଇଛି । ପରବର୍ତ୍ତୀ ନିର୍ଦେଶନାମା ପର୍ୟ୍ୟନ୍ତ ବଳବତ୍ତର ରହିବ ଏହି କଟକଣା। ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା।
ସେପଟେ ହାଟ ଗୁଡିକରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଅଧିକ ରହିଥିବାରୁ ୟୁନିଟ-୧ ହାଟ, ୪ନମ୍ବର ହାଟ, ଇନ୍ଦ୍ରଧନୁ ନଗର ହାଟ, ନୟାପଲ୍ଲୀ ଓ ସୁନ୍ଦରପଦା ଆଦି ହାଟକୁ ସ୍ଥାନାନ୍ତର କରାଯାଉଛି। ଏଣିକି ଖୋଲା ସ୍ଥାନରେ ବ୍ୟବସାୟ କରାଯିବ। ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ବିଏମ୍ସି।
ସେହିପରି ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ରାପିଡ଼ ରେସ୍ପନସ ଟିମ । ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ ହୋଇଛି। ପ୍ରତି ଜୋନ ପାଇଁ ୧୩ଟି ଲେଖାଏଁ ଟିମକୁ ଦାୟିତ୍ୱ ଦିଆଯାଇଛି । ପ୍ରତି ଟିମରେ ଅଛନ୍ତି ଜଣେ ଡାକ୍ତର, ଜଣେ କୋଭିଡ ସଚେତକ ଓ ଏଏନ୍ଏମ । ଏହି ଟିମ୍ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ୟ୍ୟରେ ନିୟୋଜିତ ରହିଛନ୍ତି। ପୂର୍ବରୁ ପ୍ରତି ଜୋନରେ ୮ଟି ଲେଖାଏଁ ହିସାବରେ ୨୪ଟି ରାପିଡ଼ ରେସ୍ପନସ ଟିମ ଥିଲା । ବର୍ତ୍ତମାନ ସେହି ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଞ୍ଚିଛି। ସେହିପରି କଣ୍ଟା ଟ୍ରେସିଂ ଟିମ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା ୧୮ରୁ ୨୮କୁ ବୃଦ୍ଧି ପାଇଛି ।