ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ
ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାର ଛାନ୍ଭିନ୍ । ମୃତ୍ୟୁ ମାମଲାର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । କ୍ରାଇମ୍ବ୍ରାଞ୍ଚ ଟିମ୍ ଘଟଣାର ପ୍ରକୃତ ସତ୍ୟାସତ୍ୟ ପାଇଁ ଜାରି ରଖିଛି ପ୍ରୟାସ । ୨ ଦିନ ତଳେ କ୍ରାଇମବ୍ରାଞ୍ଚର ଚାରିଜଣିଆ ଟିମ୍ ଗଡମୃଗଶିରା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ବୟାନ ରେକର୍ଡ କରିଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ମଧ୍ୟ ଟିଖନିଖ୍ ଭାବେ ଯାଞ୍ଚ କରିଥିଲେ।ଦୁଇ ତିନିଟି ପ୍ରଶ୍ନ ତଦନ୍ତକାରୀ ଅଧିକାରୀଙ୍କ ମନକୁ ଘାରିଛି । ଘଟଣା ଦିନ ରାତିରେ ମଦ କିଣିବା ପାଇଁ ଜଗା ଓ ଚିତରଞ୍ଜନ ଦୁହେଁ ବାହାରିଥିଲେ । ପୁରୀ ସହର ଅଠରନଳା କିମ୍ବା ବ୍ରହ୍ମଗିରି ରାସ୍ତାରେ ମଦ ମିଳୁଥିବା ବେଳେ ସେମାନେ ଜମାରସୁଆଁ ଆଡେ କାହିଁକି ଯାଇଥିଲେ? ସେହିପରି ଜଗାର ବୟାନ ଅନୁଯାୟୀ, ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା । ପରେ ଜଗନ୍ନାଥ ମତ ବଦଳାଇ କିଛି ଜାଣି ନଥିବା କହିଥିଲା । ଦୁର୍ଘଟଣା ସ୍ଥଳ ଠାରୁ ନୂଆ ନଈ ପ୍ରାୟ ୩୦ରୁ ୪୦ ମିଟର ଦୂରରେ ରହିଛି । ସେଠାରୁ ସେ ପାଣି ଭିତରକୁ କିପରି ଗଲେ? ଏପରି ଅନେକ ପ୍ରଶ୍ନକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।
ମୃତ ଚିତ୍ତରଞ୍ଜନଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ପୁରୀ ବାସେଳିସାହି ଥାନାରେ ଅଟକ ଥିବା ଚିତ୍ତଙ୍କ ସହଯୋଗୀ ଜଗା, ଦିଲ୍ଲୀପ ପଲେଇ, ସର୍ବେଶ୍ୱର ଜେନାଙ୍କ ସହ ଆଉ ଦୁଇଜଣଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ମାରାଥନ୍ ଜେରା କରି ପରେ ପରେ ଜଗା ବ୍ୟତୀତ ଏହି ଚାରି ଜଣଙ୍କ ଅଟକ ରଖି ପୋଲିସ ଛାଡିଦେଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି । ଶୁକ୍ରବାର ଦିନ କ୍ରାଇମବ୍ରାଞ୍ଚ ଟିମ୍ ଚିତ୍ତଙ୍କ ସହଯୋଗୀ ଜଗାର ପୁରୀ ମାଟିଆପଡା ସ୍ଥିତ ଭଡା ଘରକୁ ଆସି ପଡୋଶୀ ଲୋକଙ୍କ ବୟାନ ରେକର୍ଡ କରିଥିବା ବେଳେ ଜଗାର ଘର ଭିତରକୁ ଯାଇ ତନତନ କରି ଯାଞ୍ଚ କରିଥିଲେ। ଚିତରଞ୍ଜନଙ୍କ ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇଥିବାବଳେ ପ୍ରତିକ୍ରିୟା ରଖିଛନ୍ତି ଚିତଙ୍କ ସ୍ତ୍ରୀ ସୁଭଦ୍ରା ପଲେଇ । ସେ କହିଛନ୍ତି, ତଦନ୍ତକାରୀ ସଂସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଭରସା ଅଛି । ଚିତଙ୍କ ମୃତ୍ୟୁକୁ ନେଇ ରାଜନୀତି କରାନଯାଉ । ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ଉପରେ ମଧ୍ୟ ଭରସା ଅଛି ବୋଲି ସେ କହିଛନ୍ତି । ଯାହାକି ତଦନ୍ତକୁ ଭିନ୍ନ ମୋଡ ଦେଇଛି ।