ମୋ ଟିକା କିଏ ନେଲା?
ଭୁବନେଶ୍ୱରରେ ଥାଇ କଟକରେ ଟିକା । ହଁ ଆଜ୍ଞା ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଟକରେ ଟିକାକରଣ ବଡ ବିଭ୍ରାଟ ସାମନାକୁ ଆସିଛି । ଅର୍ଥାତ ହିତାଧିକାରୀ ଭୁବନେଶ୍ୱରରେ ଅଛନ୍ତି, ହେଲେ ତାଙ୍କ ନାଁରେ କଟକ ଇନଡୋର ଷ୍ଟାଡିୟମରେ ଟିକାକରଣ ହୋଇଛି । ଟିକା ନନେଇ ବି ତାଙ୍କ ମୋବାଇଲକୁ ମେସେଜ ଆସିଛି । କେବେଳ ଏତିକି ନୁହେଁ ଆରୋଗ୍ୟ ସେତୁ ଆପରେ ଟିକାକରଣ ସାର୍ଟିଫିକେଟ ବି ମିଳିଛି ।
କଟକ ବିଡାନାସୀ ଅଂଚଳର ଚନ୍ଦ୍ରିକା ଦାସ । ଭୁବନେଶ୍ୱର ରଘୁନାଥପୁର ଅଂଚଳରେ ସେ ନିଜ ଶାଶୁଘର ରୁହନ୍ତି । ହେଲେ, ସେ ଭୁବନେଶ୍ୱରରେ ଘରେ ଥିବା ଥିବା ବେଳେ ତାଙ୍କ ନାଁରେ କଟକରେ ଟିକା ନିଆଯାଇଥିବା ତାଙ୍କ ମୋବାଇଲକୁ ମେସେଜ ଆସିଥିଲା । ଏହା ପରେ ଆରୋଗ୍ୟ ସେତୁ ଆପରେ ଯାଂଚ ପରେ ତାଙ୍କ ନାଁରେ ପ୍ରଥମ ଡୋଜ ଟିକା ନେଇଥିବା ସାର୍ଟିଫିକେଟ ବି ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍କୃତିରେଖା ସାମଲ ନାମକ ମହିଳା ସ୍ୱାସ୍ଥ୍ୟକର୍ମୀ କଟକ ଇନଡୋର ଷ୍ଟାଡିୟମରେ ଏହି ଟିକା ଦେଇଥିବା ସାର୍ଟିଫିକେଟରେ ଉଲ୍ଲେଖ ରହିଛି । ଏହି ଘଟଣାରେ ପରେ ଚନ୍ଦ୍ରିକାଙ୍କ ବଡ଼ ଭାଇ ଚନ୍ଦନ ଦାସ ଅଭିଯୋଗ କରିବା ପରେ ଟିକାକରଣ ବିଭ୍ରାଟ ନେଇ ସାମନା ଆସିଛି । ଚନ୍ଦ୍ରିକା ଜମା ବି ଟିକା ନେଇନଥିବା ବେଳେ ଏବେ ସେ କିଭଳି ଟିକା ନେବେ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।