ସାଇକେଲ ଯାତ୍ରା ପଛର ସାହସିକ କାହାଣୀ
୫ ମାର୍ଚ୍ଚ ୨୦୨୧ । ଠିକ୍ ୧୦୫ ବର୍ଷ ପୂର୍ବେ ଓଡ଼ିଶା ମାଟିରେ ଜନ୍ମ ନେଇଥିଲେ ଜଣେ ବୀର ତଥା ସାହସୀ ସନ୍ତାନ । ଯିଏ ପରବର୍ତ୍ତୀ ସମୟରେ କଳିଙ୍ଗ ପୁତ୍ର ଭାବେ ପ୍ରତିଟି ଓଡ଼ିଶାବାସୀଙ୍କ ଘରେ ପରିଚିତ ହୋଇଥିଲେ । କେବଳ ଓଡ଼ିଶା ରାଜ୍ୟରେ ନୁହେଁ ଯାହାଙ୍କୁ ଦେଶ ବାହାରେ ମିଳିଛି ଭୂମିପୁତ୍ରର ସମ୍ମାନ । କେତେବେଳେ ସେ ଝଡର ଇଗଲ ସାଜି ଉଭା ହେଉଥିଲେ ତ ପୁଣି କେତେବେଳେ ବିକାଶର ବିନ୍ଧାଣୀ ସାଜି ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବାକୁ ସ୍ୱପ୍ନ ଦେଖିଥିଲେ । ସେ ଆଉ କେହି ନୁହଁନ୍ତି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଯାହାଙ୍କ ୧୦୫ତମ ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବାକୁ ଯାଇ ବିଜେଡି ପକ୍ଷରୁ କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ବିଶାଳ ସାଇକେଲ ଯାତ୍ରା କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ଓଡ଼ିଶାର ଯୁବଗୋଷ୍ଠୀଙ୍କ ମନରେ ସାହସୀ ବିଜୁ ପଟ୍ଟନାୟକଙ୍କ କିଛି ଅଭୁଲା ସ୍ମୃତିକୁ ତାଜା କରିବାକୁ ସାଇକେଲ ଯାତ୍ରାର ପରିକଳ୍ପନା କରାଯାଇଛି ।
ତେବେ ବିଜୁଙ୍କ ଜନ୍ମତିଥୀରେ ସାଇକେଲ ଯାତ୍ରା କରିବାକୁ କାହିଁକି ବା ଅଣ୍ଟା ଭିଡିଛି ବିଜେଡି । ସାଇକେଲ ଯାତ୍ରା ସହ ବିଜୁଙ୍କର କଣ ରହିଛି ସର୍ମ୍ପକ ? ତାହା ବି ପୁଣି କଟକର ଆନନ୍ଦ ଭବନରୁ । ଆଉ ଏହାର କାରଣ ଖୋଜୁ ଖୋଜୁ ଯଦି ଇତିହାସର ପୃଷ୍ଠା ଖେଳାଇବେ ତେବେ ବିଜୁଙ୍କ ଐତିହାସିକ ସାଇକେଲ ଯାତ୍ରା ବାବଦରେ ଆପଣ ଜାଣିପାରିବେ । ହଁ ଅଧିକାଂଶ ଓଡ଼ିଶାବାସୀ ଜାଣିଥିବେ ଯେ ବିଜୁ ଜଣେ ଦୁର୍ଦ୍ଦଷ ତଥା ସାହସୀ ପାଇଲଟ ଥିଲେ । କିନ୍ତୁ ଜଣେ ପାଇଲଟ ବା କାହିଁକି ସାଇକେଲ ଯାତ୍ରା କରିବେ ଏଭଳି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଉଠୁଥିବ । ତେବେ ଏହାର କାରଣ ଜାଣିବାକୁ ହେଲେ ବିଜୁଙ୍କ ଜୀବନୀର ସେହି ଅତୀତ ଇତିହାସକୁ ପୁଣିଥରେ ଲେଉଟାଇବାକୁ ପଡିବ ଆଉ ଫେରିଯିବାକୁ ପଡିବ ତାଙ୍କର କଲେଜ ଦିନକୁ । ୧୯୩୨ ମସିହା, ଖରାଦିନ । କଲେଜର ପ୍ରଥମ ବର୍ଷ ପରୀକ୍ଷା ଶେଷ ହୋଇଥାଏ, ମହାନଦୀ କୂଳରେ ବସିଥାନ୍ତି ତିନି ଯୁବକ ବିଜୁ ପଟ୍ଟନାୟକ ଓ ତାଙ୍କର ଦୁଇ ବନ୍ଧୁ ଭ୍ରମରବର ସାହୁ ଓ ଅମର ଦେ । ହଠାତ୍ ଏକ ରୋମାଞ୍ଚକର ଅଭିଯାନରେ ଓଡ଼ିଶା ବାହାରେ ଯିବାକୁ ତିନି ଜଣ ସ୍ଥିର କଲେ । ଆଉ ତାହା ବି ପୁଣି ଶୂନ ଗାଡି ବା ସାଇକେଲରେ । ଆଉ ଗନ୍ତବ୍ୟସ୍ଥଳ ଥିଲା ମାଇଲ ମାଇଲ ଦୂର ଘଞ୍ଚ ଅରଣ୍ୟ ପରିବେଷ୍ଟିତ ତଥା ପାହାଡଘେରା ପେଶୱାର ।
ପେଶୱାର ବାବଦରେ ବିଶେଷ କିଛି ଜାଣିନଥିଲେ ମଧ୍ୟ ନୂଆ ଅନୁଭୂତି ସାଉଁଟିବାକୁ ବାହାରି ପଡିଲେ ୩ ସାଙ୍ଗ । ମାଆଙ୍କ ବାରଣ ସତ୍ତ୍ୱେ ବାପାଙ୍କ ସହମତି ମିଳିବା କ୍ଷଣି କଟକରୁ ବାହାରିଥିଲା ସାହସୀ ପୁଅର ସାଇକେଲ । ବାଟରେ ଅନେକ ଘାତ ପ୍ରତିଘାତ ଆସିଥିଲା କିନ୍ତୁ ପେଶୱାରରେ ପହଞ୍ଚିବା ପୂର୍ବରୁ ପଛକୁ ନ ଫେରିବାର ତାଙ୍କୁ ଆପଣାଛାଏଁ ବାଟ କଢାଇ ନେଇଥିଲା । ତେବେ ପେଶୱାର ବାବଦରେ ଯାହା ଶୁଣିଥିଲେ ତାହାଠାରୁ ସୁନ୍ଦର ଥିଲା ଏହି ପାହାଡଘେରା ଅଞ୍ଚଳ । ଆଉ ପେଶୱାରରୁ ପୁଳାଏ ସ୍ମୃତି ନେଇ ପୁଣି କଳିଙ୍ଗ ମାଟିକୁ ଫେରିଥିଲେ ତିନି ସାଙ୍ଗ ।
କେବଳ ସାଇକେଲ ଯାତ୍ରା ନୁହେଁ ବିଜୁ ଏମିତି ଏନେକ ସାହସିକ କାର୍ଯ୍ୟ କରିଛନ୍ତି ଯାହା ହୁଏତ କୌଣସି ଫିଲ୍ମର କାହାଣୀ ଠାରୁ ବି କମ ନୁହେଁ । ଜଣେ ଦୁଦ୍ଦର୍ଷ, ବିଚକ୍ଷଣ ପାଇଲଟ ଭାବେ ବିଜୁ ଯେଉଁ ପରାକ୍ରମ ଦେଖାଇଛନ୍ତି ତାହାକୁ କେବଳ ଦେଶ ନୁହେଁ ବରଂ ପୂରା ବିଶ୍ୱ ମନେ ରଖିଛି । ୧୯୪୭ ଜୁଲାଇରେ ଇଣ୍ଡୋନେସିଆରେ ବିଜୁ ଯେଉଁ ସାହସିକତାର ପରିଚୟ ଦେଇଥିଲେ ତାହା ପୂରା ଦେଶ ସମେତ ବିଶ୍ୱବାସୀଙ୍କୁ ଚକିତ କରି ଦେଇଥିଲା । ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିବା ଇଣ୍ଡୋନେସିଆ ଏକ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିଲା । ଇଣ୍ଡୋନେସିଆ ନେତାଙ୍କୁ ଡଚ୍ ମାନେ ବନ୍ଦୀ କରି ରଖିଥିବା ବେଳେ ଏହାର ସୀମା ମଧ୍ୟକୁ ଅନ୍ୟ କେହି ପ୍ରବେଶ କରିବା ସହଜ ନଥିଲା । ତେଣୁ ଏଭଳି ସ୍ଥଳେ ଦିଲ୍ଲୀର ସାହାଯ୍ୟକୁ ଅପେକ୍ଷା କରିଥିଲା ଇଣ୍ଡୋନେସିଆ । କିନ୍ତୁ ଡଚ୍ ମାନଙ୍କ କବଳରୁ କିଏ ବା ଇଣ୍ଡୋନେସିଆ ନେତାଙ୍କୁ ମୁକୁଳାଇ ଆଣିପାରିବ ସେନେଇ ଆଲୋଚନା ଚାଲିଥିଲା । ଏଭଳି ସ୍ଥଳେ ବିଜୁ ପଟ୍ଟନାୟକଙ୍କୁ ଖୋଜିଥିଲେ ପଣ୍ଡିତ ନେହେରୁ । କାରଣ ଏହାପୂର୍ବରୁ ଅନେକ ଦୁଃସାହସିକ ମିଶନରେ ନିଜର ପରାକ୍ରମ ଦେଖାଇ ସାରିଥିଲେ ବିଜୁ । ଖାସକରି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଋଷୀୟ ସେନାଙ୍କୁ ଯେଉଁଭଳି ବିପଦପୂର୍ଣ୍ଣ ସ୍ଥିିତିରେ ବିଜୁ ସାହାଯ୍ୟ କରିଥିଲେ ତାହା ନେହେରୁଙ୍କ ବିଶ୍ୱାସକୁ ଦ୍ୱିଗୁଣିତ କରିଥିଲା । ଯେଉଁଥିପାଇଁ ଇଣ୍ଡୋନେସିଆ ମିଶନ ପାଇଁ ବିଜୁ ଥିଲେ ନେହେରୁଙ୍କ ପ୍ରଥମ ପସନ୍ଦ । ଆଉ ନେହେରୁଙ୍କ ନିର୍ଦ୍ଦେଶ ମିଳିବା ମାତ୍ରେ ନିଜ ଡାକୋଟା ଧରି ଇଣ୍ଡୋନେସିଆ ଅଭିମୁଖେ ରାତିର ଅନ୍ଧାରରେ ବାହାରିପଡିଥିଲେ ସାହାସୀ ଯୁବକ ବିଜୁ । ଡଚ୍ ସେନାଙ୍କୁ ଚକମା ଦେଇ ଇଣ୍ଡୋନେସିଆର ପ୍ରମୁଖ ନେତା ରାତି ଅଧିଆ ମୁକଳାଇ ଆଣିଥିଲେ । ଆଉ ଏହାସହ ଇଣ୍ଡୋନେସିଆ ସ୍ୱାଧୀନତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେଠାକାର ସରକାର ବିଜୁଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲେ ।
ବିଜୁଙ୍କ ଦୁଃସାହସିକ ଜୀବନର କାହାଣୀ ଏ କେବଳ ଗୋଟିଏ ଅଧ୍ୟାୟ । ପାକିସ୍ତାନ ଓ ଚୀନ୍ ଆକ୍ରମଣ ବେଳେ ବିଜୁ ଆକାଶମାର୍ଗରୁ ଯେଉଁ ବୀରତ୍ୱ ଦେଖାଇଥିଲେ ସେଥିପାଇଁ ତାଙ୍କୁ ଝଡର ଇଗଲ ସହ ତୁଳନା କରାଯାଏ । ଅନେକ ଆହ୍ୱାନଭରା ମିଶନ ସାମ୍ନାକୁ ଆସିଥିଲେ ମଧ୍ୟ କେବେ ପଛକୁ ହଟିନାହାନ୍ତି ବିଜୁ । ଯାହାର ଆରମ୍ଭ ସାଇକେଲରେ ପେଶୱାର ଯାତ୍ରାରୁ ହୋଇଥିଲା । ପାଇଲଟ ଭାବେ ବିଜୁ ବାବୁ ଯେଉଁ ପରାକ୍ରମ ଓ ସାହସିକତା ଦେଖାଇଥିଲେ ରାଜନୀତିର ମୈଦାନରେ ମଧ୍ୟ ସେହିଭଳି ବିରୋଧୀଙ୍କୁ ମାତ୍ ଦେବାର ମହାରଥ ହାସଲ କରିଥିଲେ । ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ମାତ୍ର ୧୦ରୁ ୧୧ ବର୍ଷ କ୍ଷମତାର ସିଟରେ ବସିଥିବା ବିଜୁ ବାବୁ କିନ୍ତୁ କୋଟି କୋଟି ଓଡ଼ିଆଙ୍କ ହୃଦୟର ସିଂହାସନରେ ଏବେ ମଧ୍ୟ ବସି ରହିଛନ୍ତି । ବିଜୁଙ୍କ ସାହସିକତାର କାହାଣୀ ଲେଖିଲେ ହୁଏତ ଶବ୍ଦକୋଷରୁ ଶବ୍ଦ କମ ପଡିଯିବ କିନ୍ତୁ ତାଙ୍କର ପୂରା କାହାଣୀକୁ ଏହି କିଛି ଶବ୍ଦ ମଧ୍ୟରେ ସୀମିତ କରାଯାଇପାରିବ ନାହିଁ । ତେଣୁ ତାଙ୍କର କିଛି ସ୍ମୃତିକୁ ଓଡ଼ିଶାବାସୀଙ୍କ ମନରେ ସବୁବେଳେ ଚିରନ୍ତନ ଓ ସତେଜ ରଖିବାକୁ ବିଜେଡି ପକ୍ଷରୁ ସାଇକେଲ ଯାତ୍ରାର ପରିକଳ୍ପନା କରାଯାଇଛି ।