ଓଡିଶା ମୁହାଁ ବାତ୍ୟା ‘ୟସ’
ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆସନ୍ତାକାଲି ସୁଦ୍ଧା ତାହା ବାତ୍ୟାର ରୂପ ନେବ ।ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୬ ତାରିଖ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପାରାଦୀପରୁ ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।ଏହା ବର୍ତ୍ତମାନ ଉତ୍ତର-ଉତ୍ତର ପଶ୍ଚିମ ଦିଗ ଅଭିମୁଖେ ଗତି କରୁଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୮୫ କିମି ରହିପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।
ସାମୁଦ୍ରିକ ଝଡ ୟସ୍ ବର୍ତ୍ତମାନ ପାରାଦ୍ଵୀପରୁ ୫୭୦ କିଲୋମିଟର ଓ ବାଲେଶ୍ଵରରୁ ୬୭୦ କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ଏହା ଏବେ ୫ କିଲୋମିଟର ବେଗରେ ଗତି କରୁଛି । ଓଡିଶାରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ରାଜ୍ୟର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜର ଆଭ୍ୟନ୍ତୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ପରି ମେ ୨୬ ତାରିଖରେ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ବାତ୍ୟା ଆଶ୍ରୟସ୍ଥଳୀକୁ ସାନିଟାଇଜ୍ କରାଯାଇଛି । ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀରେ ଭିଡ଼ ନହେବା ପାଇଁ ଅଧିକ ସେଲ୍ଟର ବ୍ୟବସ୍ଥା କରାଯାଇଛି । ସେଠାରେ ଅତିରିକ୍ତ ପିଇବା ପାଣି, ପାୱାର ବ୍ୟାକଅପ୍ ସହ କୋଭିଡ୍ ନିୟମ ଅନୁସାରେ ଆରଆରଟି ଟିମ୍ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ । ବାତ୍ୟା ପରବର୍ତ୍ତୀ ସମୟରେ ଅସୁବିଧା ନହେବା ପାଇଁ ପାୱାର ବ୍ୟାକଅପ୍ ସହ ପାଣି ଟାଙ୍କି ମାଧ୍ୟମରେ ଜଳ ଯୋଗାଣ କରାଯିବ । ବିଦ୍ୟୁତ୍ ବ୍ୟବସ୍ଥା ବ୍ୟାହାତ ହେଲେ ସଜାଡ଼ିବା ଲାଗି ପଦକ୍ଷେପ ନିଆଯାଇଛି ।
ଆଇଏମଡିର ଆକଳନ ଅନୁସାରେ ଏହି ବାତ୍ୟା ଓଡିଶାରେ ମାଡ ହୋଇପାରେ । ବାଲେଶ୍ୱର – ଭୋଗରାଇ ଅଞ୍ଚଳ ଦେଇ ବାତ୍ୟା ଗତି କରିପାରେ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିପାରେ କିନ୍ତୁ ଆଇଏମଡି ପକ୍ଷରୁ ଯେଉଁ ଗତିପଥ ଆକଳନ କରାଯାଇଛି, ସେହି ଆକଳନ କହୁଛି ଏହା ବାଲେଶ୍ୱର ପାଖରେ ହିଁ ଲ୍ୟାଣ୍ଡଫଲ କରିବ ।