ବାତ୍ୟାର ରୂପ ନେଲା ‘ୟସ’
ବାତ୍ୟାର ରୂପ ନେଲା ‘ୟାସ’ । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇ ବାତ୍ୟାର ରୂପ ନେଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ । ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ପାରାଦୀପର ୫୪୦ କିଲୋମିଟର ଦକ୍ଷିଣ, ଦକ୍ଷିଣ- ପୂର୍ବକୁ ଏବଂ ବାଲେଶ୍ୱରର ୬୫୦ କିଲୋମିଟର ଦକ୍ଷିଣ- ପୂର୍ବକୁ ରହିଛି ୟାସ । ଧୀରେ ଧୀରେ ଏହା ଉତ୍ତର, ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉପୂକଳ ମୁହାଁ ହେବ ।
୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ । ପାରାଦୀପ-ସାଗରଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଏହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ । ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତାକାଲିଠୁ ପବନର ବେଗ ଘଣ୍ଟାପ୍ରତି ୧୪୫ ରୁ ୧୭୦ କିଲୋମିଟରରେ ପହଞ୍ଚିବ । ଲ୍ୟାଣ୍ଡଫଲ୍ ବେଳକୁ ପବନ ବେଗ ବଢି ଘଣ୍ଟା ପ୍ରତି ୧୮୫ କିଲୋମିଟର ହେବ ବୋଲି ଆକଳନ କରାଯାଇଛି ।
ବାତ୍ୟା ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ । ତେବେ ବାତ୍ୟା ୟାସ କେଉଁଠି ମାଡ ହେବ, କେଉଁ ଆଡକୁ ଗତି କରିବ । ଏହାର ଗତିପଥ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁସାରେ ଏହି ବାତ୍ୟା ଓଡିଶାରେ ମାଡ ହୋଇପାରେ । ବାଲେଶ୍ୱର – ଭୋଗରାଇ ଅଂଚଳ ଦେଇ ବାତ୍ୟା ଗତି କରିପାରେ ବୋଲି ଅନୁମାନ କରାଯାଇଛି । ପାଣିପାଗ ବିଭାଗ ମହାନିର୍ଦ୍ଦେଶକଙ୍କ କହିବା ଅନୁସାରେ ପାରାଦୀପରୁ ବାଙ୍ଗଲାଦେଶର ସାଗରଦୀପ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିପାରେ । କିନ୍ତୁ ଆଇଏମଡି ପକ୍ଷରୁ ଯେଉଁ ଗତିପଥ ଆକଳନ କରାଯାଇଛି, ସେହି ଆକଳନ କହୁଛି ଏହା ବାଲେଶ୍ୱର ପାଖରେ ହିଁ ଲ୍ୟାଣ୍ଡଫଲ କରିବ ।