ଆଜି ଲାଗି ହେବ ଦଶମୂଳ ମୋଦକ,ସୁସ୍ଥ ହେବେ ଶ୍ରୀଜିଉ
ଅଣସର ଘରେ ରହି ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ଗୁପ୍ତସେବା । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ମହୌଷଧୀ ଦଶମୂଳ । ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିଛନ୍ତି । ନୀଳାଦିଅ ମହୋଦୟ ଶାସ୍ତ୍ର ଅନୁସାରେ ଦିତା ସେବକ, ସୁନା ଗୋସେଇଁ ସେବକମାନେ ଅଣସରକାଳୀନ ଏହି ଗୁପ୍ତନୀତି ସଂପାଦନ କରୁଛନ୍ତି । ଏକବସ୍ତ୍ର ହୋଇ ଅଣସର ବାସଠାରୁ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ।
ଏକାଦଶୀ ତିଥିରେ ମହାପ୍ରଭୁଙ୍କ ପାଇଁ ଔଷଧ ବିଜେ କରିବାର ପରମ୍ପରା ରହିଛି । ଦଶମୂଳ ଲାଗି ପରେ ଶ୍ରୀଜିଉ ସୁସ୍ଥ ହେବ । ସ୍ନାନପୂର୍ଣିମା ପରେ ଅସୁସ୍ଥ ଶ୍ରୀଜିଉମାନଙ୍କ ଆରୋଗ୍ୟ ଲାଗି ଶ୍ରୀମନ୍ଦିର ବୈଦ୍ୟମାନେ ପ୍ରଭୁଙ୍କ ଲାଗି ହେବାକୁ ଥିବା ଏହି ଦଶମୂଳକୁ ଦୀର୍ଘ ଦିନ ଧରି ପ୍ରସ୍ତୁତି କରିବାରେ ସପରିବାର ନିୟୋଜିତ ଥିଲେ । ଔଷଧ ତିଆରି ପୂର୍ବରୁ ବୈଦ୍ୟମାନେ ଚେରମୂଳ ସଂଗ୍ରହରେ ଗତ କିଛି ଦିନ ଧରି ବ୍ୟସ୍ତ ଥିଲେ । ଶ୍ରୀଜିଉଙ୍କ ପାଇଁ ଆୟୁର୍ବେଦ ମହୌଷଧି ଦଶମୂଳ ପ୍ରସ୍ତୁତରେ ଦୁଇକେଜି ଓଜନର ଚେରମୁଳି ରହିଥାଏ । ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀଘିଅ, ମହୁ, ନବାତ, ଖୁଆ ସର, ଭାଙ୍ଗ ଆଦି ପ୍ରକୃତିର ଉତ୍ପାଦ ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ଔଷଧୀ ପ୍ରସ୍ତୁତ ହୋଇଛି । ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୁତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରାଯାଇଛି ।
ଶ୍ରୀଜିଉଙ୍କର ଆରୋଗ୍ୟ ପାଇଁ ଦଶମୁଳ ମୋଦକ ବୈଦ୍ୟ ପ୍ରସ୍ତୁତ କରି ଶ୍ରୀବିଗ୍ରହମାନଙ୍କ ପାଇଁ ଶ୍ରୀମନ୍ଦିର ଗାରଦରେ ଦେଇଥାନ୍ତି । ମଧ୍ୟାହ୍ନ ଧୂପ ପରେ ଚକାବିଜେ ନିତି ସହ ପଣା ଚକଟା ଭୋଗ କରାଯାଏ ।ଏକାଦଶୀ ତିଥିରେ ମହାପ୍ରଭୂଙ୍କ ପାଇଁ ଔଷଧ ବିଜେ କରିବା ପରମ୍ପରା ରହିଛି । ଏହାକୁ ସମର୍ପଣ କରିବା ପରେ ସୁସ୍ଥ ହୋଇଥାନ୍ତି ମହାପ୍ରଭୁ ।