ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା, ଫେବ୍ରୁଆରୀ ୧୬ରୁ ପଡ଼ିବ ଭୋଟ
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୫ଟି ପର୍ୟ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ଆସନ୍ତା ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ ତାରିଖରେ ନିର୍ବାଚନ ହେବ । ପ୍ରତି ପର୍ୟ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ୟ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ୟ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ।
ସବୁ ପର୍ୟ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ପଞ୍ଚାୟତ ନିର୍ବାଚନରେ କୋଭିଡ କଟକଣାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଖାସକରି ଚଳିତ ପଞ୍ଚାୟତ ନିର୍ବାଚନ ବିନା ରାଲି ଓ ବିନା ରୋଡ ସୋ’ରେ ହେବ । କରୋନା କାରଣରୁ କୌଣସି ରାଲିକୁ ଅନୁମତି ମିଳିବ ନାହିଁ । ସେହିଭଳି ରୋଡ ସୋ ଉପରେ ରୋକ ଲଗାଯାଇଥିବା ବେଳେ କେବଳ ୫ ଜଣଙ୍କୁ ଧରି ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ ।
ଚଳିତ ନିର୍ବାଚନରେ ଭୋଟ୍ ଦେବେ ୨ କୋଟି ୭୯ ଲକ୍ଷ ଭୋଟର୍। ମୋଟ୍ ଓ୍ୱାର୍ଡ ସଂଖ୍ୟା ୯୧,୯୧୩ ଥିବା ବେଳେ ୬୭୯୪ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପାଇଁ ନିର୍ବାଚନ ହେବ । ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ମଧ୍ୟ ପଡ଼ିବ ଭୋଟ। । ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ନିଜ ସଂପତ୍ତି ତାଲିକା, ଅପରାଧ ମାମଲାର ବିବରଣୀ ଦେବେ । ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠ ଜରିଆରେ ଦାଖଲ କରିବେ । ଓ୍ୱାର୍ଡମେମ୍ବର ପ୍ରାର୍ଥୀ ସେଲ୍ଫ ଡିକ୍ଲାରେସନ୍ ଜରିଆରେ ଏସବୁ ତଥ୍ୟ ଦେବେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଜାତିଗତ ସାର୍ଟିଫିକେଟ୍ ଦେବେ । ଏଥିରେ କୌଣସି ପ୍ରାର୍ଥୀଙ୍କ ସତ୍ୟପାଠ ମିଥ୍ୟା ପ୍ରମାଣିତ ହେଲେ ତା’ଙ୍କୁ ଦଣ୍ଡିତ କରାଯିବ।