ରାଜଧାନୀରେ ସପ୍ତାହେ ବଢିଲା ଲକଡାଉନ
ଦିଲ୍ଲୀ ସଂକ୍ରମଣ ବଢିଚାଲିଥିବା ଅକ୍ସିଜେନର ଅଭାବ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛନ୍ତି । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଲକଡାଉନ ଅବଧିକୁ ପୁଣି ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି । ଲକଡାଉନ ଅବଧି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ।
ପୂର୍ବରୁ ଏପ୍ରିଲ ୨୬ ତାରିଖ ସକାଳ ୫ଟା ଯାଏ ଦିଲ୍ଲୀରେ ଲକଡାଉନ ଥିବା ବେଳେ ଏହାକୁ ମେ ୩ ତାରିଖ ଯାଏ ବୃଦ୍ଧି କରାଯାଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଦିଲ୍ଲୀରେ ୨୪ ଘଂଟାରେ ରେକର୍ଡ ୩୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ କରୋନା ପଜିଟିଭ ରେଟ୍ ୩୨ ପ୍ରତିଶତ ଉପରେ ରହିଛି । ଏହାସହ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଓ ବେଡ୍ ସଙ୍କଟ ଦେଖାଦେଇଛି । ଏହାକୁ ନଜରରେ ରଖି ସରକାର ଲକଡାଉନ୍ ବଢାଇଛନ୍ତି । କାରଣ ଲକଡାଉନ୍ ଛଡା ସଂକ୍ରମଣ ରୋକିବାକୁ ସରକାରଙ୍କ ହାତରେ ଅନ୍ୟ କୌଣସି ବିକଳ୍ପ ନାହିଁ ।
ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଦିଲ୍ଲୀରେ ଲକଡାଉନ୍ ଲାଗୁ ହୋଇଥିଲା । ଯାହାର ଅବଦ୍ଧି ଏପ୍ରିଲ ୨୬ ତାରିଖ ସକାଳ ୫ଟାରେ ଶେଷ ହେବାକୁ ଯାଉଛି । ତେବେ ଲକଡାଉନ୍ ଅବଧି ସରିବା ପୂର୍ବରୁ ଆଜି ଦିଲ୍ଲୀ ସରକାର ଏହାକୁ ବୃଦ୍ଧି କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୪୦୦୦ରୁ ଅଧିକ ଦୈନିକ ସଂକ୍ରମଣ ମାମଲା ରେକର୍ଡ ହୋଇଛି । ସେହିପରି ୩୫୭ଜଣଙ୍କ କୋଭିଡ୍-୧୯ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।