THE BYAPINI

‘ଅମ୍ଲଜାନ ଅଟକାଇଲେ ଫାଶୀରେ ଝୁଲାଇ ଦେବୁ’

Get real time updates directly on you device, subscribe now.

କଠୋର ହେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀରେ କରୋନା ରୋଗୀଙ୍କ ମୃତ୍ୟୁ ଓ ଅକ୍ସିଜେନ୍ ଅଭାବକୁ ନେଇ ଉଦବେଗ ପ୍ରକାଶ କଲେ ଦିଲ୍ଲୀ ହାଇକୋର୍ଟ । ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ ଘୋର ସଙ୍କଟ ଦେଖାଯାଇଛି। ଠିକ୍‌ ଭାବେ ହସ୍ପିଟାଲକୁ ଅକ୍ସିଜେନ ପହଞ୍ଚି ପାରୁ ନଥିବାରୁ ରୋଗୀଙ୍କର ମୃତ୍ୟୁ ମଧ୍ୟ ଘଟୁଛି । କେନ୍ଦ୍ର, ରାଜ୍ୟ ଅଥବା କୌଣସି ଅଧିକାରୀ ଅକ୍ସିଜେନ୍ ଯୋଗାଣରେ ଅସୁବିଧା ସୃଷ୍ଟି କଲେ ଆମେ ସେହି ବ୍ୟକ୍ତିଙ୍କୁ ଲଟକାଇ ଦେବୁ ବୋଲି ଚେତାବନୀ ଦେଇଛନ୍ତି ହାଥକୋର୍ଟ ।

ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବେଳକୁ ବେଳ ବିଗିଡି ଯାଉଛି । ଅକ୍ସିଜେନ୍ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି । ସ୍ଥିତିକୁ ଦେଖି ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ଏହା କରୋନାର ଦ୍ୱିତୀୟ ଲହର ନୁହେଁ ବରଂ ସୁନାମୀ । ଯଦି ଦିଲ୍ଲୀକୁ ୪୮୦ ମେଟ୍ରିକ ଟନ୍‌ର ଅକ୍ସିଜେନ ତୁରନ୍ତ ନ ମିଳିବ, ତା’ହେଲେ ପୂରା ବ୍ୟବସ୍ଥା ଭୁଶୁଡ଼ି ଯିବ। ପ୍ରତିଦିନ କରୋନା କେସ୍‌ ବଢ଼ୁଥିବାରୁ ଏକାଧିକ ହସ୍ପିଟାଲରେ ଅକ୍ସିଜେନ ସଙ୍କଟର ସାଂଘାତିକ ସ୍ଥିତି ଉପୁଜିଛି। ପ୍ରତିଦିନ ଅକ୍ସିଜେନ ସଙ୍କଟକୁ ନେଇ ଛୋଟ ଠାରୁ ବଡ଼ ହସ୍ପିଟାଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି। ଏକାଧିକ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ତେଣୁ ତୁରନ୍ତ ଅକ୍ସିଜେନ ଯୋଗାଣ ନ ହେଲେ, ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି ଶୁଣାଣି ବେଳେ ଦିଲ୍ଲୀ ସରକାର କୋର୍ଟଙ୍କୁ କହିଛନ୍ତି।

ଶୁଣାଣି ସମୟରେ ଦିଲ୍ଲୀ ସରକାର ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ରାହୁଲ ମେହରା ଉଚ୍ଚ ନ୍ୟାୟାଳୟରେ କହିଛନ୍ତି ଯେ, ସ୍ଥିତି ଯାହା ଉପୁଜିଛି, ତାର ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରହିଛି। ତୁରନ୍ତ ଅକ୍ସିଜେନ ଯୋଗାଣ ଜରୁରୀ। ଏହି ସମୟରେ ଅଦାଲତ ଦିଲ୍ଲୀ ସରକାରଙ୍କୁ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ କହିଛନ୍ତି। ସେପଟେ କୋର୍ଟ କହିଛନ୍ତି କିଭଳି ଅମ୍ଳଜାନ ଯୋଗାଣ କରାଯିବ, ମହାମାରୀର ମୁକାବିଲା କରାଯିବ, ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କରନ୍ତୁ । ଟ୍ୟାଙ୍କର କିଣି ଅକ୍ସିଜେନ୍ ବିତରଣ କରିବା ସହ କରୋନା ଲଢେଇ ପାଇଁ ପର୍ୟ୍ୟାପ୍ତ ପଦକ୍ଷେପ ନେବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.