ରାଜଧାନୀ ଦିଲ୍ଲୀରେ ଆଉ ୪ ଓମିକ୍ରନ ଆକ୍ରାନ୍ତ
ବିଶ୍ୱରେ ଦ୍ରୁତ ଗତିରେ ମାଡିଚାଲିଛି ଓମିକ୍ରନ ଭ୍ୟାରିଆଣ୍ଟ । ଦେଶରେ ମଧ୍ୟରେ ଓମିକ୍ରନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ସଂଖା ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ଦିଲ୍ଲୀରେ ମୋଟ ମାମଲା ୬ ହୋଇଛି । ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଲା ।
ଦକ୍ଷିଣ ଆଫ୍ରିକାରୁ ଫେରିଥିବା ସୁରତର ଜଣେ ୪୨ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ଭାୟା କେନିଆ ଓ ଆବୁ ଧାବି ହୋଇ ଦିଲ୍ଲୀରେ ପହଂଚିଥିଲେ । ଡିସେମ୍ବର ତିନି ତାରିଖରେ ପହଂଚିବା ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଡିସେମ୍ବର ୪ ତାରିଖରେ ପୁଣି ତାଙ୍କର ରିପୋର୍ଟ; ନେଗେଟିଭ୍ ଆସିଥିଲା । ୮ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇ ପଠାଯାଇଥିଲା । ସେ ଓମିକ୍ରନ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ମହାରାଷ୍ଟ୍ରରେ ଆଉ ଦୁଇ ଜଣ କରୋନାର ନୂଆ ପ୍ରଜାତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଲାତୁୁର ଓ ପୁନେରୁ ଏହି ଦୁଇ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ କେବଳ ମହାରାଷ୍ଟ୍ରରେ ୨୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଓମିକ୍ରନ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ସହ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡିଗଡ଼, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି ।