THE BYAPINI

ନବୀନ ମାନେ ‘ନୂଆ ଓଡିଶା’

Get real time updates directly on you device, subscribe now.

ବଦଳିବ ଓଡିଶାର ଚିତ୍ର । ନୂଆ ନୂଆ ଲାଗିବ ନୂତନ ଓଡିଶା । ଉତ୍‌କଳୀୟ ପରମ୍ପରା, ଉତ୍‌କଳୀୟ ଗାଥା ଏବଂ ଓଡିଆଙ୍କ ସଂସ୍କୃତିର ଛାପ ଥାଇ ଛପା ହେବ ନୂଆ ଓଡିଶାର ପଟ୍ଟଚିତ୍ର । ‘ନବୀନ ଓଡିଶା’ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ଯେଉଁ ନକ୍ସା ଆଙ୍କିଥିଲେ ତହିଁରେ ରଙ୍ଗ ଦେଇ ଚାଲିଛନ୍ତି ସେ । କେଉଁଠି ବିକାଶର ବୀଜ ବୁଣୁଛନ୍ତି ତ କେଉଁଠି ବିକାଶ ଗଛରେ ବିକଶିତ ଫୁଲ ଫୁଟାଇଛନ୍ତି ନବୀନ । ଓଡିଶା ମାଟିରେ ବିକାଶର ବିଶ୍ୱକର୍ମା ସାଜି ଗୋଟେ ପରେ ଗୋଟେ ଉନ୍ନତୀମୂଳକ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ କିଛି ଦିନ ତଳେ ଲଗାତାର ନବୀନଙ୍କ ବିକାଶ ମୂଳକ କାମର ସମୀକ୍ଷାକୁ ଯଦି ଅନୁଧ୍ୟାନ କରାଯାଏ ତେବେ ଜଣାପଡିବ ନବୀନ ସରକାର କେତେ ଗୁରୁତ୍ୱ ଦେଉଛନ୍ତି ଓଡିଶାକ ସଜାଇବାକୁ । ଚଳିତ ମାସ ଯେତେବେଳେ ନବୀନ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ୟ୍ୟକରଣ କାମ ସମୀକ୍ଷା କରିବାକୁ ଯାଇଥିଲେ ସେତେବେଳେ ନିଜ ବୁଲିବୁଲି ସବୁ କାମର ସ୍ଥିତି ପରଖିଥିଲେ । କେତେ ବାଟ କାମ ଆଗେଇଲା ତାସହ ନବୀନ ସେବାୟତଙ୍କ ସହ କଥାବାର୍ତ୍ତା କରି ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ଆଇନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଉ ଯାହାକୁ ଅଧ୍ୟାଦେଶ ଜରିଆରେ କାର୍ଯ୍ୟକାରୀ ମଧ୍ୟ କରାଇଛନ୍ତି । ଶ୍ରୀମନ୍ଦିର ଢାଂଚାରେ ଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ଆଇନ ଆଣିଛନ୍ତି ।

ଏହାର କିଛି ଦିନ ପରେ ଅର୍ଥାତ ଗତ ୧୦ ତାରିଖରେ ପୁଣି ବରମୁଣ୍ଡା ବସଷ୍ଟାଣ୍ଡର ବିକାଶ କାମ ଦେଖିଥିଲେ ନବୀନ । ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସଷ୍ଟାଣ୍ଡର ନକ୍ସା ବଦଳାଇ ବିକାଶର ରଙ୍ଗ ମାରିବାକୁ ତତ୍ପର ହୋଇଛନ୍ତି ସରକାର । ଆଉ ସେହି କାମର ଅନୁଧ୍ୟାନ ପାଇଁ ବରମୁଣ୍ଡାରେ ପହଞ୍ଚିଥିଲେ ନବୀନ । ୧୮ ମାସ ଭିତରେ ୧୮୦ କୋଟିର ଏ ପ୍ରକଳ୍ପ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆଉ ବୁଲି ବୁଲି ସମୀକ୍ଷା କରିଥିଲେ । ଦେଢ ବର୍ଷ ଭିତରେ ବରମୁଣ୍ଡାର ଚେହେରା ବଦଳିଯିବ ।

ଖାଲି ଏତିକି ନୁହେଁ ବାଉନ ବଜାର ତେପନ ଗଳିର ସହର କଟକକୁ ଫର୍ଚ୍ଚା କରିବାକୁ ମୁଖ୍ୟମନ୍ତ୍ରୀ ଗତବର୍ଷ ଘୋଷଣା କରିଥିଲେ । ମହାନଦୀ କୂଳରୁ ମେଗା ପ୍ରୋଜେକ୍ଟର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ରାସ୍ତାଘାଟ ପ୍ରଶସ୍ତିକରଣ, ମୁକ୍ତ ପରିବେଶ, ସବୁଜିମା ଭିତରେ ଆଧୁନିକ ଭିତ୍ତଭୂମି, ଟ୍ରାଫିକ ନିୟନ୍ତ୍ରଣ, ମହାନଦୀ କୂଳରେ ପୁନରୁଦ୍ଧାର ହୋଇଥିବା ୪୨୪ ଏକର ପରିମିତ ଜମିର ପ୍ରତିଟି ଇଞ୍ଚକୁ ସହରବାସୀଙ୍କ ସୁଖ, ସୁବିଧାରେ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ଏକ ସୁସ୍ଥ ପରିବେଶ, କ୍ରୀଡା ଏବଂ ସାଂସ୍କୃତିକ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ରୂପରେଖ ପ୍ରସ୍ତୁତ କରାଯିବ । ଏସସିବି ମେଡିକାଲର ବିକାଶ, ରିଂରୋଡକୁ ୬ ଲେନ କରା ହେବା ନେଇ ନବୀନ ଘୋଷଣା କରିଥିଲେ । ଆଉ ଉକ୍ତ ଘୋଷଣା ଭିତରୁ ଅନେକର କାମ ଜୋରଦାର ଚାଳିଥିବା ବେଳେ ତାଳଦଣ୍ଡା କେନାଲର ଝିଲମିଲ ଦୃଶ୍ୟ ଏବେ ସମସ୍ତଙ୍କ ମନ ମୋହୁଛି ।

ସେ ପୁରୀ ଶ୍ରୀକ୍ଷେତ୍ର ସୌନ୍ଦର୍ୟ୍ୟକରଣ ହେଉ କି ମାଆ ସମଲେଶ୍ୱରୀ ଅବା ହେଉ ବିଭିନ୍ନ ଜିଲ୍ଲାରେ ମେଡିକାଲ କଲେଜ କରି ରୋଗୀଙ୍କ ଦୁଃଖ ଦୂରେଇବାକୁ ନବୀନଙ୍କ ନୂଆ ପ୍ରୟାସ ନୂଆ ଓଡିଶା ଗଠନର ମୂଳଦୂଆ ପକାଉଛି । ଐତିହ୍ୟର ସହର କି ଆଧୁନିକ ସହର ହାତରେ ନିହାଣ ଧରି ବିନ୍ଧାଣୀ ସାଜିଥିବା ବିକାଶର ବିଶ୍ୱକର୍ମା ନବୀନ ବିଭିନ୍ନ ଉନ୍ନତୀମୂଳକ କାମ କରିବା ସହ ମାରାଥନ ସମୀକ୍ଷା କରିଚାଲିଛନ୍ତି । ଯାହା ନୂଆ ଓଡିଶା ଗଢିବାରେ ନବୀନ କେତେ ନିପୁଣ କେତେ ସଙ୍କଳ୍ପବଦ୍ଧ ତାହା ସ୍ପଷ୍ଟ ପ୍ରମାଣିତ ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.