ମାସ୍କ ନଥିଲେ ବିମାନରୁ ବିଦା
ଦେଶରେ ପୁଣି କରୋନ ସଂକ୍ରମଣ ଉପରମୁହାଁ । ବର୍ଷକ ପରେ ପୁଣି କଡ଼ ଲେଉଟାଇଲାଣି କରୋନା । ଦେଶରେ ସଂକ୍ରମଣ ବଢି ଚାଲିଥିବା ବେଳେ ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କଟକଣା କଡାକଡି କରାଯାଇଛି । ବିମାନରେ ଯାତ୍ରା କରୁଥିବା ସମୟରେ ମାସ୍କ ପିନ୍ଧିନଥିଲେ ବିମାନରୁ ଓହ୍ଲାଇଦିଆଯିବ । ଏନେଇ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ସିଆଇଏଏସଏଫ ଓ ଦେଶର ସମସ୍ତ ବିମାନ ବନ୍ଦର କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିଛି ଡିଜିସିଏ ।
ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ସାବଧାନ । ଆପଣ ବିମାନ ଯାତ୍ରା କରୁଥିବା ସମୟରେ ମାସ୍କ ବାଧ୍ୟତାମୂଳକ । ନହେଲେ ଆପଣଙ୍କୁ ବିମାନରୁ ବିଦା ହେବାକୁ ପଡିପାରେ । ଯଦି ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ନପିନ୍ଧିବେ ତା’ହେଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ। ଏପରିକି ଅଧିକାଂଶ ଯାତ୍ରୀ ମାସ୍କ ପିନ୍ଧିବା ନାଁରେ କେବଳ ନାକ ତଳକୁ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । କିନ୍ତୁ ମାସ୍କରେ ପାଟି ଓ ନାକ ଉଭୟ ଘୋଡାଇ ରଖିବା ଉଚିତ । କେବଳ ଚେକିଂ ହେଉଥିବା ସ୍ଥାନରେ ମାସ୍କ ପିନ୍ଧିବା ପରେ ବିମାନ ବନ୍ଦର ଭିତରେ, ଏପରିକି ଯାତ୍ରା କରିବା ବେଳେ ନିୟମ ଉଲ୍ଲଙ୍ଘନ କରି ବିମାନ ଭିତରେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଛି । କରୋନା ସଂକ୍ରମଣକୁ ଦୂରେଇ ରଖିବା ପାଇଁ ଠିକ୍ ଭାବରେ ମାସ୍କ ପିନ୍ଧିବା ନିହାତୀ ଜରୁରୀ ବୋଲି ଡିଜିସିଏ କହିଛି ।
ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା, ପିପିଇ କିଟ୍, ସାନିଟାଇଜର ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏୟାରପୋର୍ଟ ଅଧିକାରୀଙ୍କୁ ଚିଠି ଲେଖି ଡିଜିସିଏ କହିଛି ଯଦି କୌଣସି ଯାତ୍ରୀ କୋଭିଡ ନିୟମ ଉଲ୍ଲଙ୍ଘନ କରିବେ ତେବେ ତାଙ୍କୁ ସତର୍କ କରାଯିବ । ଯଦି ବାରମ୍ବାର ସତର୍କ କରାଯିବା ପରେ ବି ଯାତ୍ରୀ ଜଣକ ନିୟମ ନମାନିବେ ତେବେ ତାଙ୍କୁ ବଳପୂର୍ବକ ବିମାନରୁ ଓହ୍ଲାଇ ଦିଆଯିବ ।