ଅଲଗା ହେଲେ ଧନୁଷ ଓ ଐଶ୍ୱର୍ୟ୍ୟା
ବିବାହର ୧୮ବର୍ଷ ପରେ ଅଲଗା ହେଲେ ତାମିଲ୍ ସୁପରଷ୍ଟାର ଧନୁଷ ଓ ଐଶ୍ୱର୍ୟ୍ୟା ରଜନୀକାନ୍ତ । ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଧନୁଷ ଏହି ସୂଚନା ଦେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି ।
ଧନୁଷ ଲେଖିଛନ୍ତି, ୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ । ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ । ଐଶ୍ବର୍ୟ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ । ପ୍ରଶଂସକମାନେ ଆମର ଏହି ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ । ଧନୁଷ-ଐଶ୍ବର୍ୟ୍ୟାଙ୍କର ଯାତ୍ରା ଏବଂ ଲିଙ୍ଗା ନାମରେ ଦୁଇ ପୁଅ ଅଛନ୍ତି ।
ସେହିଭଳି ଐଶ୍ବର୍ୟ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ ।ଉଲ୍ଲେଖଯୋଗ୍ୟ, ଧନୁଷ ପ୍ରଯୋଜକ କସ୍ତୁରି ରାଜାଙ୍କ ପୁଅ ହୋଇଥିବା ବେଳେ ଐଶ୍ବର୍ୟ୍ୟା ମେଗାଷ୍ଟାର ରଜନୀକାନ୍ତଙ୍କ ବଡ଼ଝିଅ । ଧନୁଷଙ୍କୁ ୨୧ ବର୍ଷ ଏବଂ ଐଶ୍ବର୍ୟ୍ୟାଙ୍କୁ ୨୩ ବର୍ଷ ହୋଇଥିବାବେଳେ ୨୦୦୪ରେ ସେମାନଙ୍କର ବିବାହ ହୋଇଥିଲା ।