THE BYAPINI

ଗେରୁଆ ଦଳର ଗୋଳିଆ ରାଜନୀତି

Get real time updates directly on you device, subscribe now.


ଅପରାଜିତାଙ୍କ ଅସନ୍ତୋଷ, ଧର୍ମେନ୍ଦ୍ରଙ୍କ ସହଯୋଗ । ଶନିବାର ଭୁବନେଶ୍ୱର ସାଂସଦ ଅପରାଜିତା ଯେଉଁ ପୁରୀରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଶ୍ରୀମନ୍ଦିର ଉନ୍ନତିକରଣ ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ, ରବିବାର ସେହି ପୁରୀରୁ ରାଜ୍ୟ ବିଜେପିର ପୋଷ୍ଟରବୟ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିରର ବିକାଶ କାର୍ଯ୍ୟ ପାଇଁ ନିଜ ଦରମାରୁ ଲକ୍ଷେ ଟଙ୍କା ଦେଇ ସହଯୋଗର ହାତ ବଢାଇଛନ୍ତି । ଆଉ ତାହା ବି ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ । ଅପରାଜିତାଙ୍କ ଯୁକ୍ତି, ବେଆଇନ ଭାବେ ବିକାଶମୂଳକ କାର୍ଯ୍ୟ ନହେଉ କିନ୍ତୁ ଧର୍ମେନ୍ଦ୍ର କହୁଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶ୍ରୀମନ୍ଦିରର ବିକାଶ କାର୍ଯକୁ ମୋଦି ସରକାର ଅଧିକ ସହଯୋଗ କରିବାର ସମୟ ଆସିଛି । ଆଉ ଏଭଳି ବୟାନ ଦେଇ ଅପରାଜିତାଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ସବୁକଥାରେ ରାଜନୀତି ପୂରାଇବା ଠିକ୍ ନୁହେଁ ଏଭଳି କିଛି ସଂକେତ ଦେଇଛନ୍ତି ଧର୍ମେନ୍ଦ୍ର । ଗୋଟିଏ ଦଳର ଦୁଇ ନେତାଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ ଏବେ ସାଧାରଣ ଲୋକଙ୍କର ସନ୍ଦେହକୁ ଦ୍ୱିଗୁଣିତ କରିଛି । କାରଣ ଦଳରେ ପତିଆରା ବିସ୍ତାର କରିବାକୁ ଉଭୟ ଧର୍ମେନ୍ଦ୍ର-ଅପରାଜିତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ନେଇ ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା । ଆଉ ଯାହା ଏବେ ଜଳ ଜଳ ହୋଇ ଦିଶୁଛି ।
ତେବେ ଧର୍ମେନ୍ଦ୍ର-ଅପରାଜିତାଙ୍କ ଭିନ୍ନ ଆଭିମୁଖ୍ୟ ଏବେ ଦଳୀୟ ନେତାଙ୍କ ସମେତ କର୍ମୀଙ୍କୁ ମଧ୍ୟ ଦ୍ୱନ୍ଦରେ ପକାଇଛି । ଗୋଟିଏ ଦଳର ନେତା ହୋଇଥିଲେ ମଧ୍ୟ ପ୍ରତିଟି ପ୍ରସଙ୍ଗରେ ଉଭୟ ନେତାଙ୍କ ମତ ଭିନ୍ନ ରହୁଛି । ଆଉ ଦୁଇ ନେତାଙ୍କ ପଦିଏ ପଦିଏ ବୟାନ ସ୍ପଷ୍ଟ ଦର୍ଶାଉଛି ଯେ ରାଜ୍ୟ ବିଜେପି ଏବେ ଦୁଇଫାଳ ହୋଇସାରିଛି । ଦଳର ସ୍ୱାର୍ଥ ବଦଳରେ ନିଜ ନିଜର ଜିଦରେ ଅଟଳ ରହୁଛନ୍ତି ଉଭୟ ନେତା । ଯାହା ଦଳ ପାଇଁ ଏବେ ବୁମେରାଂ ସାଜିଛି ।
୨୦୧୯ ନିର୍ବାଚନ ପରଠାରୁ ହିଁ ଅପରାଜିତା-ଧର୍ମେନ୍ଦ୍ରଙ୍କ ମଧ୍ୟରେ ଏଭଳି ଛକାପଞ୍ଝା ଆରମ୍ଭ ହୋଇଛି । ରାଜ୍ୟରେ ଦଳକୁ ସଙ୍ଗଠିତ କରିବାକୁ ଉଭୟଙ୍କୁ ଗୁରୁଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହା ଭୁଲି ଦଳର ବଡ ଚେହେରା କିଏ ହେବ ସେନେଇ ଦୁହେଁ ଅଙ୍କ କଷୁଛନ୍ତି । କାଁ ଭାଁ କିଛି କାର୍ଯ୍ୟକ୍ରମକୁ ଛାଡିଦେଲେ ପ୍ରାୟତଃ ଅଧିକାଂଶ ଦଳୀୟ ବୈଠକରେ ଉଭୟଙ୍କୁ ଆଉ ଏକାଠି ଦେଖିବାକୁ ମିଳୁନାହିଁ । ଗୋଟିଏ ଦଳରେ ଥିଲେ ମଧ୍ୟ ପାୱାର ପଲିଟିକ୍ସରେ ଏବେ ପରସ୍ପରର ବଡ ପ୍ରତିଦ୍ୱନ୍ଦ୍ୱୀ ପାଲଟିଯାଇଛନ୍ତି ଅପରାଜିତା-ଧର୍ମେନ୍ଦ୍ର । ଗୋଟିଏ ପଟେ ଧର୍ମେନ୍ଦ୍ର ନିଜର ପ୍ରଭାବ ବିସ୍ତାର କରିବାକୁ ଦଳୀୟ ପଦପଦବୀରେ ନିଜ ସମର୍ଥିତ ଲୋକଙ୍କୁ ଥଇଥାନ କରୁଛନ୍ତି । ଅନ୍ୟପଟେ ଅପରାଜିତା ଦଳୀୟ ସଙ୍ଗଠନ ବଦଳରେ ନିଜସ୍ୱ ସଙ୍ଗଠନ ବଳରେ ପ୍ରଭାବଶାଳୀ ହେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଆଉ ଏଭଳି ସ୍ଥିତିରେ ପରସ୍ପରକୁ ଚ୍ୟାଲେଞ୍ଜ କରିବାକୁ ମଧ୍ୟ ପଛାଉନାହାନ୍ତି ଅପରାଜିତା-ଧର୍ମେନ୍ଦ୍ର । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜକୁ ପାୱାରଫୁଲ ପ୍ରମାଣିତ କରିବାକୁ ଧର୍ମେନ୍ଦ୍ର ରାଜ୍ୟ ସାରା ଡେରା ପକାଉଥିବା ବେଳେ ଅପରାଜିତା ମଧ୍ୟ ଏହି ରେସରେ ଆଉ ପଛରେ ରହିବାକୁ ଚାହୁଁନାହାନ୍ତି । ଯେଉଁଥିପାଇଁ ନିଜର ଛାୟା ସଙ୍ଗଠନ କାର୍ଯ୍ୟକ୍ରମର ଦ୍ୱାହି ଦେଇ ରାଇଜ ଭରି ବୁଲି ନିଜ ସପକ୍ଷରେ ବାତାବରଣ ତିଆରି କରିବାକୁ ମନ ବଳାଇଛନ୍ତି ଅପରାଜିତା ।
ବିଜେପିରେ ସବୁକିଛି ଠିକ୍ ନାହିଁ, ଦଳୀୟ ନେତାଙ୍କ ମଧ୍ୟରେ କନ୍ଦଳ ଲାଗି ରହିଥିବାର ଅନେକ ନଜିର ଏବେ ସାମ୍ନାକୁ ଆସୁଛି । ପୂର୍ବଭଳି ଆଉ ଏକ ହୋଇନାହିଁ ଦଳ, ପଦ୍ମ ଫୁଲର ପାଖୁଡା ଭଳି ଏବେ ଦଳ ଗୋଷ୍ଠୀୱାରୀ ଭାଗ ଭାଗ ହୋଇଛି । କିଏ କାହା ଗୋଷ୍ଠୀର ଏବେ ତାକୁ ନେଇ ଦଳରେ ଚର୍ଚ୍ଚା ଜୋର ଧରିଛି । କାରଣ ବିଭିନ୍ନ ପ୍ରସଙ୍ଗରେ ଧର୍ମେନ୍ଦ୍ର ଦେଉଥିବା ବୟାନ ଓ ଟ୍ୱିଟକୁ ଦଳର ରାଜଧାନୀ ନେତା ଗୁରୁତ୍ୱ ଦେଉଥିବା ବେଳେ ଅପରାଜିତା ରଖୁଥିବା ବୟାନ ଉପରେ ଯେପରି ମୌନ ହୋଇଯାଉଛନ୍ତି । ଅଥାର୍ତ ଅପରାଜିତାଙ୍କ ବୟାନକୁ ଦଳୀୟ ଫୋରମକୁ ଆଣିବାକୁ ଚାହୁଁନାହାଁନ୍ତି ବିଜେପିର ରାଜ୍ୟ ନେତୃବୃନ୍ଦ । ଏହାସତ୍ତ୍ୱେ ମଧ୍ୟ ରାଜ୍ୟ ସରକାରଙ୍କୁ ଅପରାଜିତା ନିଜର ବାଣରେ ଖଣ୍ଡିଆଖାବରା କରୁଥିଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ସହଯୋଗ ଓ ଗ୍ରୀନ୍ ସିଗନାଲ ପେଣ୍ଟେଟ ମେଡିସିନ ଭଳି କାମ କରୁଛି । ଆଉ ଗେରୁଆ ଦଳର ଏହି ଗୋଳିଆ ରାଜନୀତି ଏବେ ରାଜ୍ୟ ତଥା ନବୀନ ସରକାରକୁ ବେଶ ସୁହାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.