ପ୍ରଧାନ ବାବୁଙ୍କ ଶୁଭେଚ୍ଛା ପଲିଟିକ୍ସରୁ ପଣ୍ଡା ବାବୁ ଆଉଟ୍!
ପ୍ରଧାନ ବାବୁଙ୍କ ଶୁଭେଚ୍ଛା ପଲିଟିକ୍ସରୁ ପଣ୍ଡା ବାବୁ ଆଉଟ । ଆଜ୍ଞା ହଁ ଆମେ କହୁଛୁ ରାଜ୍ୟ ବିଜେପିର ପୋଷ୍ଟରବୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳର ସୋସିଆଲ ମିଡ଼ିଆ ଚେହେରା ବୈଜୟନ୍ତ ପଣ୍ଡାଙ୍କ କଥା । ସଜ ସଜ ବିଭିନ୍ନ ରାଜ୍ୟର ନିର୍ବାଚନ ଫଳାଫଳ ଆସିଛି । ବଙ୍ଗ ଦଖଲ ସ୍ୱପ୍ନ ସିନା ଭାଙ୍ଗି ଯାଇଛି କିନ୍ତୁ ଏହି ଦୁଃଖକୁ ଲାଘବ କରିଛି ଆସାମ ବିଜୟ । ଆଉ ଏହି ଦୁଇ ରାଜ୍ୟରେ ହୋଇଥିବା ନିର୍ବାଚନରେ ରାଜ୍ୟ ବିଜେପିର ଏହି ଦୁଇ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା । ଧର୍ମେନ୍ଦ୍ରଙ୍କୁ ପଶ୍ଚିମବଙ୍ଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆସନ ନନ୍ଦୀଗ୍ରାମର ପ୍ରଭାରୀ ଦାୟିତ୍ୱ ମିଳିଥିବା ବେଳେ ବୈଜୟନ୍ତଙ୍କୁ ଦିଆଯାଇଥିଲା ଆସାମ ପ୍ରଭାରୀ ଦାୟିତ୍ୱ । ଉଭୟ ଆସାମ ଓ ନନ୍ଦୀଗ୍ରାମରେ ବିଜେପି ବିଜୟ ବାନା ଉଡାଇଛି । ତେବେ ପଶ୍ଚିମବଙ୍ଗରେ ଦଳ ପରାଜିତ ହୋଇଥିବାରୁ ବୈଜୟନ୍ତଙ୍କ ଟ୍ୱିଟର ଆକାଉଣ୍ଟରୁ ବଙ୍ଗକୁ ନେଇ କୌଣସି ଟ୍ୱିଟ୍ ଦେଖିବାକୁ ମିଳିନଥିଲା । କିନ୍ତୁ ଆସାମରେ ପୁଣିଥରେ ଗେରୁଆ ବାନା ଉଡିଛି, ଆଉ ଏଥିପାଇଁ ଆସାମବାସୀ ଓ ବିଜୟ ପଛର ବିନ୍ଧାଣୀଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର । ଆଉ ଧର୍ମେନ୍ଦ୍ରଙ୍କ ଏହି ଶୁଭେଚ୍ଛା ତାଲିକାରେ ମୋଦି, ଶାହା, ନଡ୍ଡା, ସର୍ବାନନ୍ଦ ଓ ହିମନ୍ତଙ୍କ ନାଁ ରହିଛି, ଏପରିକି କାର୍ୟ୍ୟକର୍ତ୍ତା ମଧ୍ୟ ଏଥିରେ ଭାଗ ପାଇଛନ୍ତି । କିନ୍ତୁ ବୈଜୟନ୍ତଙ୍କୁ ଶୁଭେଚ୍ଛା ତାଲିକାରେ ସ୍ଥାନ ଦେଇନାହାନ୍ତି ଧର୍ମେନ୍ଦ୍ର । ଯାହାକୁ ନେଇ ଏବେ ଓଡ଼ିଶା ବିଜେପି ରାଜନୀତିରେ ଚର୍ଚ୍ଚା ବଢିଛି ।
ବିଜେପିର ଆସାମ ବିଜୟ ପାଇଁ ସୋସିଆଲ ମିଡ଼ିଆରେ ବୈଜୟନ୍ତଙ୍କୁ ଦଳୀୟ କର୍ମକର୍ତ୍ତା ଭୂରି ଭୂରି ପ୍ରଂଶସା କରୁଛନ୍ତି । ଯେହେତୁ ବୈଜୟନ୍ତ ବିଜେପିର ଆସାମ ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଉଥିଲେ ତେଣୁ ତାଙ୍କ ଷ୍ଟ୍ରାଟେଜିରେ ଦଳ ଏଠାରେ ଅଦ୍ଭୁତପୂର୍ବ ସଫଳତା ପାଇଲା ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଏପରିକି ଆସାମରେ ଦଳକୁ ବିଜୟୀ କରାଇବା ପାଇଁ ବୈଜୟନ୍ତ ଜି ଜାନ୍ ଲଗାଇ ଦେଇଥିଲେ ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳେ । ତେବେ ସେ ଯାହା ହେଉନା କାହିଁକି ପ୍ରଭାରୀ ଥିବା ବେଳେ ବିଜେପିକୁ ଏଭଳି ସଫଳତା ମିଳିଥିବାରୁ ଏହାର ଶ୍ରେୟ ବୈଜୟନ୍ତଙ୍କୁ ଦେଉଛନ୍ତି ଦଳୀୟ କର୍ମୀ । କିନ୍ତୁ ଆସାମ ବିଜୟ ପାଇଁ ବୈଜୟନ୍ତଙ୍କୁ ଶୁଭେଚ୍ଛା ଜଣାଇବାକୁ ଯେପରି ଧର୍ମେନ୍ଦ୍ରଙ୍କର ଜିଭ ଓଲଟୁନାହିଁ । ଯାହା ଦର୍ଶାଉଛି ଆସାମରେ ଦଳକୁ ମିଳିଥିବା ସଫଳତା ପଛରେ ବୈଜୟନ୍ତଙ୍କର କୌଣସି ଭୂମିକା ନାହିଁ ବୋଲି ଭାବୁଥାଇପାରନ୍ତି ଧର୍ମେନ୍ଦ୍ର । ନଚେତ୍ ଆସାମ ସଫଳତା ପାଇଁ ଶ୍ରେୟ ଓ ଶୁଭେଚ୍ଛା ଜଣାଇ ଦଳରେ ବୈଜୟନ୍ତଙ୍କ ଓଜନ ବଢାଇବାକୁ ଚାହୁଁ ନଥାଇ ପାରନ୍ତି ମୁକୁ । ଏକଥା ଏଥିପାଇଁ ଉଠୁଛି କାରଣ, ପଦ୍ମ ଦଳର ପାୱାର ପଲିଟିକ୍ସରେ ଏବେ ଉଭୟ ନେତାଙ୍କ ମଧ୍ୟରେ ପତିଆରାର ଲଢେଇ ଆରମ୍ଭ ହୋଇଥିବା କୁହାଯାଉଛି ।
ଧର୍ମେନ୍ଦ୍ର ଓ ବୈଜୟନ୍ତ । ରାଜ୍ୟ ବିଜେପିର ଏହି ଦୁଇ ନେତାଙ୍କ ଦିଲ୍ଲୀ ଲବି ବେଶ ଭଲ । ଅଥାର୍ତ ଦିଲ୍ଲୀର ଶୀର୍ଷ ନେତୃତ୍ୱଙ୍କ ସହ ଉଭୟ ନେତାଙ୍କର ସୁସମ୍ପର୍କ ରହିଛି । ଗୋଟିଏ ପଟେ ଦଳର ପାୱାରଫୁଲ କୋଟରୀର ଗୁଡବୁକରେ ଧର୍ମେନ୍ଦ୍ର ରହିଥିବା ବେଳେ ଅନ୍ୟପଟେ ବୈଜୟନ୍ତଙ୍କୁ ମଧ୍ୟ ଦଳର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥଇଥାନ କରାଯାଇଛି । ଧର୍ମେନ୍ଦ୍ର ଯେହେତୁ କେନ୍ଦ୍ରମନ୍ତ୍ରୀ ତେଣୁ ରାଜ୍ୟ ବିଜେପି କ୍ୟାମ୍ପ ଏକପ୍ରକାର ତାଙ୍କ ହାତମୁଠାରେ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଧର୍ମେନ୍ଦ୍ରଙ୍କ ବିନା ଇସାରାରେ ରାଜ୍ୟ ବିଜେପିର ପତ୍ର ହଲେ ନାହିଁ ବୋଲି ଚର୍ଚ୍ଚା ହୁଏ । କିନ୍ତୁ ଦଳରେ ଧର୍ମେନ୍ଦ୍ରଙ୍କ ଏଭଳି ଏକଚାଟିଆ ପ୍ରଭାବ ବିସ୍ତାରକୁ କିଛି ଆମଦାନୀ ନେତା ଗ୍ରହଣ କରିବା ମୁଡରେ ନଥିବା ଭଳି ମନେହୁଏ । ଯେଉଁଥିରୁ ବୈଜୟନ୍ତ ଜଣେ । ଏହାଛଡା ଗତ କିଛି ବର୍ଷ ହେବ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କୁ ପ୍ରଭାବଶୂନ୍ୟ କରିବାକୁ ଜୋରଦାର ଉଦ୍ୟମ ହେଉଛି । ଗୋଟିଏ ପଟେ ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ କ୍ୟାମ୍ପ ଧର୍ମେନ୍ଦ୍ରଙ୍କ ପାଇଁ ଅଡୁଆ ବଢାଉଥିବା ବେଳେ ଏବେ ବୈଜୟନ୍ତ ଦଳରେ ନିଜର କାଟତି ବଢାଇବାକୁ ଜୋରଦାର ଉଦ୍ୟମ କରୁଛନ୍ତି । ତେଣୁ ଏଭଳି ସ୍ଥଳେ ଆସାମ ସଫଳତାର ଶ୍ରେୟ ଦେଇ ବୈଜୟନ୍ତଙ୍କ ଭଳି ଉଚ୍ଚଭିଳାଷୀ ନେତାଙ୍କର ଦଳରେ ଓଜନ ବଢାଇବାକୁ ଚାହୁଁନଥାଇ ପାରନ୍ତି ଧର୍ମେନ୍ଦ୍ର । କାରଣ ଧର୍ମେନ୍ଦ୍ର ବେଶ ଭଲ ଭାବେ ଜାଣିଛନ୍ତି ବୈଜୟନ୍ତଙ୍କୁ ଆଗକୁ ବାଟ ଛାଡିବା ଅର୍ଥ ଦଳରେ ନିଜ ରାଜନୈତିକ ଭବିଷ୍ୟତକୁ ବିପଦକୁ ଠେଲିବା । ତେଣୁ ବୈଜୟନ୍ତଙ୍କୁ ନିଜ ଧନ୍ୟବାଦ ତାଲିକାରୁ ଆଉଟ୍ କରିଥାଇପାରନ୍ତି ଧର୍ମେନ୍ଦ୍ର । ଆଉ ଏହାସହ ଦଳୀୟ ସଙ୍ଗଠନ ଯୋଗୁଁ ବିଜେପି ଆସାମରେ ଜିତିଲା ବୈଜୟନ୍ତଙ୍କ ପାଇଁ ନୁହେଁ, କିଛି ଏଭଳି ସଂକେତ ଦେଇଥାଇପାରନ୍ତି ଧର୍ମେନ୍ଦ୍ର ।