ଚତୁର ଧର୍ମେନ୍ଦ୍ର!
ସମ୍ଭବତଃ ଏହା ସଂଯୋଗ ହୋଇପାରେ ହେଲେ ଏହା ଯେ ଏକ ସୁଚିନ୍ତିତ ରଣନୀତିର ଅଂଶବିଶେଷ, ଏହାକୁ ସଂପୁର୍ଣ୍ଣ ଭାବେ ଅସ୍ୱୀକାର କରାଯାଇ ପାରିବ ନାହିଁ । ପରୀ ପାଇଁ ପଦଯାତ୍ରା ସରିବା ଦିନ ରାତିରେ ହିଁ ଓଡିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଛଦପଟ୍ଟରେ ରହି ପୁରା ପଦଯାତ୍ରାକୁ ତାଙ୍କର ପଲିଟିକାଲ ଅଫିସ୍ ମ୍ୟାନେଜ କରୁଥିବା ଚର୍ଚ୍ଚା ହେଉଥିଲା । କେଉଁ କେଉଁ ନେତା ଯିବେ, କାହାକୁ ଡକାଯିବ ଆଉ କାହାକୁ ଛଡାଯିବ ସେସବୁକୁ ବୁଝାଯାଉଥିଲା ଫରେଷ୍ଟପାର୍କ ସ୍ଥିତ ଧର୍ମେନ୍ଦ୍ରଙ୍କ କ୍ୟାମ୍ପରୁ । ହେଲେ ନିଜେ କିନ୍ତୁ ଧର୍ମେନ୍ଦ୍ର ଏଥିରୁ ଦୂରେଇ ରହୁଥିଲେ ।
ପାୱାର କରିଡରରେ ଚାଲିଥିବା ଚର୍ଚ୍ଚା ଅନୁସାରେ, ବିଜେଡିର କ୍ଷମତାକେନ୍ଦ୍ର ସହ ସଂପର୍କ ରଖି ଆଗକୁ ବଢୁଛନ୍ତି ଧର୍ମେନ୍ଦ୍ର । ବିଜେପିରେ ଥାଇ ମଧ୍ୟ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି । କୁହାଯାଉଛି, ସମ୍ମୁଖ ଲଢେଇ ପାଇଁ ଆଉ ଧର୍ମେନ୍ଦ୍ର ଆଗଭର ନାହାନ୍ତି । କାରଣ ସେ ଜାଣିସାରିଲେଣି ଲଢିଲେ ମଧ୍ୟ ତାଙ୍କ ଜିତିବା ସମ୍ଭାବନା କମ୍ । ତେଣୁ ସନ୍ଧି କରି ସେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ଆଉ ପଦଯାତ୍ରା ମାମଲାରେ ତାଙ୍କର ଅସଲ ରାଜନୈତିକ ଚାଲ୍ ସାମ୍ନାକୁ ଚାଲିଆସିଲା ।
ଅରୁଣ ସାହୁଙ୍କ ମନ୍ତ୍ରୀପଦ ନେବାକୁ ଏକ ବଡ ଧରଣର ଉଦ୍ୟମ ଆରମ୍ଭ କରିଥିଲା ବିଜେପି । ଯେଉଁ ନେତାସବୁ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ସେମାନେ ସମସ୍ତେ ଧର୍ମେନ୍ଦ୍ର ପ୍ରଧାନ କ୍ୟାମ୍ପର । ଅପରାଜିତା, ବୈଜୟନ୍ତଙ୍କ ଭଳି ନେତା ଏଥିରୁ ଦୂରେଇ ରହିଥିଲେ । ତେଣୁ ସମସ୍ତେ ଜାଣିଥିଲେ ଯେ ପଦଯାତ୍ରା ପଛରେ ଧର୍ମେନ୍ଦ୍ର ଅଛନ୍ତି । ହେଲେ ଉପରକୁ ଆସିବାକୁ କୁଆଡେ ଧର୍ମେନ୍ଦ୍ରଙ୍କ ମନରେ ଡର ଥିଲା ବୋଲି ଚର୍ଚ୍ଚା ହେଉଛି । କାରଣ ସେ ବିଜେଡି କ୍ଷମତାକେନ୍ଦ୍ରକୁ କୁଆଡେ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲେ । ବିଜେପିର ଟାର୍ଗେଟ କେବଳ ଅରୁଣ ସାହୁଙ୍କ ଯାଏଁ ସୀମିତ ରହିବା, ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ନଉଠିବା ବିଜେପିର ଆଭିମୁଖ୍ୟକୁ ପ୍ରମାଣିତ କରୁଥିଲା । ତେଣୁ ବେଶ ଚତୁରତାର ସହ ପଦଯାତ୍ରା ମାମଲାରେ ନିଜର ଗୋଟି ଚଳାଇଥିଲେ କେନ୍ଦ୍ରମନ୍ତ୍ରୀ । ଅରୂନ ସାହୁଙ୍କୁ ଟାର୍ଗେଟ କଲେ ହେଲେ ବିଜେଡିକୁ କିନ୍ତୁ ଅସନ୍ତୁଷ୍ଟ କଲେନି । ଅଉ ପଦଯାତ୍ରା ସରିବା ପରେ ଓଡିଶା ଆସି ବାର୍ତ୍ତା ଦେଲେ ଯେ, ପଦଯାତ୍ରାକୁ ସେ ଗୁରୁତ୍ୱର ସହ ଗ୍ରହଣ କରୁନାହାନ୍ତି ।