THE BYAPINI

ନିର୍ବାଚନ ଲଢିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସାହାସ ଅଛି ତ?

Get real time updates directly on you device, subscribe now.

ହଠାତ୍ କାହିଁକି କେଜାଣି ସାଧାରଣ ସଭାରେ ନିର୍ବାଚନ ଲଢିବାକୁ ଆଗ୍ରହ ପ୍ରକାଶ କରିଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଦେଲେ, ରାଜା ସାହାବ ଚାହିିଁଲେ ସେ ନିର୍ବାଚନ ଲଢିବେ । ରାଜା ସାହାବ କିଏ? ରାଜା ସାହାବ ହେଉଛନ୍ତି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ । ହେଲେ ଏମିତି କହିବା ପଛର ଉଦ୍ଦେଶ୍ୟ କଣ ଥାଇପାରେ? କାହିଁକି ହଠାତ୍ ନିର୍ବାଚନ ଲଢିବାକୁ ଆଗ୍ର୍ହ ଦେଖାଇଲେ କେନ୍ଦ୍ରମନ୍ତ୍ରୀ? ବୁଝି ବିଚାରି ବୟାନଟି ଦେଲେ ନା ଏମିତି କହୁ କହୁ କହିଦେଲେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା । ବାସ୍ତବତା ହେଉଛି, ଏବେ ବି ଓଡିଶାରୁ ନିର୍ବାଚନ ଲଢିବାକୁ ସାହାସ ଜୁଟାଇ ପାରିନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନ ହାରିବାର ଭୟ ତାଙ୍କୁ ଏମିତି ଘାରିଛି ଯେ, ନିଜର ନିର୍ବାଚନ ମଣ୍ଡଳୀ କେଉଁଟା ତାକୁ ଏଯାଏଁ ନିର୍ଦ୍ଧାରଣ ବି କରିପାରିନାହାନ୍ତି ।

ଶନିବାର ଖିଣ୍ଡାରେ ଆୟୋଜିତ ଏକ ସଭାରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ‘ରାଜା ସାହେବ ଚାହିଁଲେ ମୁଁ କେତେବେଳେ ଏମ୍‌ପି ବି ହୋଇଯାଇ ପାରିବି’। ଏହି କଥା ପଦକ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା ଆସନରୁ ଛିଡ଼ା ହୋଇ ପାରନ୍ତି ବୋଲି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ନିଜେ ପ୍ରତ୍ୟକ୍ଷ ଲଢ଼େଇରୁ ଦୂରରେ ରହି ଅପ୍ରତ୍ୟାଶିତ ଭାବେ ଦେବଗଡ଼ ରାଜା ନିତେଶ ଗଂଗଦେବଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କଲେ। ସମ୍ବଲପୁର ଯେ ବିଜେପିର ପାରଂପରିକ ଗଡ଼ରେ ପରିଣତ ହୋଇ ସାରିଛି ତାହା ପୁଣିଥରେ ପ୍ରମାଣିତ ହୋଇଥିଲା ଯେତେବେଳେ ନୀତେଶ ଏହି ଅସନରୁ ବାଜିମାତ କରିଥିଲେ ।

ନିଜ ଅଭିଭାଷଣରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଖିଣ୍ଡାର ସେ ପୂର୍ବତନ ଏମ୍‌ପି। କାରଣ ଏବେ ରେଂଗାଲି ବିଧାନସଭା କ୍ଷେତ୍ରରେ ଆସୁଥିବା ଖିଣ୍ଡା ପୂର୍ବରୁ ଝାରସୁଗୁଡ଼ା ବିଧାନସଭା ଅଧୀନରେ ଆସୁଥିଲା। ଝାରସୁଗୁଡ଼ା ବିଧାନସଭା ଦେବଗଡ଼ ଲୋକସଭା କ୍ଷେତ୍ରରେ ଥିଲା। ୨୦୦୪ରୁ ୨୦୦୯ ପର୍ୟ୍ୟନ୍ତ ଧର୍ମେନ୍ଦ୍ର ଦେବଗଡ଼ ଲୋକସଭା କ୍ଷେତ୍ରର ସାଂସଦ ଥିଲେ। ସେହି ହିସାବରେ ସେ ଖିଣ୍ଡାର ପୂର୍ବତନ ଏମ୍‌ପି ହୋଇଥିବାରୁ ତାର ବିକାଶ ଦାୟିତ୍ବ ବି ତାଙ୍କର ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଖିଣ୍ଡା ସମ୍ବଲପୁର ଲୋକସଭା ଅଧୀନରେ ଆସୁଥିବାରୁ ରାଜା ସାହେବ ଚାହିଁଲେ ସେ ପୁଣି ଖିଣ୍ଡାର ଅର୍ଥାତ୍ ସମ୍ବଲପୁରର ‌ଏମ୍‌ପି ହୋଇପାରିବେ ବୋଲି କହିଥିଲେ। ଏହି ଭାଷଣ ଜରିଆରେ ଆଗାମୀ ଦିନରେ ସେ ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ପରୋକ୍ଷରେ ସୂଚାଇ ଦେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। ଧର୍ମେନ୍ଦ୍ର ମଧ୍ୟ ଏହି ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରେ ନିଜ ଅନୁଗତଙ୍କୁ ଦଳୀୟ ଦାୟିତ୍ବ ଦେଇ ଚର୍ଚ୍ଚାକୁ ବଳ ଦେଇଛନ୍ତି।

ହେଲେ ପ୍ରତ୍ୟକ୍ଷ ନିର୍ବାଚନରୁ ସବୁବେଳେ ନିଜକୁ ଦୁରେଇ ରଖୁଥିବା ଧର୍ମେନ୍ଦ୍ର ପ୍ରଧାନ ଯେ ସାମ୍ନାକୁ ଆସି ଲଢିବେ, ଏକଥା କାହିଁକି ସହଜରେ ବିଶ୍ୱାସ ହେଉନାହିଁ । ୨୦୧୯ରେ ନିଜ ପାଇଁ ଏକ ଆସନ ଖୋଜି ପାଇନଥିଲେ କେନ୍ଦ୍ରମନ୍ତ୍ରୀ । ଚର୍ଚ୍ଚା ଏମିତି ହୋଇଥିଲା ଯେ ହାରିବାର ଭୟ ଯୋଗୁଁ ସେ ଏଥିରୁ ପଛଘୁଂଚା ଦେଇଥିଲେ । ତେଣୁ ଏଭଳି ପରିସ୍ଥିତିରେ ଜିତିବାର ଗ୍ୟାରେଂଟୀ ନଥାଇ ଯେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଏହା ଏତେ ସହଜ ମନେ ହେଉନାହିଁ । ଯଦି ପ୍ରତ୍ୟକ୍ଷ ନିର୍ବାଚନରୁ ଧର୍ମେନ୍ଦ୍ର ଦୁରେଇ ରୁହନ୍ତି ତେବେ ଉଭୟ ଅପରାଜିତା ଷଡଙ୍ଗୀ ଏବଂ ବୈଜୟନ୍ତ ପଣ୍ଡା ତାଙ୍କ ପାଇଁ ଏକ ବଡ ବିପଦ ହୋଇ ଆଗାମୀ ଦିନରେ ଠିଆ ହୋଇପାରନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.