ବାଲେଶ୍ୱରରେ ବାତ୍ୟା ପ୍ରଭାବିତ ଅଂଚଳ ବୁଲିଲେ କେନ୍ଦ୍ରମନ୍ତ୍ରୀ
ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାତ୍ୟା ଛାଡିବାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ଏବେ ବହୁ ପରିବାର ଦୁର୍ଦିନରେ ଅଛନ୍ତି । ବହୁ ଅଂଚଳ ଲୁଣି ପାଣି ମାଡ଼ିଯିବା ସହ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ ହୋଇଯାଇଛି । ବାତ୍ୟା ପ୍ରଭାବିତ ଅଂଚଳର ଦୁର୍ଦ୍ଦଶା ସୁଧୁରି ନଥିବାରୁ ଅଞ୍ଚଳବାସୀ ଏହାର ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ଦାବି ରଖିଛନ୍ତି ।
ବାଲେଶ୍ୱର ଜିଲ୍ଲାର ସିମୁଳିଆ, ସୋର, ବାହାନଗା ଅଂଚଳର ବାତ୍ୟା ସ୍ଥିତି କରିଛନ୍ତି ସମୀକ୍ଷା ସହ ତ୍ରିକୋଣିଆ ଗ୍ରାମପଂଚାୟତ ଅନ୍ତର୍ଗତ ଚାରିଗୋଛିଆ, ସାରଥା ଗ୍ରାମପଂଚାୟତର ମୁହାଣ ଏବଂ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ସହ ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗାଁର କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସମୁଦ୍ର କୂଳ ଅଞ୍ଚଳମାନଙ୍କରେ ହେନ୍ତାଳବଣ ସୃଷ୍ଟି କରିବା, ବ୍ୟାପକ ଝାଉଁଗଛ ଲଗାଇବା, ନଦୀବନ୍ଧ ସୁଦୃଢ କରିବା, ନଦୀ ଓ ସମୁଦ୍ର ତଟରେ ବସବାସ କରୁଥିବା ଗାଁଗୁଡ଼ିକର ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପକ୍କାଘର ବଣ୍ଟନ କରିବା, ସଂପୃକ୍ତ ଅଂଚଳରେ ବିଦ୍ୟୁତ ସେବା ଅବ୍ୟାହତ ପାଇଁ ମାଟିତଳେ କେବୁଲ ବିଛାଇବା, ପିଇବା ପାଣିର ଅଭାବ ଅସୁବିଧା ବୁଝିବା କାର୍ୟ୍ୟକ୍ରମ କଲେ ବାତ୍ୟାର ମୁକାବିଲା କରିବା ସହଜ ସାଧ୍ୟ ହୋଇପାରିବ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ କ୍ଷତିଗ୍ରସ୍ତ ଅଂଚଳର ପୁନଃ ଉଦ୍ଧାର କରାଯିବ ବୋଲି କହିଛନ୍ତି ।
ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲ୍ଲା ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେ । ପାରାଦୀପ, ଆଳି,ରାଜନଗର, ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଂଚଳ ଅନୁଧ୍ୟାନ କରିବା ସହ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପନ୍ନଙ୍କ ସହ କଥା ହୋଇଥିଲେ ।