ଢେଙ୍କାନାଳ: ପୁରୁଷଶୂନ୍ୟ ହୋଇଗଲା ପରିବାର
ମହାମାରୀ ଉଜାଡିଦେଲା ପରିବାର । ହସଖୁସିର ସଂସାରରେ ଲାଗିଗଲା କରୋନା ଗ୍ରହଣ । ପୁରୁଷଶୂନ୍ୟ ହୋଇଗଲା ପରିବାର । ଢେଙ୍କାନାଳ ଓଡାପଡାରୁ ଆସିଛି ଏଭଳି ଏକ ନିଶ୍ୱାସ ଅଟକିଯିବା ଭଳି ଖବର । ଜଣକ ପରେ ଜଣେ ଆଗ ପଛ ହୋଇ ଚାଲିଗଲେ ପରିବାରର ତିନି ପୁଅ ଓ ବାପା । ମାଆ ଏବେ ବି କୋଭିଡ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଏଭଳି ହୃଦୟବିଦାରକ ଘଟଣା ପରେ ପୁରା ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସ୍ତବ୍ଧ ହୋଇଯାଇଛି ଗାଁ ।
କରୋନା ଯେ କେତେ ଭୟଙ୍କର ଯିଏ ଅଙ୍ଗେ ନିଭେଇଛି ସେ ଜାଣିଛି । ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ମହାଦିଆ ଗାଁର ପଂଚାନନ ଲେଙ୍କା ପରିବାର ଏବେ ପୁରୁଷଶୂନ୍ୟ । ପଂଚାନନଙ୍କ ବଡ଼ ପୁଅକୁ ନିରଂଜନ ଲେଙ୍କା ୩ ମାସ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ । ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ନିରଂଜନଙ୍କର ମୃତ୍ୟୁ ହୋଇଥିଲା । ବଡ଼ପୁଅର ମୃତ୍ୟୁରେ ଦୁଃଖରେ ଭାଙ୍ଗିପଡ଼ିଥିଲେ ପରିବାର ଲୋକେ । କିନ୍ତୁ ଏତିକିରେ ଦୁଃଖ ସରିନଥିଲା ଏହା ପରେ ପୁରା ପରିବାର କରୋନାରେ ସଂକ୍ରମିତ ହୋଇଥିଲେ । ତେବେ ଗତ ୨୭ ତାରିଖ ଗୁରୁବାର ମଝିଆ ପୁଅ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା । ଏହାର ଦିନକ ଦିନକ ପରେ ଅର୍ଥାତ୍ ୨୮ ତାରିଖରେ ସାନପୁଅ ସୁରେଶଙ୍କ ମଧ୍ୟ କରୋନା ଯୁଦ୍ଧରେ ହାରିଯାଇଥିଲେ । ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିଲେ । ହେଲେ ୩ ପୁଅର ମୃତ୍ୟୁ ପରେ ଭାଙ୍ଗପଡିଥିବା ବାପା ପଞ୍ଚାନନଙ୍କର ମଧ୍ୟ ଦିନକ ପରେ କରୋନାରେ ଆଖି ବୁଜିଥିଲେ । ପୂରା ପରିବାରକୁ ପୁରୁଷ ଶୂନ୍ୟ କରିଦେଇଛି ମହାମାରୀ । ଛାର୍ଖାର୍ ହୋଇଯାଇଛି ହସଖୁସିର ସଂସାର ।
ପଞ୍ଚାନନଙ୍କ ପତ୍ନୀ ପ୍ରେମଲତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଭାବେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତିନିପୁଅ ସହ ବାପାଙ୍କ ମୃତ୍ୟୁ ଭଳି ହୃଦୟ ବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମହାଦିଆ ଗ୍ରାମକୁ ପ୍ରଶାସନ କଣ୍ଟେନମେଣ୍ଟ୍ ଜୋନ୍ କରିଥିବା ବେଳେ ସଂକ୍ରମିତଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ସଂକ୍ରମିତ ଖୋଲାଖୋଲି ଭାବେ ବୁଲୁଛନ୍ତି । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉନଥିବା ବେଳେ ସେମାନଙ୍କୁବାରଣ କରିବାକୁ କେହି ନାହିଁ । ଯାହା ଫଳରେ ଗ୍ରାମରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।