THE BYAPINI

ବିଜେପି ଦାବି କରୁ – ଭୃଗୁ, ଗୋଲକଙ୍କୁ ଗିରଫ କର !

Get real time updates directly on you device, subscribe now.

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କର । ଗତ ଦୁଇ ଦିନ ହେବ ଏଭଳି ନାରା ଦେଇ ଆସୁଛି ବିଜେପି । ମାହାଙ୍ଗା ଡବଲ ମର୍ଡର କେସକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିବା ବିଜେପି ଏହି ହତ୍ୟାକାଣ୍ଡ ପଛରେ ମନ୍ତ୍ରୀଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି । ଏପରିକି ମୃତ କୁଳମଣି ବରାଳଙ୍କ ପୁଅ ଦେଇଥିବା ଏତଲାରେ ୧୩ ଜଣଙ୍କ ନାଁ ଭିତରେ ମନ୍ତ୍ରୀଙ୍କର ନାଁ ରହିଛି । ତେଣୁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ସହ ଗିରଫ ଦାବି କରୁଛି ରାଜ୍ୟ ବିଜେପି । ମାହାଙ୍ଗା ହତ୍ୟାକାଣ୍ଡରେ ପଛରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଛି, ଏହାର କୌଣସି ପ୍ରମାଣ ମିଳିନଥିଲେ ମଧ୍ୟ ଅଭିଯୋଗ ଓ ଏତଲା ଆଧାରରେ ମନ୍ତ୍ରୀଙ୍କୁ ଗିରଫ କରିବାକୁ ଦାବି ଉଠାଉଛନ୍ତି ବିଜେପିର ତୁଙ୍ଗ ନେତା ।

ଯଦି ଅଭିଯୋଗ ଓ ଏତଲା ଆଧାରରେ ପ୍ରତାପଙ୍କୁ ଗିରଫ କରିବାକୁ ପଦ୍ମ ଶିବିର ଦାବି କରୁଛି ତେବେ ନିଜ ଦଳର ଦୁଇ ନେତାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଫର୍ମୁଲା ଆପଣାଇବାକୁ କାହିଁକି ଦାବି କରୁନାହିଁ ବିଜେପି ବୋଲି ବିଜେଡି ଶିବିରରୁ ପ୍ରଶ୍ନ ଉଠିଛି । ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର । ଏହି ସେହି ଦୁଇ ନେତା ଯେଉଁମାନଙ୍କ ନାଁ ମଧ୍ୟ ହତ୍ୟା ମାମଲାରେ ସାମ୍ନାକୁ ଆସିଛି । ତେଣୁ ଏମାନଙ୍କ କ୍ଷେତ୍ରରେ ଡବଲ ଷ୍ଟାଣ୍ଡାର୍ଡ ନୀତି କାହିଁକି ଆପଣାଉଛି ଦଳ । ଆମେ ଆପଣଙ୍କୁ ମନେ ପକାଇଦେବାକୁ ଚାହୁଁଛୁ, ଗଞ୍ଜାମରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଉଭୟ ଗୋଲକ ଓ ଭୃଗୁଙ୍କ ନାଁରେ ଏତଲା ରହିଛି । ଏପରିକି ପୋଲିସ ଉଭୟ ଭୃଗୁ ଓ ଗୋଲକଙ୍କୁ ଡାକି ଜେରା ମଧ୍ୟ କରିଛି । ତେଣୁ ନିଜର ଦଳର ନେତାଙ୍କ କ୍ଷେତ୍ରରେ କାହିଁକି ସାଇଲେଣ୍ଟ ରହୁଛି ବିଜେପି । ଯେଉଁ ନ୍ୟାୟରେ ବିଜେପି ପ୍ରତାପ ଜେନାଙ୍କ ଗିରଫ ଦାବି କରୁଛି ସେହି ନ୍ୟାୟରେ ଉଭୟ ଭୃଗୁ ଓ ଗୋଲକଙ୍କ ଗିରଫଦାରୀ ଦାବି କରିବାକୁ ସତସାହସ ଦେଖାଇପାରିବେ କି ଲେଖାଶ୍ରୀ ଓ ପୃଥ୍ୱୀରାଜ ହରିଚନ୍ଦନ ।

ନ୍ୟାୟ ପାଇଁ ଲଢେଇର ବାର୍ତ୍ତା ଦେଉଥିବା ବିଜେପି ନିଜ ଦଳୀୟ ନେତାଙ୍କ ଅନ୍ୟାୟକୁ କାହିଁକି ଘଣ୍ଟ ଘୋଡାଉଛି । କିଛି ଫଟୋକୁ ନେଇ ଯଦି ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଦର୍ଶଯାଉଛି ଓ ତାଙ୍କ ଜାଣତରେ ଏବଂ ଛତ୍ରଛାୟା ତଳେ ଏଭଳି ଅପରାଧ ବିଜେଡି କର୍ମୀ କରୁଛନ୍ତି ବୋଲି ବିଜେପି ଯୁକ୍ତି ବାଢୁଛି ଓ ଗିରଫ କରିବାକୁ ଦାବି କରୁଛି । ତେବେ ସେଭଳି କ୍ଷେତ୍ରରେ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଗୋଲକ ମହାପାତ୍ର ବାରମ୍ବାର ଫୋନରେ ଯୋଗାଯୋଗରେ ରହିବା, ଏହା ଜାଣିବା ପରେ ମଧ୍ୟ ଯେ ପୋଲିସ ସେମାନଙ୍କୁ ଏକ ହତ୍ୟା ମାମଲାରେ ଖୋଜୁଛି ସେଭଳି କ୍ଷେତ୍ରରେ ଦଳ କାହିଁକି ନିରବ ରହିଛି । ପ୍ରଶ୍ନ ଉଠୁଛି, ବିଜେପିର ଏହି ନ୍ୟାୟ ଲଢେଇର ମାନେ କଣ? ନିଜ ଦଳର ନେତାଙ୍କ କ୍ଷେତ୍ରରେ ସାଇଲେଣ୍ଟ, ରାଜନୀତି ପାଇଁ ଅନ୍ୟ ଦଳର ନେତାଙ୍କ କ୍ଷେତ୍ରରେ ଭାଓଲେଣ୍ଟ ।

ଏସବୁ ଭିତରେ ମାହାଙ୍ଗା ମର୍ଡର କେସରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଏହାସତ୍ତ୍ୱେ ମଧ୍ୟ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବି କରୁଛି ବିଜେପି । ଯାହା ଦର୍ଶାଉଛି ଏହି ପ୍ରସଙ୍ଗରେ ବିଜେପି ରାଜନୀତି ରୋଟି ସେକିବାକୁ ମନସ୍ଥିର କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.