ପ୍ରତାପଙ୍କ ବେଳକୁ ଗର୍ଜନ, ଉପାସନାଙ୍କ ବେଳକୁ ଚୁପ୍!
ମୁଦାଲା ନମ୍ବର ୧୩ ପାଇଁ ଗର୍ଜନ, କିନ୍ତୁ ମୁଦାଲା ନମ୍ବର ୪ ପାଇଁ ପୂରା ଚୁପ୍ । ନିଜକୁ ସ୍ୱଚ୍ଛ ଓ ନିରପେକ୍ଷର ଟ୍ୟାଗ ଦେଇ ଓଡ଼ିଶାବାସୀଙ୍କ ଆଗରେ ଡିଣ୍ଡିମ ପିଟୁଥିବା ଏକ ନିର୍ଦ୍ଦିଷ୍ଟ ୱେବ ମିଡ଼ିଆର ଡବଲ ଷ୍ଟାଣ୍ଡାର୍ଡ ନୀତି ଏବେ ପଦାରେ ପଡିଛି । ବିଜେଡିକୁ ଟାର୍ଗେଟ କରିବା ଓ ବିଜେପିକୁ ସୁହାଇବା ଭଳି ନ୍ୟୁଜ ପରିବେଷଣ କରି ଲୋକଙ୍କୁ ବାସ୍ତବ ସତରୁ ଏହି ୱେବ ମିଡ଼ିଆ ଦୂରେଇ ରଖୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୁଦାଲା ନମ୍ବର ୧୩ ଓ ମୁଦାଲା ନମ୍ବର ୪କୁ ନେଇ ଏହି ୱେବ ମିଡ଼ିଆର ଭିନ୍ନ ଆଭିମୁଖ୍ୟ ଜଣେ ସଚେତନ ଦର୍ଶକ ଭାବେ ଆମକୁ ମଧ୍ୟ ଆଚମ୍ବିତ କରିଛି । ତେବେ ମୁଦାଲା ନମ୍ବର ୧୩ ଓ ମୁଦାଲା ନମ୍ବର ୪ କଣ ସେ ବାବଦରେ ଥରେ ନଜର ପକାଇବାର ଆବଶ୍ୟକତା ରହିଛି । ଆଉ ଏହି ବିଶ୍ଲେଷଣ ପରେ ଆମେ କହୁଥିବା ୱେବ ମିଡ଼ିଆର ଡବଲ ଷ୍ଟାଣ୍ଡାର୍ଡ ନୀତି ବାବଦରେ ଆପଣ ମଧ୍ୟ ବେଶ ଭଲଭାବେ ଅବଗତ ହୋଇଯିବେ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ମୁଦାଲା ନମ୍ବର ୧୩ । ଏଫଆଇଆର କପିକୁ ଦେଖାଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଦାଲା ନମ୍ବର ୧୩ର ଟ୍ୟାଗ୍ ଦିଆଗଲା । ଏଫଆଇଆର ଅନୁଯାୟୀ ଏହି ମର୍ଡର ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ଦର୍ଶାଇ ଗଳା ଫଟାଇ ପ୍ରତାପଙ୍କୁ ବାରମ୍ବାର ପ୍ରଶ୍ନ ପଚାରିଲେ ସମ୍ପୃକ୍ତ ୱେବ ମିଡିଆର ସାମ୍ବାଦିକ । କାହିଁକି ମନ୍ତ୍ରୀଙ୍କୁ ଜେରା କରାଯିବନି, ଯଦି ସମ୍ପୃକ୍ତି ନାହିଁ କାହିଁକି ବିତର୍କ କରୁନାହାନ୍ତି? ମନ୍ତ୍ରୀଙ୍କୁ କିଏ ଘଣ୍ଟ ଘୋଡାଉଛି? ଏମିତି ଅନେକ ପ୍ରଶ୍ନ, ନିରପେକ୍ଷ ଓ ନିର୍ଭୀକ ଗଣମାଧ୍ୟମ ଭାବେ ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗ ଥିବା ଜଣେ ବ୍ୟକ୍ତିଙ୍କୁ ଏଭଳି ପ୍ରଶ୍ନ ପଚାରିବାର ଆବଶ୍ୟକତା ରହିଛି । ସେ ମନ୍ତ୍ରୀ ହୁଅନ୍ତୁ ବା ସାଧାରଣ ଜନତା । କିନ୍ତୁ ପ୍ରଶ୍ନ ଉଠୁଛି ସମ୍ପୃକ୍ତ ୱେବ ମିଡିଆର ସାମ୍ବାଦିକଙ୍କ ଏଭଳି ପ୍ରଶ୍ନ କଣ କେବଳ ନିର୍ଦ୍ଦିଷ୍ଟ ଦଳର ନେତା ଓ ମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ? ନା ଦଳୀୟ ଆଧାରରେ ସ୍ଥିର କରାଯାଉଛି ପୂରା ଏଜେଣ୍ଡା । ଏକଥା ଆମେ ଏଥିପାଇଁ କହୁଛୁ, କାରଣ ଉକ୍ତ ୱେବ ମିଡ଼ିଆରେ ଦଳୀୟ ଭିତ୍ତିରେ ଯେଉଁଭଳି ଖବର ପ୍ରସାରଣ କରାଯାଉଛି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ । କେବଳ ପ୍ରତାପ ନୁହଁନ୍ତି ବରଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ନେଇ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଥିଲା ଉକ୍ତ ୱେବ ମିଡ଼ିଆରେ । ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ଧରାପଡିବା ପରେ ମଧ୍ୟ ଅଭିଯୋଗ ଆଧାରରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଉକ୍ତ ୱେବ ମିଡିଆରେ ଯେଉଁଭଳି ଚିତ୍ରଣ କରାଗଲା ଉକ୍ତ ୱେବ ଚ୍ୟାନେଲର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ଇଏ ତ ଥିଲା ମାହାଙ୍ଗା ମର୍ଡର ଘଟଣାରେ ମୁଦାଲା ନମ୍ବର ୧୩କୁ ନେଇ ଉକ୍ତ ୱେବ ଚ୍ୟାନେଲର ଆଭିମୁଖ୍ୟ । ଏବେ ଥରେ ମୁଦାଲା ନମ୍ବର ୪କୁ ନେଇ ଉକ୍ତ ୱେବ ଚ୍ୟାନେଲ କଣ ଆଭିମୁଖ୍ୟ ରହିଛି ତାହା ଉପରେ ନଜର ପକାଇବା ।

ଭୁବନେଶ୍ୱରର ଭଡାଟିଆଙ୍କୁ ଗୁଣ୍ଡା ଲଗାଇ ଆକ୍ରମଣ ଘଟଣାରେ ମୁଦାଲା ନମ୍ବର ୪ । ଆକ୍ରମଣ ଘଟଣାକୁ ଦିନଟିଏ ବିତିଗଲାଣି, କିନ୍ତୁ ଏ ବାବଦରେ ଉକ୍ତ ୱେବ ଚ୍ୟାନେଲ ଖବର ପ୍ରସାରଣ ନ କରିବାକୁ ସତେ ଯେପରି ପଣ କରିଛି । ଏପରିକି ମନ୍ତ୍ରୀ ପ୍ରତାପଙ୍କୁ ଘନ ଘନ ପ୍ରଶ୍ନ ପଚାରୁଥିବା ଉକ୍ତ ସାମ୍ବାଦିକଙ୍କ ମୁହଁରେ ଯେପରି ତୁଣ୍ଡି ପଡିଛି । ଆଉ ମୁଦାଲା ନମ୍ବର ୪କୁ ନେଇ ଚୁପ ରହିବାର ସବୁଠୁ ବଡ କାରଣ ତାଙ୍କ ପଛରେ ଲାଗିଥିବା ଦଳୀୟ ଟ୍ୟାଗ୍ ବୋଲି ଚର୍ଚ୍ଚା ହେଉଛି । ଭଡାଟିଆଙ୍କୁ ଆକ୍ରମଣ ଘଟଣାର ମୁଦାଲା ନମ୍ବର ୪ ହେଉଛନ୍ତି ବିଜେପି ନେତ୍ରୀ ଉପାସନା ମହାପାତ୍ର । ଦାଦା ବିଜେପିର ବିଧାୟକ । ଭଡାଟିଆଙ୍କୁ ଆକ୍ରମଣ ଘଟଣାରେ ଯେଉଁ ଏଫଆଇଆର ହୋଇଛି ସେଥିରେ ମୁଦାଲା ନମ୍ବର ୪ ରହିଛନ୍ତି ଉପାସନା । ଅଭିଯୋଗକାରଣୀ ତାନ୍ୟା ରୟ ଯେଉଁ ଏଫଆଇଆର ଦେଇଛନ୍ତି, ସେଥିରେ କିଭଳି ଅମାନୁଷିକ ଭାବେ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ବାପାଙ୍କୁ ମାରପିଟ୍ କରିଛନ୍ତି ତାହା ଦର୍ଶାଯାଇଛି । ଏପରିକି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଉପାସନାଙ୍କ ଉପସ୍ଥିତିରେ ୪୦ରୁ ୫୦ ଜଣ ଗୁଣ୍ଡା ଘଣ୍ଟା ଘଣ୍ଟା ଧରି ଏଭଳି କାଣ୍ଡ ଭିଆଇଥିଲେ । କିନ୍ତୁ ନିଜକୁ ଜଗୁଆଳି ମିଡ଼ିଆରୁ ଦୂରେଇ ରଖୁଥିବା ତଥା ଲୋକଙ୍କ ନ୍ୟାୟର ଲଢେଇରେ ସାମିଲ ହେଉଥିବା ନେଇ ଛାତି ବାଡେଇ କହୁଥିବା ଉକ୍ତ ୱେବ ମିଡ଼ିଆର ସାମ୍ବାଦିକ ବନ୍ଧୁ ତନ୍ୟାଙ୍କ ଅଭିଯୋଗକୁ ନେଇ ପୂରା ଚୁପ୍ ।
ଏଠି ପ୍ରଶ୍ନ ଉଠୁଛି କଣ ଉପାସନା ବିଜେପି ନେତ୍ରୀ ବୋଲି ପ୍ରଶ୍ନ ପଚାରିବାକୁ ସାହସ ଜୁଟାଇ ପାରୁନି କି ଉକ୍ତ ୱେବ ମିଡ଼ିଆ ? ନା ଜାଣିଶୁଣି ଉପାସନାଙ୍କ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖୁଛି ଉକ୍ତ ସଂସ୍ଥା । ଗୋଟିଏ ପଟେ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରି ନିରପେକ୍ଷତାର ପରିଚୟ ଦେଉଥିବା ସଂସ୍ଥା ଉପାସନାଙ୍କୁ ପ୍ରଶ୍ନ ବାଣ ଛାଡିବାରେ କାହିଁକି ପକ୍ଷପାତିତା କରୁଛି । ଆଉ ଉକ୍ତ ସଂସ୍ଥାର ଏଭଳି ଡବଲ ଷ୍ଟାଣ୍ଡାର୍ଡ ଆଭିମୁଖ୍ୟ ପଛରେ କଣ ରହିଛି କାରଣ । ଚର୍ଚ୍ଚା ଅନୁଯାୟୀ, ଉକ୍ତ ୱେବ ମିଡ଼ିଆର ପ୍ରଚ୍ଛଦପଟରେ ଜଣେ ପ୍ରଭାବଶାଳୀ ବିଜେପି ନେତାଙ୍କ ଆର୍ଶୀବାଦ ରହିଛି । ତେଣୁ ଉକ୍ତ ସଂସ୍ଥାରେ କାମ କରୁଥିବା ସାମ୍ବାଦିକ ବନ୍ଧୁ ଦଳୀୟ ଏଜେଣ୍ଡାରେ ବନ୍ଧା ବୋଲି କୁହାଯାଉଛି । ଆଉ ଯେତେବେଳେ ଭୁବନେଶ୍ୱରର ଭଡାଟିଆଙ୍କୁ ଆକ୍ରମଣ ମାମଲାରେ ମୁଦାଲା ନମ୍ବର ୪ ଖୋଦ୍ ବିଜେପି ନେତ୍ରୀ ରହିଛନ୍ତି ସେତେବେଳେ ସାଧାରଣ ଲୋକଙ୍କ ନ୍ୟାୟର ଲଢେଇରୁ ନିଜକୁ ଦୂରେଇ ରଖିଛନ୍ତି ନିରପେକ୍ଷ କହୁଥିବା ଉକ୍ତ ୱେବ ମିଡ଼ିଆ ।