THE BYAPINI

କଙ୍କାଳ : ପ୍ରଶ୍ନ ଅଧିକ ଉତ୍ତର କମ୍ !

Get real time updates directly on you device, subscribe now.

ଗତ ଦୁଇ ଦିନ ଧରି ସମସ୍ତଙ୍କୁ ଦୋହଲାଇ ଦେଲା ଭଳି ଗୋଟିଏ ଖବର ଉପରେ ସମସ୍ତଙ୍କର ନଜର ରହିଛି । ଥାନା ଫାଣ୍ଡି ସାମ୍ନାରୁ ଜବତ ଗାଡି ଭିତରେ ଥିଲା ଜଣେ ମହିଳାଙ୍କ କଙ୍କାଳ । ଏହା ଶୁଣିଲେ ଦେହ ଶିତେଇ ଯାଉଛି । ପ୍ରାୟ ମାସେ ତଳେ ଏହି ଖବର ପୁଲିସ ବାବୁ ଜାଣିଥିଲେ ମଧ୍ୟ ତାକୁ ଚପାଇ ରଖିଥିଲେ । ଆଉ ଯେତେବେଳେ କୈାଣସି ସୁତ୍ରରୁ ଖବରପାଇ ସମସ୍ତ ଗଣମାଧ୍ୟମ ଗୁଡିକ ଛାନଭିନ ଆରମ୍ଭ କଲେ ସେତେବେଳେ ବାଧ୍ୟ ହୋଇ ପୋଲିସ ଅଧିକାରୀ ସାମ୍ନାକୁ ଆସିଲେ ଆଉ କହିଦେଲେ ଯାହା କହିବା କଥା । ପୋଲିସର ଉତ୍ତର ପାଇ ଗଣମାଧ୍ୟମ ଖବରକୁ ଆହୁରି ଘାଂଟିଲା । ଆଉ ଯେତେ ଗଭୀରକୁ ସାମ୍ବାଦିକ ଗଲେ ସେତେ ନୁଆ ନୁଆ କାହାଣୀ ସାମ୍ନାକୁ ଆସିଲା । ପୋଲିସ ଏହାକୁ ଯେତେ ସାଧାରଣ ଘଟଣା କହି ଏଡାଇ ଦେଉଛି, ଏହା ଆହୁରି ସାଂଘାତିକ ରୁପ ଧରି ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ଅରମ୍ଭ ହୋଇଗଲାଣି ।

ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ପୋଲିସ ଅଧିକାରୀ କହିଛନ୍ତି, ଶରୀରରେ କୈାଣସି ଶକ୍ତ ଆଘାତ କରାଯାଇନଥିଲା । ମୃତକଙ୍କ ପ୍ରାଥମିକ ପରୀକ୍ଷା ଏବଂ କଙ୍କାଳ ପରୀକ୍ଷଣ ପରେ ଜଣାପଡିଥିଲା ମହିଳା ଜଣକ ଅସୁସ୍ଥ ଥିଲେ । ମହିଳାଙ୍କର ବୟସ ୪୫ ବର୍ଷ ହେବ । ମୃତ୍ୟୁ ପୁର୍ବରୁ ରୋଗରେ ଯକ୍ଷ୍ମା ରୋଗରେ ପିଡୀତ ଥିଲେ ବୋଲି ପୋଲିସ ସୁଚନା ଦେଇଛି । ହେଲେ ପୋଲିସର ପୁର୍ବ ବୟାନ, ଜବତ ଗାଡି ମାଲିକଙ୍କ ବୟାନ ଏବଂ ପୋଲିସର ପୋଷ୍ଟମର୍ଟମ ରିପୋର୍ଟ ଅନେକ ସନ୍ଦେହକୁ ଜନ୍ମ ଦେଇଛି । ଘଟଣା ପ୍ରଥମେ ସାମ୍ନାକୁ ଆସିବା ପରେ ଯେଉଁ ଥିଓରୀ ସବୁ ପୋଲିସ ଅଧିକାରୀ ବାହାରକୁ ଛାଡିଥିଲେ ତାକୁ କେହି ବିଶ୍ୱାସ ନକରିବା ପରେ ନୁଆ ଥିଓରୀ ସାମ୍ନାକୁ ଆସୁଥିବା କୁହାଯାଉଛି ।

ଗଣମାଧ୍ୟମକୁ ଗାଡି ମାଲିକ ଦେଇଥିବା ବୟାନ ଅନୁସାରେ, ସେ ଗାଡି ପାଖକୁ ଗଲାବେଳକୁ ସେଥିରୁ ଦୁର୍ଗନ୍ଧ ବାହାରୁଥିଲା । ହେଲେ ପୋଲିସ ଅଧିକାରୀ କହୁଥିଲେ କୈାଣସି ଗନ୍ଦ ଜଣାପଡୁନଥିଲା । ଜଣେ ମହିଳା ଗାଡି ଭିତରେ ପଶି ମୃତ୍ୟୁବରଣ କରୁଛନ୍ତି ଆଉ ମାସ ମାସ ଧରି ଗାଡି ଭିତରେ ରହି କଙ୍କାଳ ପାଲଟି ଯାଉଛନ୍ତି ତାର ଟେର ବି ଫାଣ୍ଡି ଅଧିକାରୀ ପାଉନାହାନ୍ତି, ଯେଉଁଠୁ ମାତ୍ର କେତେ ଶହ ମିଟର ଦୁରରେ ସେ ବସୁଛନ୍ତି । ବଡ ଆଶ୍ଚର୍ଯ୍ୟକର କଥା ହେଉଛି, ସବୁ ଜାଣି ସମସ୍ତେ ଚୁପ ଥିଲେ ନା ଘଟଣାକୁ ଚାପି ଦେବାକୁ ଏକ ବଡ ଧରଣର ଉଦ୍ୟମ ହୋଇଥିଲା । ଦ୍ୱିତିୟ ଦିଗଟି ହେଉଛି, ସିଜ୍ ଗାଡିକୁ ଖୋଲା ରଖିଲା କିଏ? ଆଉ ମହିଳା ଜଣକ ଅନ୍ୟ କେଉଁ ସ୍ଥାନକୁ ନଯାଇ ଫାଣ୍ଡି ପାଖରେ କାନ୍ଥ କଡରେ ରଖାଯାଇଥିବା ଗାଡିର ଡୋର୍ ଖୋଲି ସେଠାରେ ରହିବା ପାଇଁ କାହିଁକି ନିଷ୍ପତ୍ତି ନେଲେ? ଏହା ଏଭଳୀ ଏକ ଦିଗ ଯାହାର ସନ୍ତୋଷ ଜନକ ଉତ୍ତର ଏଯାଏଁ ମିଳିନାହିଁ ।

ସବୁଠାରୁ ବଡ କଥା ହେଉଛି, ଘଟଣା ପୋଲିସ ଅଧିକାରୀଙ୍କ ନଜରକୁ ଆସିବାର ପ୍ରାୟ ମାସେ ପରେ ଯାଆଁଳା ଫାଣ୍ଡି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯଦି ସେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ବୋଲି ତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଗଲା ତେବେ ଘଟଣା ଜଣାପଡିବାର କେଇ ଦିନ ଭିତରେ କାହିଁଖି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଏଥିପାଇଁ ମାସେ ପାଖାପାଖି ସମୟ ଅପେକ୍ଷା କରିବାର ଆବଶ୍ୟକତା କାହିଁକି ପଡିଲା । କୁହାଯାଉଛି, ଘଟଣା ଚାପିଦେବାକୁ ଜଣେ ବରିଷ୍ଠ ଅଧିକାରୀ କୁଆଡେ ସେସମୟରେ ନିର୍ଦ୍ଦେଶ ଦେଇଥିଲେ । ହେଲେ ଘଟଣା ଚପିବା ପଦଳରେ ଏବେ ସବୁଠି ଛପିଗଲାଣି ଯାହା ପୋଲିସ ପାଇଁ ବଡ ମୁଣ୍ଡବିନ୍ଧାର କାରଣ ପାଲଟୁଛି । ଏହି ମାମଲାର ତଦନ୍ତ ଭାର ମହିଳା ଥାନା ଅଧିକାରୀଙ୍କୁ ଦିଆଯାଇଛି । ମହିଳାଙ୍କ ପରିଚୟ ଖୋଜି ପାଇବା ସହ ଏହା ପଛର ପ୍ରକୃତ କାରଣ ବାହାରି ପାରୁଛି କି ନାହିଁ, ତାଉପରେ ନଜର ରହିଛି । ଏହି ମାମଲାର ପର୍ଦ୍ଦାଫାଶ ଏତେ ସହଜ ହେବନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.