ପ୍ରଥମେ କହିଲେ ପରେ ମନା କଲେ!
ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍-ଇନ୍ ଡୋର୍-ଷ୍ଟେପ ଟିକାକରଣ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ । ବରିଷ୍ଠ ନାଗରିକଙ୍କ ପାଇଁ ବିଏମସି ଓ ସିଏମସି ପକ୍ଷରୁ ଗାଡିରେ ଟିକାକରଣ ଓ ଘରେ ପହଚିଂ ଟିକାକରଣ କରାଯିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏଥିରେ ରୋକ୍ ଲଗାଇଛି ସ୍ୱାସ୍ଥ୍ୟ ବିଭାଗ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ୍ ଟିକାକରଣକୁ ଅନୁମତି ନଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି ।
ଏଣିକ ଆଉ ଘରେ ପହଚିଂବନି ଟିକା ଭ୍ୟାନ । କି ଗାଡିରେ ଯାଇ ଟିକା ନେଇପାରିବେନି । କାରଣ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, ଟିକାକରଣ ସ୍ଥାନରେ ପ୍ରତୀକ୍ଷା ସ୍ଥଳ ସହ ଟିକାକରଣ କକ୍ଷ, ପର୍ୟ୍ୟବେକ୍ଷଣ କକ୍ଷ ଥିବ । ଏଥିସହ ଟିକା ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ଚିକିତ୍ସା ହୋଇପାରିବ । ଟିକାକରଣ ପରେ ୩୦ ମିନିଟ୍ ଅବଜରଭେସନରେ ରଖାଯାଇ ଥାଏ ।। ହେଲେ ଡ୍ରାଇଭ୍-ଇନ୍ ଓ ଡୋର୍-ଷ୍ଟେପ ଭ୍ୟାକ୍ସିନେସନ ହେଲେ ଏହି ନିୟମର ଉଲ୍ଲଘଂନ ହେଉଛି । ଯାହାକୁ ଦେଖି ଏବେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ୍ ଟିକାକରଣ ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ସମ୍ଭାଳିବା କଷ୍ଟକର । ଏପରିକି ଟିକା ମଧ୍ୟ ନଷ୍ଟ ହେବ । ଏସବୁ ଦୃଷ୍ଟିରୁ ଡ୍ରାଇଭ-ଇନ୍ ଓ ଡୋର-ଷ୍ଟେପ୍ ଟିକାକରଣରୁ ନିବୃତ୍ତ ରହିବା ଲାଗି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।