THE BYAPINI

ଧରାପଡିଗଲା ଧର୍ମେନ୍ଦ୍ରଙ୍କ ଡବଲ୍ ରୋଲ୍ !

Get real time updates directly on you device, subscribe now.

ଡାହାଣୀ ହୋଇ ଲାଗିବା, ଗୁଣିଆ ହୋଇ ଛଡାଇବା । ଏହି ଉକ୍ତିର ଯଥାର୍ଥତା ଓଡିଶାବାସୀଙ୍କୁ ବୁଝାଇବାର ଆବଶ୍ୟକତା ନାହିଁ । ଉଣା ଅଧିକେ ଏନେଇ ସମସ୍ତେ ଅବଗତ ଥିବେ । ଠିକ ସମାନ ଧାରା ଏବେ ଓଡିଶା ରାଜନୀତିରେ ଦେଖିବାକୁ ମିଳିଛି । ଜଗନ୍ନାଥ ମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’ କ୍ଷେତ୍ରରେ ଏହି ଉକ୍ତି ବେଶ ପ୍ରଜୁଯ୍ୟ । ଭାରତୀୟ ଜନତା ପାର୍ଟି ଯେଉଁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଉଛି, ସେହି ଦଳର କେନ୍ଦ୍ରମନ୍ତ୍ରୀଙ୍କ ଭୁମିକାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି, କିଭଳି ରାଜ୍ୟ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିଲେ ଧର୍ମେନ୍ଦ୍ର ପ୍ରଧାନ । ଯେତେବେଳେ ପ୍ରସ୍ତାବିତ ବାଇ-ଲ’କୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ତୀବ୍ର ହେଲା ରାଜ୍ୟ ସରକାର ଆଭିମୁଖ୍ୟକୁ ଶାଣିତ କଲେ ସେତେବେଳେ ନିଜର ଚାଲ୍ ଧରାପଡିଯିବ ଭାବି ନୁଆ ଏକ ଭୁମିକାରେ ଅବତୀର୍ଣ୍ଣ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରସ୍ତାବିତ ବାଇ-ଲ’ ନେଇ ଯେତେବେଳେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନୋଟି ଟ୍ୱିଟ କରିଥିଲେ । ପ୍ରଥମ ଟ୍ୱିଟରେ ସେ ଲେଖିଲେ, ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ଆଣିଥିବା ନୁଆ ବାଇ-ଲ’ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କ ସହ କଥା ହେଲି । ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ୧୦୦ ମିଟର ଭିତରେ ନିର୍ମାଣ କାର୍ଯ୍ୟରେ ଏଥିରେ ରୋକ ଲଗାଯାଇଛି । ଦ୍ୱିତୀୟ ଟ୍ୱିଟରେ କେନ୍ଦ୍ରମନ୍ତ୍ରୀ କହିଲେ, ଧାର୍ଢ଼ି ଦୃଷ୍ଟିକୋଣରୁ ଗୁରୁତ୍ୱ ରଖୁଥିବା ଏହି ସ୍ଥାନ ପାଇଁ ଅଧିକ ସମୟ ଦେବା ସହ ଅଧିକ ବିଚାରମବିମର୍ଶର ଆବଶ୍ୟକତା ରହୁଛି । କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଆଶ୍ୱାସନା ଦେଇଛନ୍ତି, କେନ୍ଦ୍ରସରକାର ଏଭଳି କୈାଣସି ନିଷ୍ପତ୍ତି ନେବେନାହିଁ ଯାହା ଜଗନ୍ନାଥ ମନ୍ଦିର ବିକାଶ କାମରେ ବାଧା ସୃଷ୍ଟି କରିବା ସହ ସ୍ଥାନୀୟ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବ । ନିଜ ତୃତୀୟ ଟ୍ୱିଟରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଲେ, ଏହି ପ୍ରସ୍ତାବିତ ବାଇ-ଲ’କୁ ଓଡିଆରେ ପ୍ରକାଶ କରିବାକୁ ଅନୁରୋଧ କରିଥିଲି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଜଗନ୍ନାଥ ପ୍ରେମୀଙ୍କ ଭାବନା ପ୍ରତି ଯଥେଷ୍ଟ ସମ୍ମାନ ରହିଛି ଏବଂ ସେମାନଙ୍କ ସ୍ୱାର୍ଥ ରକ୍ଷା କରାଯିବ ।

ଏହି ତିନୋଟି ଟ୍ୱିଟରେ କୈାଣସି ବି ଜାଗାରେ ସେତେବେଳେ ପ୍ରସ୍ତାବିତ ଥିବା ବାଇ-ଲ’କୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗ୍ରହ ପ୍ରକାଶ କରିନଥିଲେ କିମ୍ବା ଏଥିପାଇଁ ଯୁକ୍ତି ମଧ୍ୟ ଉପସ୍ଥାପନ କରିନଥିଲେ । ଏପରିକି ପ୍ରସ୍ତାବିତ ଥିବା ବାଇ-ଲ’କୁ ଓଡିଆରେ ପ୍ରକାଶ କରିବାକୁ ସେ ଅନୁରୋଧ କରିଥିଲେ । ଏହାର ଅର୍ଥ ହେଲା ବାଇ-ଲ’ ପ୍ରତ୍ୟାହାର ହେଉ ଧର୍ମେନ୍ଦ୍ର ପ୍ରଧାନ ଏହା ଚାହୁଁନଥିଲେ । ନଚେତ ସେ ଆରମ୍ଭରୁ କହିଥାନ୍ତେ, ଏହି ବାଇ-ଲ’କୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ । ହେଲେ ଏହା କରିବା ବଦଳରେ ସେ ସହଜ ଆଉ ସୁବିଧା ଉପାୟ ବାଛିଥିଲେ । ଯାହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ ସରକାର ଯେତେବେଳେ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଲେ, କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଦେଖାଇଲେ, ପୁରୀ ସମେତ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଲା, ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଭାବିଲେ, ତାଙ୍କ ଷ୍ଟାଣ୍ଡ ଭୁଲ ହୋଇଯାଇଛି ଆଉ ଏହାକୁ ବଦଳାଇବାର ଆବଶ୍ୟକତା ରହିଛି । ଏହାପରେ ନିଜ ଦଳର ସାଂସଦଙ୍କୁ ଧରି କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କଲେ ବାଇ-ଲ’କୁ ପ୍ରତ୍ୟାହାର କରାଯାଉ ।

ଏହାହିଁ କେନ୍ଦ୍ରମନ୍ତ୍ରୀଙ୍କର ଡବଲ୍ ରୋଲକୁ ପ୍ରମାଣିତ କରୁଛି । ଯଦି ଆରମ୍ଭରୁ ବାଇ-ଲ’କୁ ପ୍ରତ୍ୟାହାର କରିବାକୁ ଧର୍ମେ୍ଦ୍ର ପରଧାନ ଦାବି ଉପସ୍ଥାପନ କରିଥାନ୍ତେ ତେବେ ଏହି ପ୍ରସଙ୍ଗରେ ସବୁ ଶ୍ରେୟ ତାଙ୍କ ନିକଟକୁ ଯାଇଥାନ୍ତା । ହେଲେ ଏବେ ଏହାର ଅପବାଦ ତାଙ୍କୁ ମଣ୍ଡକୁ ଯାଇଛି । କାରଣ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପରେ ସେ ନିଜ ଆଭିମୁଖ୍ୟ ବଦଳାଇଲେ । ପ୍ରସ୍ତାବିତ ବାଇ-ଲ’କୁ ଓଡିଆରେ ପ୍ରକାଶ କରିବାକୁ କହିବା ବଦଳରେ ସେ ତାକୁ ପ୍ରତ୍ୟାହାର କରିବାକୁ ଦାବି କରିପାରିଥାନ୍ତେ । ଶନିବାର ସନ୍ଧ୍ୟାରେ ଗୋଟିଏ ଆଭିମୁଖ୍ୟ ଆଉ ସୋମବାର ସକାଳେ ଅନ୍ୟ ଏକ ଆଭିମୁଖ୍ୟ ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି ଓଡିଶା ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଭିମୁଖ୍ୟ ସ୍ପଷ୍ଟ ନାହିଁ । ଏପରିକି ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତରେ ନିଜ ଆଭିମୁଖ୍ୟକୁ ଶାଣିତ କରିବାକୁ ଯଦି ଦୁଇ ଦିନର ଆବଶ୍ୟକତା ପଡୁଛି, ତାହେଲେ ରାଜନୈତିକ ନିଷ୍ପତ୍ତି ନେବାରେ ହେଉଥିବା ବିଳମ୍ବ ହିଁ ରାଜ୍ୟରେ ଭାଜପା ପାଇଁ ଘାତକ ସାବ୍ୟସ୍ତ ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.