କଟକ: ପେଟିପେଟି ନକଲି ଔଷଧ
କରୋନା ବେଳେ ରୋଗୀଙ୍କ ଜୀବନକୁ ନେଇ ଚାଲିଛି ଖେଳ । ମୁନାଫାଖୋର ଔଷଧ ବ୍ୟବସାୟୀମାନେ କରୋନା ପ୍ରତିଷେଧକ ଜୀବନ ରକ୍ଷାକାରୀ ଔଷଧ ନାଁରେ ଲୋକଙ୍କୁ ଲୁଟୁଥିବାର ପ୍ରମାଣ ଦେଖିବାକୁ ମିଳିଛି । କଟକରେ ଅନେକ ସମୟରେ ବିିଭନ୍ନ ନକଲି ସାମଗ୍ରୀ ଜବତ ହେଉଥିବା ବେଳେ ଏଥିରେ ଯୋଡିହୋଇଯାଇଛି ନକଲି କରୋନା ଔଷଧ ।କଟକର ତୁଳସୀପୁର କନିକାଛକସ୍ଥିତ ଏକ ହୋଲସେଲ ଗୋଦାମ ଉପରେ ଚଢ଼ଉ କରି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଓ ପୁଲିସ ଫାବିଫିରାଭର ସମେତ ୭ପ୍ରକାର ନକଲି ଔଷଧ ଜବତ କରିଛନ୍ତି । ୬୯ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି । ଉତ୍ତରପ୍ରଦେଶର ମାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀରୁ ଏହି ଔଷଧ ଆସୁଥିଲା ବୋଲି ଜଣାପଡ଼ିଛି ।।
କଟକରୁ ଏଭଳି ନକଲି ଔଷଧ କାରବାରର ଚେର ରାଜ୍ୟର ୧୧ଟି ଜିଲ୍ଲା ସମେତ କୋଲକାତା, ଗ୍ବାଲିୟର ଆଦି ଅଞ୍ଚଳକୁ ମାଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।ହିମାଚଳପ୍ରଦେଶର ସୋଲାନଠାରେ ଥିବା ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାର ସଂସ୍ଥାର ଲେବୁଲରେ ଏହି ସବୁ ଔଷଧ ପ୍ରସ୍ତୁତ ହୋଇଥିବାବେଳେ ବାସ୍ତବରେ ସେହି ସଂସ୍ଥା ଏହି ଔଷଧ ଏବେ ତିଆରି କରୁନାହିଁ । ଗୋଦାମରେ ଚଢ଼ଉ କରାଯାଇ ୩୦ଟି ପେଟିରେ ଥିବା ୨୨ ହଜାର ୬୮୦ ଷ୍ଟ୍ରିପ୍ ଥଣ୍ଡା, କାଶ ଓ କରୋନା ଜନିତ ଔଷଧ ଜବତ କରାଯାଇଛି । ଗ୍ବାଲିୟର ଯାଇଥିବା ନକଲି ଫାବିଫିରାଭର ଔଷଧ ସଂପର୍କରେ ମଧ୍ୟପ୍ରଦେଶ ସରକାରଙ୍କୁ ଅବଗତ କରାଯାଇଛି ଏବଂ ଘଟଣା ସଂପର୍କରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି କଟକ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଇନ୍ସପେକ୍ଟର -୧ ଜଗନ୍ନାଥ ମଲ୍ଲିକ୍ ।ଏହି ଔଷଧ ସବୁ କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ରାଉରକେଲା, କେନ୍ଦୁଝର, ବଲାଙ୍ଗୀର, ବରଗଡ, ମାଲକାନଗିରି, ବାରିପଦା, ଜୟପୁର ଜିଲ୍ଲାର ବିଭିନ୍ନ ଔଷଧ ଦୋକାନକୁ ଯାଇଥିବା ତଦନ୍ତରୁ ଜଣାପଡିଛି।
ଏପ୍ରିଲ ମାସରୁ ଏଭଳି ନକଲି ଔଷଧ ବେପାର ଆରମ୍ଭ ହୋଇଥିବାବେଳେ ପରିମାଣ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏଭଳି ନକଲି ଔଷଧ କାରବାର ଏବେ କଟକର ଅନ୍ୟ କେତେକ ସ୍ଥାନରେ ଚାଲିଛି ବୋଲି ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି।