ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ
୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପଗୁଡିକରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ଭାରତର ନିର୍ବାଚନ କମିସନ୍ ପେଟ୍ରୋଲ୍ ପମ୍ପ୍ଗୁଡ଼ିକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ର୍ବାଚନ ହେବାକୁ ଥିବା ୪ ରାଜ୍ୟ ଓ ପୁଡୁଚେରୀରେ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକୁ ଆଜି ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ପେଟ୍ରୋଲ ପମ୍ପ ଗୁଡିକରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଥାଇ ବିଜ୍ଞାପନ ଲଗାଯାଇଛି । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି । ତେଣୁ ୭୨ ଘଂଟା ଭିତରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋଡିଂ ଗୁଡିକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ୍ ।
ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଗତ ଶୁକ୍ରବାର ଦିନ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିବା ପରେ ଆଚରଣ ବିଧି କାର୍ୟ୍ୟକାରୀ ହୋଇଯାଇଛି।କୋଭିଡ୍-୧୯ ଟିକାକରଣ ଅଭିଯାନ ନିମନ୍ତେ ଉଦ୍ଦିଷ୍ଟ ପୋଷ୍ଟର୍ ଏବଂ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ବ୍ୟବହାର ଉପରେ ତୃଣମୂଳ କଂଗ୍ରେସ ନିର୍ବାଚନ କମିସନଙ୍କ ନିକଟରେ ଆପତ୍ତି କରିବା ପରେ ଏଭଳି ନିର୍ଦେଶନାମା ଜାରି କରାଯାଇଛି।
ସେହିପରି ନିର୍ବାଚନ ଘୋଷିତ ରାଜ୍ୟମାନଙ୍କର ସୁରକ୍ଷା ଲାଗି ମଧ୍ୟ ଇସି ପ୍ରାଥମିକତା ଦେଇଛନ୍ତି। ଏଣୁ ନିର୍ବାଚନ ଘୋଷିତ ରାଜ୍ୟର ନିର୍ବାଚନ ଅଧିକାରୀ ରାଜ୍ୟ ପୋଲିସ ନୋଡାଲ ଅଫିସର ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।