ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ
ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ । ପାନାମ ପେପର୍ସ ଲିକ୍ ମାମଲାରେ ସମନ କରିଛି ଇଡି । ଐଶ୍ୱର୍ୟ୍ୟାଙ୍କୁ ପଚରାଉଚରା ପାଇଁ ଡାକିଛି ପ୍ରବର୍ତ୍ତନନିର୍ଦ୍ଦେଶାଳୟ । ପୂର୍ବରୁ ମଧ୍ୟ ଏହି ମାମଲାରେ ଐଶ୍ୱର୍ୟ୍ୟାଙ୍କୁ ଦୁଇ ଥର ଡାକିଥିଲା ଇଡି । ଦୁଇ ଥର ନୋଟିସକୁ ସ୍ଥଗିତ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ନିବେଦନ କରିଥିଲେ ଐଶ୍ୱର୍ୟ୍ୟା । ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ନୋଟିସ୍ ଜାରି କରିଛି ।
ସମନର ଉତ୍ତର ଦେବା ପାଇଁ ଆଜି ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ଦିଲ୍ଲୀ ଇଡି ଅଫିସରେ ହାଜର ହୋଇଥା’ନ୍ତେ। ଦିଲ୍ଲୀର ଲୋକନାୟକ ଭବନରେ ସେ ହାଜର ହୋଇଥାନ୍ତେ। କିନ୍ତୁ ସେ ଆଜି ଇଡିରେ ହାଜର ହେବାକୁ ମନା କରିଦେଇଛନ୍ତି। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛନ୍ତି। ତେବେ ଖୁବ୍ଶୀଘ୍ର ଇଡି ଐଶ୍ୱର୍ୟ୍ୟାଙ୍କୁ ପୁଣି ଏକ ନୂଆ ସମନ ପଠାଇବ ବୋଲି କହିଛି।
ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ଇଡି ଚଳିତ ବର୍ଷ ନଭେମ୍ବର ୯ରେ ଧାରା ୩୭ ଫେମା ଜରିଆରେ ସମନ କରିଥିଲା। ଏହି ସମନକୁ ମୁମ୍ବାଇ ସ୍ଥିତ ବଚ୍ଚନ ପରିବାରର ଘର ଫପ୍ରତୀକ୍ଷା’କୁ ପଠାଇଥିଲା ଇଡି। ୧୫ ଦିନ ଭିତରେ ଏହି ସମନର ଜବାବ ଦେବାକୁ ମଧ୍ୟ କୁହାଯାଇଥିଲା। ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଇମେଲ ମାଧ୍ୟମରେ ଏହି ସମନର ଉତ୍ତର ଦେଇଥିବା ସୂଚନା ମିଳିଛି।
ଉଲ୍ଲେଖ ଯୋଗ୍ୟ ଯେ, ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ୍ (ମୋସାକ୍ ଫୋନ୍ସେକା) ଲିକ୍ ହୋଇଥିଲା। ଏହି ଲିକ୍ ଘଟଣା ପରେ ୪୨୪ ଜଣ ଭାରତୀୟଙ୍କ ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା। ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା। ଐଶ୍ୱର୍ୟ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିବା ନେଇ ଖୁଲାସା ହୋଇଥିଲା।