THE BYAPINI

ନକଲି ପଛର ଅସଲି ସତ !

Get real time updates directly on you device, subscribe now.

ନକଲି କଥା ଉଠିଲେ ଏବେ ସାମ୍ନାକୁ ଆସୁଛି ଦ୍ୱୈତ ନଗରୀ କଥା । ପ୍ରଥମେ ସିଲଭର ସିଟି ଏବେ ସ୍ମାର୍ଟସିଟି । ରାଜ୍ୟର ବିଭିନ୍ନ ସ୍ଥାନ ନକଲି ସାମଗ୍ରୀର କାରବାର ଚାଲିଥିବା ବେଳେ ଓଡିଶା ପାଲଟିଛି ନକଲିର ହବ । ସାରା ରାଜ୍ୟକୁ ଏହି କଳା କାରବାର ଚେର ଲମ୍ବି ଲମ୍ବି ଚାଲିଛି । ହେଲେ କଣ ପାଇଁ ହେଉଛି ନକଲି କାରବାର ? ଖାଦ୍ୟ ନାଁରେ ଆମେ କଣ ପାଇଁ ନିଇତି ଖାଇଚାଲିଛୁ ଜହର? ଅର୍ଥ ଲୋଭରେ କିଛି ଅସାମାଜିକ ବ୍ୟକ୍ତି କାହିଁକି କୋଟି କୋଟି ଲୋକଙ୍କ ଜୀବନକୁ ମରଣ ମୁହଁକୁ ଠେଲି ଦେଉଛନ୍ତି ? ବିଷ ମିଶା ଖାଦ୍ୟ ପଛର ନାୟକ କେବଳ ଦାୟୀ ନା ନକଲି ପାଇଁ ବି ଆମେ ଦାୟୀ? ନଜର ପକାନ୍ତୁ ନକଲି ପଛର ଅସଲି ସତ ।

ଘିଅ, ମସଲା, ସୋୟାବିନ, ହଳଦୀ, ତେଲ, ସିମେଣ୍ଟ ଆଉ ପନିର । ଦିନକୁ ଦିନ ବଢି ଚାଲିଛି ଭେଜାଲର ଭାଉ । ବଡ ବଡ ସହରର ନାକ ତଳେ ନକଲି କାରବାର ଚାଲୁଥିଲେ ବି ଟେର ପାଉନି ପୋଲିସ । କେଉଁଠି ଘିଅ ନକଲି ବାହାରୁଛି ତ କେଉଁଠି ପନିର । ଏବେ ଖାଇବୁ କଣ । ବଜାରରୁ ଯାହା କିଣିଲେ ଭୟ ଲାଗୁଛି । ଖାଦ୍ୟ ନାଁରେ ଆମ ରୋଷେଇ ଘରକୁ ସିଧାସଳଖ ବିଷ ପଶୁଛି । ଲାଭଖୋର ମନୋବୃତି ରଖି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଅସାମାଜିକ ବ୍ୟକ୍ତି ନକଲି ପାଇଁ ଯେତିକି ଦାୟୀ ସମ ପରିମାଣରେ ବି ଏ ଭେଜାଲ ସାମଗ୍ରୀ ପାଇଁ ଅନେକାଶଂରେ ଆମେ ଦାୟୀ ।

କାରଣ ଅନେକ ସମୟରେ ଆମେ ମାର୍କେଟରେ ସବୁ ସାମଗ୍ରୀର ଅପ୍ସନ ୨କୁ ଖୋଜୁ । ଦୋକାନୀ ବି ବେପାର କଲାବେଳେ କୁହନ୍ତି, “କେଉଁଟା ନେବେ, ୧ ନମ୍ବରଟା ନା ଟିକେ ଚାଲୁଟା… ଭଲଟା ନେଲେ ଟିକେ ଅଧିକ ଦର ପଡିବ । ଆଉ ଚାଲୁଟା କମ…” । ଦୋକାନୀର କଥା ଶୁଣି ଗ୍ରାହକ ଦ୍ୱନ୍ଦ୍ୱରେ ପଡିଯାଏ ଆଉ ଯଦି ପାଖରେ ପଇସା ଅଛି ତେବେ ଭଲ ନିଅନ୍ତି ଯଦି ନାହିଁ ଶସ୍ତା ନେଇ ଘରକୁ ଯାଆନ୍ତି । ଏ କଥାରୁ ଏଇଆ ସ୍ପଷ୍ଟ ହେଉଛି କି ବଜାରର ଦୁଇ ପ୍ରକାରର ସାମଗ୍ରୀ ମିଳୁଛି । ଅସଲି ଓ ନକଲି ।

ଲୋକଙ୍କ ଆବଶ୍ୟକତା ଦେଖି ବଜାରରେ ମିଳେ ଭେରାଇଟି ଜିନିଷ । କୁହାଯାଏ ଭଲ ଜିନିଷ ପାଇବାର ଅଛି ତ ଭଲ ଅର୍ଥ ଦେବାକୁ ପଡିବ । ବୋଧେ ସେହି ନ୍ୟାୟରେ ବଜାରରେ ଚାଲିଛି ଅସଲି ନକଲିର ନାଟକ । ଶୁଦ୍ଧ ଓ ଅସଲି ସାମଗ୍ରୀ ପାଇବାକୁ ହେଲେ ତାର ଉଚିତ ପ୍ରାପ୍ୟ ଦେବାକୁ ପଡେ ଆଉ ଯିଏ ଏତେ ଟଙ୍କା ଦେଇ ନପାରେ ମାତ୍ର ଉକ୍ତ ଜିନିଷକୁ ପାଇବାକୁ ଚାହେଁ ସେ ନକଲି ନିଏ । ଉଦାହରଣ ପନିର, କି ଗରିବ କି ଧନୀ । ପନିର ଖାଇବାକୁ ସମସ୍ତେ ଭଲପାଆନ୍ତି । ପନିର ଦାମ ଯେତେ ଟଙ୍କା ଥିଲେ ବି ଧନୀ ଲୋକ ତା ଇଚ୍ଚା ପୂରଣ ପାଇଁ ଅଧିକ ଦାମ ଦେଇ ଘରକୁ ନିଏ । ଆଉ ଗରିବଟିଏ କି ସାଧାରଣ ଲୋକଟିଏ ପକେଟରେ ଯଦି ଟଙ୍କା ନାହିଁ କିନ୍ତୁ ଧନୀ ଭଳି ପନିର ଖାଇବାର ଇଚ୍ଛା ଅଛି ତେବେ ସେ ମାର୍କେଟରେ ତା ପକେଟକୁ ସୁହାଇଲା ଭଳି ଦର ଖୋଜିବ । ଆଉ ସେହି ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଅସାମାଜିକ ବ୍ୟକ୍ତି ତିଆରି କରନ୍ତି ସିନ୍ଥେଟିକ ପନିକ । ରାସାୟନିକ ପଦାର୍ଥ ମିଶାଇ ବିଷର ବଳୟରେ ଲୋକଙ୍କୁ ବିକ୍ରି କରନ୍ତି ସ୍ଲୋ ପଏଜନ ।

ଖାଲି ପନିର ନୁହେଁ ମାର୍କେଟରେ ଅନେକ ସାମଗ୍ରୀର ନକଲି ମିଳୁଛି । ଲୋକଙ୍କ ଚାହିଦା ମୁତାବକ ବ୍ରାଣ୍ଡେଡ ଡ୍ରେସର ବିକଳ୍ପ, ଅସଲି ନାଁ ଥିବା ନକଲି ଜୋତା, ଘଣ୍ଟା, ବିଦ୍ୟୁତ ଉପକରଣ ଇତ୍ୟାଦି । ସେମିତି ରୋଷେଇ ଘରେ ଅସଲି ନାଁରେ ନକଲି ମସଲା, ତେଲ, ସୋୟା ଇତ୍ୟାଦି ଏବେ ଘରେ ଘରେ ଭରପୁର । ତେବେ ନକଲି ପାଇଁ ନିଜକୁ ବି ଦାୟି କରିବା ଉଚିତ । କାରଣ ସବୁ ଜିନିଷର ଭେରାଇଟ ଖୋଜିବା ଚକରରେ ଆମେ ଭେଜାଲର ଚକ୍ରବ୍ୟୁହରେ ଫଶିଯାଉ । ସେଥିପ୍ରତି ସାବଧାନ ।

କହିବା କଥା ହେଲା, ଆମ ଚାରିପଟେ ଆଜି ଯେଉଁ ନକଲି ବଜାର ଦେଖୁଛେ ସେଥିପାଇଁ ଆମେ ନିଜେ ଦାୟୀ । ଯଦି ଗୋଟିଏ ସାମଗ୍ରୀ ପାଇଁ ଆମେ ଉଚିତ ମୁଲ୍ୟ ଦେବାକୁ ପ୍ରସ୍ତୁତ ରହିବା ତେବେ ଆପଣାଛାଏଁ ଏହି ବଜାର ଉଭେଇଯିବ । ପନିର ପ୍ରସ୍ତୁତ କରୁଥିବା ବ୍ୟକ୍ତି ପଛରେ କେତେ ପରିଶ୍ରମ ଥାଏ ତାକୁ ଥରେ ବୁଝନ୍ତୁ । ଗାଇ ପାଳନ, କ୍ଷୀର ଉତପଦାନ, ପରିବହନ ଆଉ ତାକୁ ପ୍ରୋସେସିଂ କରି ପନିର ପ୍ରସ୍ତୁତ କରିବା, ତାକୁ ପରିବହନ କରି ମାର୍କେଟକୁ ପଠାଇବା । ଏଥିରେ ସାମଗ୍ରିକ ପରିଶ୍ରମ ଏବଂ ପ୍ରତିଟି ଦିଗକୁ ଯଦି ହିସାବକୁ ନେଇ ପନିର ଦର ନିର୍ଦ୍ଧାରଣ ହୁଏ ସେତେବେଳେ ଆମକୁ ଲାଗେ ଦର ଟିକେ ଅଧିକା ହୋଇଗଲା । ବାସ୍ ଏହି ଟିକକ ଭାବନା ନିଁ ନକଲି ବଜାର ତିଆରି କରିଦିଏ । ତେଣୁ ଅସଲି ସାମଗ୍ରୀକୁ ସବୁବେଳେ ଜୋର ଦେଇ ନକଲି ବଜାରକୁ ଆମ ସମାଜରୁ ଦୁର କରିବାର ସମୟ ଆସିଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.