ଚାଷୀ କଲେ ଚକାଜାମ । ନୂତନ କୃଷି ଆଇନକୁ ବିରୋଧ କରି ଦେଶରେ ଶେଷ ହୋଇଛି ଚକାଜାମ ପ୍ରତିବାଦ । ଦିନ ୧୨ଟାରୁ ୩ଟାଯାଏ ୩ ଘଂଟା ଧରି ଅଖ,ଚକ ଜାମ କରିଥିଲେ ଚାଷୀ ସଂଗଠନ । ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟ ଚାଷୀ ତିନିଘଣ୍ଟିଆ ଚକାଜାମ୍ କରିଥିଲେ । ନବ ନିର୍ମାଣ କୃଷକ ସଂଗଠନ, କିସାନ୍ ମଜଦୁର ମହାସଂଘ, ସଂଯୁକ୍ତ ମଜଦୁର ମୋର୍ଚ୍ଚା, ଭାରତ କିସାନ ମଜଦୁର ୟୁନିୟନ୍, ଏଆଇଟିୟୁସି ଓ ଅନ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚକା ଜାମ୍ କରାଯାଇଛି।
କଟକ-ଭୁବନେଶ୍ୱର ରାସ୍ତାରେ ହଂସପାଳଠାରେ ଚାଷୀ ଚକାଜାମ୍ କରିଥିଲେ । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ମାଷ୍ଟରକ୍ୟାଣ୍ଟିନରେ ଏଆଇଟିୟୁସି ଓ ବିକେଏମୟୁର ଶତାଧିକ ଚାଷୀ ଓ ଶ୍ରମିକ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଥିଲେ । ପୁଲିସ ରାସ୍ତା ଅବରୋଧ କରୁଥିବା ଚାଷୀମାନଙ୍କୁ ଉଠାଇ ନେଇଥିଲା । କଟକର ମଧୁପାଟଣା ଛକଠାରେ ଜାତୀୟ ରାଜପଥରେ ମଧ୍ୟ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିଲେ ।
ଜଗତସିଂହପୁର ଜିଲ୍ଲାରେ ନବନିର୍ମାଣ କୃଷକ ସଂଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ମିଳିତ ଆନୁକୁଲ୍ୟରେ ଚକା ଜାମ ୩ ଘଂଟା ଧରି କରାଯାଇଥିଲା । ଜଗତସିଂହପୁର ଟାଉନ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ସହ ବିଭିନ୍ନ ବ୍ଲକ୍ ରେ ରାସ୍ତା ଅବରୋଧ କରିଥିଲେ ଚାଷୀ । ସେହିପରି ବଲାଙ୍ଗୀର, ଜୟପୁର,ସମ୍ବଲପୁର,ବ୍ରହ୍ମପୁରରେ ମଧ୍ୟ ଚାଷୀ ମାନେ ଚକାଜାମ କରି ରାସ୍ତା ଅବରୋଧ କରିଥିଲେ ।
ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ କୌଣସି ପ୍ରତିବାଦ ହୋଇନଥିବା ବେଳେ ବାକି ଅନ୍ୟ ରାଜ୍ୟ ମାନଙ୍କରେ ପ୍ରତିବାଦ ଶାନ୍ତି ପୂର୍ଣ୍ଣ ଭାବରେ ଶେଷ ହୋଇଥିବା ଜଣାପଡିଛି । ସବୁଠାରୁ ବଡ ଖବର ହେଉଛି, ରାଜଧାନୀ ଦିଲ୍ଲୀରେ ଏହି ଆନ୍ଦୋଳନର ଡାକରା ଦିଆଯାଇଥିବା ବେଳେ କୌଣସି ପ୍ରକାର ପ୍ରଭାବ ମଧ୍ୟ ଏଠି ଦେଖବାକୁ ମିଳିନଥିଲା । ଦିଲ୍ଲୀକୁ କୌଣସି ଚାଷୀ ଆସିନଥିବା ବେଳେ ପ୍ରତିବାଦ କିମ୍ବା ଆନ୍ଦୋଳନର କୈଣସି ପ୍ରକାର ଛବି ମଧ୍ୟ ଦେଖିବାକୁ ମିଳିନଥିଲା । ସେପଟେ ଚକାଜାମ ନିଷ୍ପତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୬ ଜାନୁଆରୀରେ ଟ୍ରାକ୍ଟର ରାଲିର ଅନୁମତି ନେଇ ଯେପରି ଦିଲ୍ଲୀରେ ହିଂସାକାଣ୍ଡ ଘଟିଲା, ସେସବୁର ପୁନରାବୃତ୍ତି କିପରି ନଘଟିବ ସମସ୍ତ ଦିଗକୁ ଲକ୍ଷ୍ୟ କରି ଦିଲ୍ଲୀ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ସମସ୍ତ ସୀମାରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।