THE BYAPINI

ଯୁଦ୍ଧ ଜିତିବୁ, ଘରକୁ ଫେରିବୁ…

Get real time updates directly on you device, subscribe now.

ଶୀତ ବଢୁଛି, ଚାଷୀଙ୍କ ସ୍ୱର ଶାଣିତ ହେଉଛି । ହାଡଭଙ୍ଗା ଶୀତର ଏ ଶୀତୁଆ ରାତିରେ ବି ରାଜରାସ୍ତାରେ ପଡିରହି ଆନ୍ଦୋଳନ କରୁଛନ୍ତି ଅନ୍ନଦାତା । ହକ ପାଇଁ ହାଏ ହାଏର ନାରା ଦେଇ ସରକାରଙ୍କୁ ଘେରିଥିବା ଚାଷୀ ଦୀର୍ଘ ଦିନ ହେବ ଧାରଣା ଦେଇ ଆସୁଥିବା ବେଳେ ସରକାର ସେମାନଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି । ବରଂ ନିଜ ଜିଦରେ ନିଜେ ଅଟଳ ଅଛନ୍ତି ସରକାର । ଚାଷୀ ଭାଇ ବି ସରକାରଙ୍କ ଜିଦ ଦେଖି ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି । ଜୀବନ ପଛେ ଯାଉ ନିଜ ଜିଦରୁ ଓହରିବେନି ଅନ୍ନଦାତା । ସରକାରଙ୍କୁ ଚେତାବନୀ ଦେଇ ଦାବି ପୂରଣ ପାଇଁ ଦିଲ୍ଲୀ ସୀମାରେ ଡେରା ପକାଇଛନ୍ତି ବିଭିନ୍ନ ଚାଷୀ ସଙ୍ଗଠନ । ଆଉ ଦିନ ପରେ ଦିନ ଗଡି ଚାଲିଥିଲେ ବି କେନ୍ଦ୍ର ସରକାର ନଛୋଡବନ୍ଦା ।

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଥିବା ଚାଷୀଙ୍କ ଦିନ ଧାରଣା, ହୋହଲ୍ଲା, ନାରାବାଜି, ବିକ୍ଷୋଭ, ପ୍ରତିବାଦରେ କଟୁଛି । ହେଲେ ୟାରି ଭିତରେ ଆନ୍ଦୋଳନର ଆଉ ଏକ ଦିଗ ଉପରେ ନଜର ପକାଇଲେ ସାଧାରଣ ଲୋକଙ୍କ ଆଖିରେ ଲୁହ ଆସିଯିବ । କାରଣ ଦିନେ ସାରା ଦେଶକୁ ଯିଏ ଅନ୍ନ ଦେଉଥିଲା, ସାରା ଦେଶର ପେଟର ଭୋକ ଯିଏ ଭାତ ଖୁଆଇ ମାରୁଥିଲା ଆଜି ସେ ନିଜେ ଭୋକିଲା ରହୁଛି । ହକ ପାଇଁ ଲଢେଇ କରିବାକୁ ଆସି ଅନେକ ହଇରାଣ ହେଉଛି । ଘରଠାରୁ ମାଇଲ ମାଇଲ ଦୂରରେ ବିକ୍ଷୋଭରତ ଚାଷୀଙ୍କ ଭିତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ବୟସ୍କ, ବୃଦ୍ଧ । ଚାଲିବୁଲି ପାରିବାର ବଳ ନଥିବା ବୟସରେ ବି ସେମାନେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ପାଣି ହୋଇଯାଇଥିବା ରକ୍ତକୁ ଟକଟକ ଫୁଟାଇ ଆଜି ନିଜ ଜାତି ପାଇଁ ସମଗ୍ର ଚାଷୀ କୂଳ ପାଇଁ ଯୁଦ୍ଧ କରିବାକୁ ଘରୁ ଗୋଡ କାଢିଛନ୍ତି ।

କରୋନା ପାଇଁ ବୟସ୍କ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ବିକ୍ଷୋଭସ୍ଥଳୀରେ ଅନେକ ବୟସ୍କଙ୍କୁ ଦେଖିବାକୁ ମିଳୁଛି । କରୋନାରେ ବରଂ ଜୀବନ ଚାଲିଯିବ ହେଲେ କେନ୍ଦ୍ରର ଏ ଭୁଲ ନିଷ୍ପତ୍ତି ଆଗରେ ଆମେ ମୁଣ୍ଡ ନୁଆଁଇବୁନି କି ଆମ ଚାଷୀକୂଳକୁ ବୁଡାଇଦେବୁନି । ଏଇ ଜିଦରେ ଅଟଳ ରହି ସମଗ୍ର ଦେଶକୁ ରଣ ହୁଙ୍କାର ଦେଇଛନ୍ତି ଚାଷୀ ସଙ୍ଗଠନ ।

ଆନ୍ଦୋଳନ କରିବାକୁ କିଏ ଘର ଛାଡି ଆସିଛି ତ କିଏ ପରିବାରକୁ ଛାଡି । କାହାର ଗୋଡ ଅପରେସନ ସତ୍ୱେ ବି ହକ ପାଇଁ ବାଡିଧରି ବାହାରିଛି ପୁଣି କିଏ ଔଷଧ ଘରେ ଛାଡି ଆସିଥିବାରୁ ଯନ୍ତ୍ରଣା ସହି ସହି ଜିଦିଆ ସରକାରକୁ ମନେଇବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଛି । ଆନ୍ଦୋଳନ ଭିତରେ କାହା ଝିଅ ବାହାଘର ସରିଲାଣି ତ କିଏ ବାପା ବି ହେଲାଣି ଆଉ କାହାର ମାଆ, ସ୍ତ୍ରୀ ରୋଗରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେଣି । ଏତେ ସବୁ କଷ୍ଟ ପରେ ବି ହାରି ନାହାନ୍ତି ଚାଷୀ, ଭାଙ୍ଗି ନାହାନ୍ତି ମନୋବଳ । ସରକାରଙ୍କ ଜିଦ ଭାଙ୍ଗିବେ, ଯୁଦ୍ଧ ଜିତି ଘରକୁ ଫେରିବେ । ଏହି ନିଷ୍ପତ୍ତି ନେଇ ସ୍ୱର ଶାଣିତ କରୁଛନ୍ତି ଚାଷୀ ସଙ୍ଗଠନ । ଆନ୍ଦୋଳନ ବେଳେ ପଞ୍ଜାବର ଜଣେ ବୃଦ୍ଧ ଚାଷୀ କହିଥିଲେ, ମୋ ପୁଅ କହିଛି ବାପା ତମେ ଯୁଦ୍ଧ ନଜିତିବା ଯାଏଁ ଘରକୁ ଫେରିବନି । ଆଉ ମୁଁ ଆମ ପୂର୍ବ ପୁରୁଷ, ଆମ ଚାଷୀକୂଳ ପାଇଁ ଏଠାରେ ଲଢେଇ କରୁଛି ।

ଅନେକ ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ସରକାରଙ୍କ ଏ ଆଇନ ଚାଷୀମାରଣ ନୀତି ଓ କର୍ପୋରେଟ ବନ୍ଧୁଙ୍କୁ ସୁହାଇଲା ଭଳି ହେଉଥିବାରୁ ଚାଷୀମାନେ ଆଜି ତାତିଛନ୍ତି । ଅନେକ ଆନ୍ଦୋଳନ ପରେ ଯେତେବେଳେ ସରକାର ଚାଷୀଙ୍କ କଥାରେ ରାଜି ହେଉନାହାନ୍ତି ନ୍ୟାୟ ପାଇଁ ରାଷ୍ଟ୍ରପତିଙ୍କ ପାଖରେ ନେହୁରା ହୋଇଛନ୍ତି ବିରୋଧୀ ଦଳ । ଏପଟେ କୃଷି ଆଇନ ହଟାଇବ ନା ନାହିଁ । ହଁ ନାରେ ଉତ୍ତର ଚାହୁଥିବା ଚାଷୀଙ୍କ ଆଗରେ ଲଲିପପ ପ୍ରସ୍ତାବ ରଖିଥିଲା କେନ୍ଦ୍ର । କିନ୍ତୁ ସରକାରଙ୍କ ଭୁଆଁବୁଲା ପ୍ରସ୍ତାବକୁ ଖାରଜ କରିଥିଲା ଚାଷୀ ସଙ୍ଗଠନ । ଆଉ ଆସନ୍ତା ୧୪ ତାରିଖରେ ପୁଣି ବିକ୍ଷୋଭ, ପୁଣି ପ୍ରତିବାଦ କରିବେ ଚାଷୀ ।

ତେବେ କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । କିନ୍ତୁ ପ୍ରକୃତରେ ଆଜି ଚାଷୀଟିଏ ଆନନ୍ଦରେ ଅଛି ତ ? ଚାଷ କରି ସେ ସୁଖ ପାଉଛି ତ? ସରକାର କୃଷକକୁ କେତେ ଖୁସିରେ ରଖିଛନ୍ତି ? ଏସମସ୍ତ ପ୍ରଶ୍ନର ଉତ୍ତର ରାଜରାସ୍ତାରେ ଧାରଣା ଦେଇଥିବା ଚାଷୀଙ୍କ ମୁହଁକୁ ଚାହିଁଲେ ମିଳିଯିବ । ତେବେ କୃଷକଙ୍କ କଥା ଶୁଣୁନଥିବା ମୋଦି ସରକାର ମନ କି ବାତରେ ଆଉ ଜୟ କିଷାନ ବୋଲି କହିପାରିବେ ତ ?

Get real time updates directly on you device, subscribe now.

Leave A Reply

Your email address will not be published.