THE BYAPINI

ବ୍ରିଜ ପାଇଁ ବାଧକ କିଏ ?

Get real time updates directly on you device, subscribe now.

ସମ୍ବଲପୁରବାସୀଙ୍କ ସୁବିଧାରେ ବାଧକ କିଏ ? କାହିଁକି ସରିପାରୁନି ବହୁ ପ୍ରତୀକ୍ଷିତ ଓଭରବ୍ରିଜ କାମ ? ଦୀର୍ଘଦିନ ଧରି ନିର୍ମାଣାଧୀନ ଏହି ବ୍ରିଜର ଆଉ ଅଳ୍ପ କାମ ବାକି ଥିବା ବେଳେ କାହିଁକି ଶେଷ ହୋଇପାରୁନି ? ବ୍ୟାପୀନିକୁ ମିଳିଥିବା ସୂଚନା ଅନୁସାରେ ରାଜନୀତିର ପଶାପାଲିରେ ପେଷି ହେଇଯାଇଛି ଏହି ଓଭରବ୍ରିଜ । ଏବେ ବ୍ରିଜ କାମ ସମ୍ପୂର୍ଣ ହୋଇଯାଇଥିବା ବେଳେ କେବଳ ଆପ୍ରୋଚ ରୋଡ ପାଇଁ ଅଟକି ରହିଛି ଏହି ପ୍ରକଳ୍ପ । ଅର୍ଥାତ ବ୍ରିଜର ଦୁଇପଟେ ଲ୍ୟାଣ୍ଡିଙ୍ଗ ସ୍ଥାନରେ ଜମି ଅଧିଗ୍ରହଣ ହୋଇନପାରିବାରୁ ଅଧାପନ୍ତରିଆ ହୋଇ ରହିଛି ।

ତେବେ କାହିଁକି ହୋଇପାରୁନି ଜମି ଅଧିଗ୍ରହଣ ? ମିଳିଥିବା ସୂଚନା ଅନୁସାରେ ବ୍ରିଜ ନିର୍ମାଣକାରୀ ସଂସ୍ଥା ଉପରେ ପିସିକୁ ନେଇ ଖପ୍ପା ହେଇଯାଇଛନ୍ତି ଶାସକଦଳର ପୂର୍ବତନ ଜନପ୍ରତିନିଧି । ତେଣୁ ଜିଲ୍ଲାପାଳ ଏବଂ ଆର ଆଣ୍ଡ ବି ଯନ୍ତ୍ରୀଙ୍କ ସହାୟତାରେ ପ୍ରକଳ୍ପକୁ ସ୍ଥାଣୁ କରିବାକୁ ଉଦ୍ୟମ କରୁଛନ୍ତି । ଆମ ପ୍ରତିନିଧି ସମ୍ବଲପୁର ଗସ୍ତ କରିବା ବେଳେ ଦେଖିଥିଲେ ଯେ, ସମ୍ପୂର୍ଣ ବ୍ରିଜର କାମ ଶତ ପ୍ରତିଶତ ସମ୍ପୂର୍ଣ ହୋଇଯାଇଛି, ଏପରିକି ରଙ୍ଗ ମଧ୍ୟ ଦିଆଯାଇସାରିଛି । କିନ୍ତୁ ବ୍ରିଜ ଉପରକୁ ଚଢ଼ିବା ପାଇଁ ଏବଂ ଓହ୍ଲାଇବା ପାଇଁ ଥିବା ପ୍ରବେଶ ଓ ପ୍ରସ୍ଥାନ କାମ ହୋଇପାରିନି । ଅନୁସନ୍ଧାନରୁ ଜଣାପଡିଲା ଯେ ଅଳ୍ପ କିଛି ଜାଗା ଅଧିଗ୍ରହଣ ହୋଇପାରିନି,ତେଣୁ ନିର୍ମାଣକାରୀ ସଂସ୍ଥା ହାତ ଟେକି ବସିଛି ।

ଅଧିକ ତଥ୍ୟ ନେବାରୁ ଜଣା ପଡିଲା ଯେ ପୂର୍ବତନ ଜନପ୍ରତିନିଧି କୁଆଡେ ନିର୍ମାଣକାରୀ ସଂସ୍ଥା ଉପରେ ପିସିକୁ ନେଇ ରାଗ ରଖିଛନ୍ତି । ଏହା ସହିତ ଏବେ ବ୍ରିଜ ନିର୍ମାଣ ସମ୍ପୂର୍ଣ ହେଲେ କୁଆଡେ ବର୍ତ୍ତମାନର ବିଜେପି ବିଧାୟକ ଶ୍ରେୟ ନେଇଯିବେ, ସେ ଭୟ ମଧ୍ୟ ଘାରିଛି । ଆଉ ତାଙ୍କ ସହ ହାତ ମିଳାଇଛନ୍ତି ଜିଲ୍ଲା ପ୍ରଶାସନ ଓ ଦାୟିତ୍ୱରେ ଥିବା ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଉକ୍ତ ଓଭରବ୍ରିଜକୁ ନିର୍ମାଣ କରୁଛି ପଣ୍ଡା ଇନଫ୍ରା । ଏହି ନିର୍ମାଣକାରୀ ସଂସ୍ଥାକୁ ନେଇ ପୂର୍ବରୁ ବିବାଦ ଥିବାରୁ ମାର ମାର ଭଣ୍ଡାରିଆକୁ ମାର ନୀତିରେ ସବୁ ଦୋଷ କଣ୍ଟ୍ରାକ୍ଟରଙ୍କ ମୁଣ୍ଡରେ ଲଦି ଦିଆଯାଉଛି । ଲୋକ ମଧ୍ୟ ସହଜରେ ବିଶ୍ୱାସ କରିଯାଉଛନ୍ତି କଣ୍ଟ୍ରାକ୍ଟରର ଭୁଲ ଯୋଗୁଁ ନିର୍ମାଣ କାର୍ୟ୍ୟ ବିଳମ୍ବ ହେଉଛି । କିନ୍ତୁ ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ସୁବିଧାକୁ ବଳି ପକାଇବାକୁ ରଚାଯାଇଛି ସାଙ୍ଘାତିକ ଷଡଯନ୍ତ୍ର । ଯାହା ସାଧାରଣ ଜନତା ଜାଣିବା ମୁସ୍କିଲ ।

ମୁଖ୍ୟମନ୍ତ୍ରୀ ଏବେ ପଶ୍ଚିମ ଓଡିଶାର ଉନ୍ନତି ପାଇଁ ପଦକ୍ଷେପ ପରେ ପଦକ୍ଷେପ ନେଇ ଚାଲିଛନ୍ତି । ୫ଟି ସଚିବ, ମୁଖ୍ୟ ଶାସନ ସଚିବ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସମେତ ପୂର୍ତ୍ତ ସଚିବ ଘନ ଘନ ପଶ୍ଚିମ ଓଡିଶା ଗସ୍ତ କରି ରାସ୍ତାଘାଟ, ପିଇବା ପାଣି ଠାରୁ ଆରମ୍ଭ କରି ପର୍ୟ୍ୟଟନ କ୍ଷେତ୍ର ପର୍ୟ୍ୟନ୍ତ କେମିତି ବିକାଶ ହୋଇପାରିବ ସେ ନେଇ ବ୍ଲୁ-ପ୍ରିଣ୍ଟ ତିଆରି କରୁଛନ୍ତି । କିନ୍ତୁ ଏହାରି ଭିତରେ ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କିଛି ନେତା ଓ ଅଧିକାରୀ ଏହି ବ୍ରିଜ ସମ୍ପୂର୍ଣ ହେବାରେ ଅନ୍ତରାୟ ସୃଷ୍ଟି କରୁଛନ୍ତି । ଗତ କିଛି ଦିନ ତଳେ ପୂର୍ତ୍ତ ସଚିବ ନିଜେ ଯାଇ ବ୍ରିଜ କାର୍ୟ୍ୟର ତଦାରଖ କରି ଫେରିଛନ୍ତି । ତେଣୁ ଆଶା କରାଯାଉଛି ସଚିବ ତୁରନ୍ତ ଜିଲ୍ଲାପାଳ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଆଦେଶ ଦେବେ ଫଳରେ ଜମି ଅଧିଗ୍ରହଣ କରି ସମ୍ପୃକ୍ତ ଠିକାଦାରଙ୍କୁ ହସ୍ତାନ୍ତର କରାଯିବ । ଯାହା ଫଳରେ ସମ୍ବଲପୁରବାସୀଙ୍କ ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବ ।

Get real time updates directly on you device, subscribe now.

Leave A Reply

Your email address will not be published.