ବିଂଝାରପୁର: ଝିଅକୁ ବିକିଦେଲା ବାପା
ଶିଶୁକନ୍ୟାକୁ ବିକ୍ରି କରିଦେଲା ବାପା । ତାହା ପୁଣି ଟଙ୍କା ପାଇଁ । ଉଦ୍ଧାର ଆଣିଥିବା ଟଙ୍କାକୁ ସୁଝିନପାରିବାକୁ ନିଜ ଅଢେଇ ବର୍ଷର ଶିଶୁକନ୍ୟାକୁ ବାପା ବିକ୍ରି କରିଦେଲା । ଏଭଳି ଅଭିଯୋଗ ଆସିଛି ବିଂଝାରପୁର ଥାନା ଫତେପୁର ପଂଚାୟତ ମଲିଆ ଗାଁରୁ । ସୂଚନା ଅନୂସାରେ ମଲିଆ ଗାଁର ରମେଶ ବାରିକ ଜଣଙ୍କଠାରୁ ୫ ହଜାର ଟଙ୍କାର ଧାର ଆଣିଥିଲେ । ହେଲେ ଏଇ ଟଙ୍କା ସେ ତାଙ୍କୁ ଦେଇପାରିନଥିଲେ । ଶେଷରେ ଟଙ୍କା ସୁଝିବାକୁ ଯାଇ ରମେଶ ବାରିକ ନିଜ ଝିଅକୁ ବିକିଦେଇଥିବା ଅଭିଯୋଗ ହୋଇଛି । ରମେଶ ବାରିକର ବାପା ଏନେଇ ଅଭିଯୋଗ କରିଥିଲେ । ତାଙ୍କ ନାତୁଣୀକୁ ତାଙ୍କ ପୁଅ ବିକି ଦେଇଥିବା କହିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଶିଶୁକନ୍ୟାଟିକୁ ବିଂଝାରପୁର ସୟଦପୁର ଅଂଚଳର ମିଟୁ ଜେନାଙ୍କ ଘରୁ ଉଦ୍ଧାର କରିଛି । ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁକନ୍ୟାକୁ ଆଣି ଶିଶୁ ମଙ୍ଗଳ ସମିତିରେ ରଖିଥିବା ଜଣାପଡିଛି । ପୁଲିସ ଶିଶୁ କନ୍ୟାଟିର ବାପା ଓ ମିଟୁ ଜେନାଙ୍କୁ ଆଣି ପଚରାଉଚରା କରୁଛି ।