ପୁରୁଣା ଦଳର ବାହାରିଲା ପୁରୁଣା ରୋଗ
ପୁରୁଣା ଦଳର ବାହାରିଲା ପୁରୁଣା ରୋଗ । ହାତ ଅଫିସର ହତା ଭିତରେ ହାତାହାତି । ଗୋଇଠା, ମୁଥ ମରାମରି ଭିତରେ ଭାଙ୍ଗିଲା ଚେୟାର ଟେବୁଲ । ଆଉ ତାହା ବି ପୁଣି କଂଗ୍ରେସ ମୁଖିଆ ନିରଞ୍ଜନଙ୍କ ଉପସ୍ଥିତିରେ । ଲାଗୁଥିଲା ସତେ ଯେମିତି କୌଣସି ଫିଲ୍ମର ଫାଇଟିଂ ସିନ୍ ଚାଲିଛି । ଏଭଳି ଦୃଶ୍ୟ ଓ ଚରିତ୍ର ପୁରୁଣା କଂଗ୍ରେସ ଦଳ ପାଇଁ କିଛି ନୂଆ ନୁହେଁ । କାରଣ ପ୍ରାୟତଃ ପ୍ରତିବର୍ଷ କଂଗ୍ରେସ ଭବନରେ ଏଭଳି ସୋ ଦେଖିବାକୁ ମିଳେ । ଆଉ ଏହାର ଲାଇଭ ଦୃଶ୍ୟ ପୂରା ରାଜ୍ୟବାସୀଙ୍କୁ ଦେଖାଇବାକୁ ଗଣମାଧ୍ୟମ ଭିତରେ ଚାଲେ ପ୍ରତିଯୋଗିତା । କିଛି ଏହି ଦୃଶ୍ୟର ମଜା ନିଅନ୍ତି ତ ଆଉ କିଛି ଏହି ଦୃଶ୍ୟ ଦେଖିବା ପରେ ରାଜ୍ୟରେ କଂଗ୍ରେସର ଭବିଷ୍ୟତ କଣ ସେ ବାବଦରେ ଚିନ୍ତା କରନ୍ତି । ଲୋକେ ସିନା ଏ ବାବଦରେ ଚିନ୍ତା କରନ୍ତି କିନ୍ତୁ ବାସ୍ତବରେ ଏ ବାବଦରେ କଂଗ୍ରେସକୁ ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଛି । କାରଣ ବାରମ୍ବାର କଂଗ୍ରେସ ଭବନରେ ଏଭଳି ଘଟଣା ଦେଖି ରାଜ୍ୟବାସୀଙ୍କ ସମେତ ଦଳୀୟ ନେତା ମଧ୍ୟ ପଚାରିଲେନି କେବେ ସୁଧୁରିବ କଂଗ୍ରେସ?
ଯାହା ହେଇଗଲା… ହେଇଗଲା । ଆଉ କୌଣସି ଗଣ୍ଡଗୋଳକୁ ସୁଯୋଗ ଦିଆଯିବନି । କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଇଏ ଥିଲା ବିଧାୟକ ସୁରେଶ ରାଉତରାୟଙ୍କ ଚେତାବନୀ । କିନ୍ତୁ କଂଗ୍ରେସ ଭବନରୁ ଏମିତି ଅନେକ ଥର ଏଭଳି ପୁରୁଣା ଡାଇଲଗ ଶୁଣିବାକୁ ମିଳିଛି । କିନ୍ତୁ ଅବସ୍ଥା ଯଥା ପୂର୍ବଂ ତଥା ପରଂ । କ୍ଷମତା ଅଳିନ୍ଦରୁ ଦୀର୍ଘ ୨ ଦଶନ୍ଧି ହେବ ଦୂରେଇ ରହିବା ପରେ ମଧ୍ୟ ଏଯାଏଁ କଂଗ୍ରେସ ଥିଙ୍କଟ୍ୟାଙ୍କକ ମଗଜରେ ବୁଦ୍ଧି ପଶିନି । ସେହି ସମାନ ଅଭିଯୋଗ, ସେହି ପଦ ଲୋଭ ଓ ଗୋଷ୍ଠୀ ବିବାଦ ଦେଶର ପୁରୁଣା ଦଳକୁ ରାଜ୍ୟ ରାଜନୀତିର ରେସରେ କେତେ ଯେ ପଛକୁ ଠେଲି ଦେଲାଣି ତାହା ଏଯାଏଁ ବୁଝି ପାରିନାହାନ୍ତି ଦଳର ଛାମୁଆ ନେତା । ଦଳ ଏତେ ବ୍ୟାକଫୁଟକୁ ଚାଲି ଯାଇଛି ଯେ, ରାଜ୍ୟରେ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଏବେ ସଂଘର୍ଷ କରିବାକୁ ପଡୁଛି । ଆଉ ଏହା ପଛର ସବୁଠୁ ବଡ କାରଣ ହେଲା ଗୋଷ୍ଠୀ କନ୍ଦଳ ଓ ପଦ ଲାଳସା ।
ଏକଥା ଆମେ ଏଥିପାଇଁ କହୁଛୁ କାରଣ, ପ୍ରତିଟି ନିର୍ବାଚନ ପୂର୍ବରୁ ସରକାର ହଟାଅ ନାରା ବଦଳରେ କଂଗ୍ରେସ ଭବନରେ ଶୁଭିଥାଏ ପିସିସି ସଭାପତିଙ୍କୁ ହଟାଅ ନାରା । ବିରୋଧୀ ଦଳକୁ ମାତ୍ ଦେବାକୁ ରଣନୀତି କରିବା ବଦଳରେ ପିସିସି ସଭାପତିଙ୍କୁ କିଭଳି ହଟାଯିବ ସେଥିପାଇଁ ରୀତିମତ ଚାଲିଥାଏ ଷଡଯନ୍ତ୍ର । ଆଉ ୨୦୦୪ ନିର୍ବାଚନ ପରଠାରୁ ଏହି ଧାରା ଜାରି ରହିଛି । ଗତ ୪ଟି ନିର୍ବାଚନରେ ଦଳ ୭ଥର ପିସିସି ସଭାପତି ପରିବର୍ତ୍ତନ କରିଛି । ଯାହାର ପ୍ରଭାବ ଦଳର ସଙ୍ଗଠନ ଉପରେ ସିଧାସଳଖ ପଡିଛି । କାରଣ ଯିଏ ବି ପିସିସି ସଭାପତି ହୋଇଛି ସେ ସଙ୍ଗଠନକୁ ସଜାଡିବା ଅପେକ୍ଷା ନିଜର ଗାଦି କିଭଳି ସୁରକ୍ଷିତ ରହିବ ତାହା ଉପରେ ଫୋକସ କରିଛନ୍ତି । ଯେଉଁଥିପାଇଁ ତୃଣମୂଳସ୍ତରରେ କଂଗ୍ରେସର ସଙ୍ଗଠନ ସମ୍ପୂର୍ଣ୍ଣ ରୂପେ ଭୁଷୁଡି ପଡିଛି । ଯାହାଦ୍ୱାରା କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କ ରହିଥିଲେ ମଧ୍ୟ ଏହା ଭୋଟ ବୁଥ୍ ପର୍ଯ୍ୟନ୍ତ ପହଞ୍ଚି ପାରୁନି । ଏହାବାଦ୍ କଂଗ୍ରେସ ଉପରେ ଯେଉଁ ଗୋଷ୍ଠୀ ବିବାଦର ଗ୍ରହଣ ଲାଗିଛି ତାହା ପୂରା ଦଳର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି । ଆଉ ଏହି ଗ୍ରହଣ କଂଗ୍ରେସ ଉପରୁ କେବେ ହଟିବ ତାହାର କଳ୍ପନା କରିବା ହୁଏତ ଏତେ ସହଜ ନୁହେଁ ।