ଉତ୍ତରପ୍ରଦେଶରେ ଆଜି ପ୍ରଥମ ପର୍ୟ୍ୟାୟ ମତଦାନ
ଉତ୍ତରପ୍ରଦେଶର ଆଜି ପ୍ରଥମ ପର୍ୟ୍ୟାୟ ମତଦାନ । ମୋଟ ୪୦୩ ବିଧାନସଭା ଆସନ ଭିତରୁ ପ୍ରଥମ ପର୍ୟ୍ୟାୟରେ ୫୮ଟି ଆସନ ପାଇଁ ଭୋଟିଂ ହେବ । ୧୧ଟି ଜିଲ୍ଲାର ପ୍ରାୟ ୨ କୋଟି ୨୭ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରେ ମୋଟ୍ ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ମତଦାନ କରାଯିବ ।
ଏହି ୨ କୋଟି ୨୭ ଲକ୍ଷ ଭୋଟରଙ୍କ ମଧ୍ୟରେ ୧କୋଟି ୨୪ ଲକ୍ଷ ପୁରୁଷ, ୧ କୋଟି ୪ ଲକ୍ଷ ମହିଳା ତଥା ୧୪୪୮ ଟ୍ରାନ୍ସଜେଣ୍ଡର ସାମିଲ ଅଛନ୍ତି। ପ୍ରଥମ ପର୍ୟ୍ୟାୟରେ ଯେଉଁସବୁ ଆସନ ଅଧିକ ଫୋକସରେ ରହିଛି-ସେଗୁଡ଼ିକ ହେଲା ମୁଜାଫରନଗର, ମିରଟ୍, ଗାଜିଆବାଦ, ଆଲିଗଡ଼, ମଥୁରା ଓ ଆଗ୍ରା ଆସନ। ଶ୍ରୀକାନ୍ତ ଶର୍ମା, ସୁରେଶ ରାଣା, ସନ୍ଦୀପ ସିଂ, କପିଳ ଦେବ ଅଗ୍ରଓ୍ୱାଲ୍, ଅତୁଲ ଗର୍ଗ ଓ ଚୌଧୁରୀ ଲକ୍ଷ୍ମୀ ନାରାୟଣଙ୍କ ଭଳି ନେତାଙ୍କ ଭାଗ୍ୟପରୀକ୍ଷା ହେବ। ପଶ୍ଚିମ ୟୁପିର ଜାଟ୍ ସଂପ୍ରଦାୟ ରହୁଥିବା ଅଞ୍ଚଳରେ ପ୍ରଥମ ପର୍ୟ୍ୟାୟ ଭୋଟ୍ ହେଉଥିବା ଯୋଗୁଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।
ସାତଟି ପର୍ୟ୍ୟାୟରେ ୟୁପିରେ ନିର୍ବାଚନ ହେବ । ୭ ମାର୍ଚ୍ଚରେ ସପ୍ତମ ତଥା ଅନ୍ତିମ ପର୍ୟାୟ ଭୋଟିଂ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।