ସରିଲା ପ୍ରଥମ ପର୍ୟ୍ୟାୟ ନିର୍ବାଚନ; ୬୦% ମତଦାନ
ଶେଷ ହେଲା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ଭୋଟ୍। ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦିନ ଗୋଟାଏ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ୟ୍ୟନ୍ତ ଚାଲିଥିଲା ମତଦାନ। ପଞ୍ଚାୟତ ଭୋଟ୍ ପାଇଁ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।
୩୦ଟି ଜିଲ୍ଲାର ୧ ହଜାର ୬୬୯ ଗ୍ରାମପଂଚାୟତରେ ପ୍ରଥମ ପର୍ୟ୍ୟାୟ ଭୋଟଗ୍ରହଣ ହୋଇଛି । ୨ଶହ ଜିଲ୍ଲାପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଭୋଟ୍ ଗ୍ରହଣ ସରିବା ପରେ ବାଲାଟ୍ ବକ୍ସଗୁଡ଼ିକୁ ସିଲ୍ କରାଯାଇଛି । ସେଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ବ୍ଲକ୍ ହେଡକ୍ୱାଟର୍ସର ଷ୍ଟ୍ରଙ୍ଗ ରୁମ୍କୁ ନିଆଯାଉଛି ।
ନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ପ୍ରଥମ ପର୍ୟ୍ୟାୟରେ ୨୩ଟି ସ୍ଥାନରେ ମତଦାନ ବନ୍ଦ ରହିଥିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି । ୨୩ଟି ସ୍ଥାନ ମଧ୍ୟରୁ ଗୋଟିଏ ଜିଲ୍ଲା ପରିଷଦ, ୬ଟି ସରପଞ୍ଚ ପଦବୀ, ୩ଟି ପଞ୍ଚାୟତ ସମିତି ସଭ୍ୟ, ୧୩ଟି ଓ୍ବାର୍ଡମେମ୍ବର ପଦବୀରେ ନିର୍ବାଚନ ବନ୍ଦ ହୋଇଛି । ଆଉ ୪ ପର୍ୟ୍ୟାୟ ମତଦାନ ବାକିଥିବା ବେଳେ ଉକ୍ତ ସମୟରେ ବନ୍ଦ ହୋଇଥିବା ସ୍ଥାନରେ ମଧ୍ୟ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ ।
ମୋଟ୍ ୫ଟି ପର୍ୟ୍ୟାୟରେ ଭୋଟିଂ ହେବ । ଫେବ୍ରୁଆରୀ ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ ତାରିଖରେ ପଂଚମ ପର୍ୟ୍ୟାୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ । ସବୁ ପର୍ୟ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ ସ୍ତରେ ଭୋଟ୍ ଗଣତି କରାଯିବ ।